ନୂଆଦିଲ୍ଲୀ : କଂଗ୍ରେସ ରାଜ୍ୟସଭା ସାଂସଦ ତଥା ଭାରତର ଚର୍ଚ୍ଚିତ ଓକିଲ ଅଭିଷେକ ମନୁ ସିଂଘଭୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଏସଆରସିସିରେ ଶନିବାର ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ରବିବାର ୟୁନିଭର୍ସିଟି ସାଉଥ କ୍ୟାମ୍ପସର ସତ୍ୟ ନିକେତନ ଭୂଶୁଡିପଡିବା ଘଟଣାରେ ମୋଦିଙ୍କୁ ଘେରିଛନ୍ତି। କଂଗ୍ରେସ ସାଂସଦ ସିଂଘଭୀ ଏ ନେଇ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଲେଖିଛନ୍ତି ଯେ ଯଦି ପ୍ରଧାନମନ୍ତ୍ରୀ ନିଜକୁ ଡିୟୁ ଛାତ୍ର ଭାବନ୍ତି ତାଙ୍କୁ ପଚାରିବା ଉଚିତ ଯେ ସରକାରଙ୍କ ସୁରକ୍ଷାର ସବୁଠୁ ଅଧିକ ଆବଶ୍ୟକତା ଥିବା ଛାତ୍ରମାନଙ୍କ ପାଇଁ କୋଠା ସୁରକ୍ଷା ଅଡିଟ ବିଫଳ ହେଲା କାହିଁକି?

ଏହାଛଡା ସିଂଘଭୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ୫ ସେପ୍ଟେମ୍ବର ଭାଷଣ ଉଲ୍ଲେଖ କରି କହିଛନ୍ତି ଯେ ଘଟଣାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ଡିୟୁର ଏସଆରସିସି ଖାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଯେଉଁଠି ସେ ୟୁନିଭର୍ସିଟି ଓ ଛାତ୍ରଙ୍କ ତାରିଫ କରିଥିଲେ। ଆଜି ସାଉଥ କ୍ୟାମ୍ପସର ସତ୍ୟନିକେତନରେ ଡିୟୁ ଛାତ୍ର ଏକ ଅସୁରକ୍ଷିତ ପେଇଙ୍ଗ ଗେଷ୍ଟ (ପିଜି) ବିଲ୍ଡିଂ ଧ୍ୱଂସାବଶେଷ ତଳେ ଫଶି  ରହିଛନ୍ତି।  

ଅନ୍ୟପଟେ ଏନଡିଆରଏଫ ଇନିସପେକ୍ଟର ଜେନେରାଲ (ଆଇଜି) ଏନ.ଏସ.ବୁନ୍ଦେଲା କହିଛନ୍ତି ଯେ ସତ୍ୟନିକେତନର ବିଲ୍ଡିଂ ଭୁଶୁଡିପଡିଥିବା ସ୍ଥାନରେ ଏବେ ଏନଡିଆରଏଫର ୨ଟି ଉଦ୍ଧାରକାରୀ ଟିମ୍ ଅଭିଯାନ ଚଳାଇଛନ୍ତି। ଆଉ ଦୁଇଟି ଟିମ୍ କୁ ନିକଟରେ ଷ୍ଟାଣ୍ଡବେ ରଖାଯାଇଛି। ସେ କହିଛନ୍ତି ଯେ ଏନଡିଆରଏଫ ଘଟଣାସ୍ଥଳରେ ପହଞ୍ଚିବାର କିଛି ସମୟ ପରେ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଚେତ ଥିବା ବେଳେ ଅନ୍ୟ ୨ ଜଣ ଅଚେତ ଥିଲେ। ଏନଡିଆରଏଫ, ଷ୍ଟେଟ୍ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ, ଦିଲ୍ଲୀ ଫାୟାର ସର୍ଭିସ ଅନ୍ୟ ସମ୍ପର୍କିତ ଏଜେନ୍ସୀଙ୍କ ସହ ମିଶି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।