ନୂଆଦିଲ୍ଲୀ:  ସୋମବାରଠାରୁ ଆରମ୍ଭ ହେବାକୁ ଥିବା ସଂସଦର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ପୂର୍ବରୁ ତୃଣମୂଳ କଂଗ୍ରେସ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଲୋକସଭାରେ ଟିଏମସି ସଂସଦୀୟ ଦଳର ନେତା ଅଭିଷେକ ବାନାର୍ଜୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ପତ୍ର ଲେଖି ଦଳରୁ ବିଦ୍ରୋହ କରି ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ (ଏନସିପିଆଇ) ସହ ସାମିଲ ହୋଇଥିବା ୨୦ ଜଣ ସାଂସଦଙ୍କୁ ଆଗାମୀ ଅଧିବେଶନରେ ଭୋଟ୍ ଦେବାରୁ ବଞ୍ଚିତ କରିବାକୁ ଦାବି କରିଛନ୍ତି । ସମ୍ବିଧାନର ଦଶମ ଅନୁସୂଚୀ ବା ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଏହି ସାଂସଦମାନଙ୍କ ବିରୋଧରେ ଦାଖଲ ହୋଇଥିବା ଅଯୋଗ୍ୟତା ଆବେଦନଗୁଡ଼ିକ ବିଚାରାଧୀନ ଥିବାରୁ ସେମାନଙ୍କୁ ଭୋଟ୍ ଦେବାକୁ ଅନୁମତି ଦିଆଯିବା ଉଚିତ ନୁହେଁ ବୋଲି ଅଭିଷେକ ତାଙ୍କ ପତ୍ରରେ ଯୁକ୍ତି ବାଢ଼ିଛନ୍ତି।

ଏହା ବ୍ୟତୀତ ଲୋକସଭାରେ ଏହି ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବସିବା ବ୍ୟବସ୍ଥାର ତୁରନ୍ତ ସମୀକ୍ଷା କରିବାକୁ ମଧ୍ୟ ଅଭିଷେକ ବାନାର୍ଜୀ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।ବାଚସ୍ପତି ଅଯୋଗ୍ୟତା ପ୍ରକ୍ରିୟା ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ପର୍ଯ୍ୟନ୍ତ ଗୃହରେ ସେମାନଙ୍କର ସ୍ଥିତି ଅସ୍ପଷ୍ଟ ରହିଛି । ତେଣୁ ସେମାନଙ୍କୁ ଅଲଗା ବସିବାକୁ ଅନୁମତି ଦେବା ଠିକ୍ ନୁହେଁ ବୋଲି ଦର୍ଶାଇଛନ୍ତି ଅଭିଷେକ।

ସୂଚନାଯୋଗ୍ୟ , ଏହି ୨୦ ଜଣ ସାଂସଦ ଟିଏମସି ଟିକେଟରେ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୨୬ ଜୁନ୍ ମାସରେ ଏନସିପିଆଇ ସହ ହାତ ମିଳାଇଥିଲେ। ଟିଏମସି ନେତୃତ୍ୱ ସେମାନଙ୍କର ଏହି ପଦକ୍ଷେପକୁ ବିରୋଧ କରିବା ସହ ସମସ୍ତଙ୍କ ବିରୋଧରେ ବ୍ୟକ୍ତିଗତ ଭାବରେ ଅଯୋଗ୍ୟତା ପିଟିସନ ଦାଖଲ କରିଥିଲେ। ତେବେ ସଂସଦୀୟ ନିୟମ ଅନୁଯାୟୀ, ବାଚସ୍ପତି ଔପଚାରିକ ଭାବରେ ଅଯୋଗ୍ୟ ଘୋଷଣା ନ କରିବା ପର୍ଯ୍ୟନ୍ତ ସେମାନେ ଲୋକସଭାର ସଦସ୍ୟ ହୋଇ ରହିବେ । ଏହା ବର୍ତ୍ତମାନ ଟିଏମସି ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ବିବାଦର ମୁଖ୍ୟ କାରଣ ପାଲଟିଛି।

ନଭେମ୍ବର ୩୦ରୁ ପୁଣିଥରେ ଆରମ୍ଭ ହେବାକୁ ଥିବା ଏହି ସଂସଦ ଅଧିବେଶନରେ ସରକାର ମହିଳା ସଂରକ୍ଷଣ ବିଲ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଟିଏମସି ନିଜର ରଣନୀତିକୁ ଜୋରଦାର କରିଛି । ଶନିବାର ଦିନ ଅଭିଷେକ ବାନାର୍ଜୀ ଦଳର ସମସ୍ତ ଲୋକସଭା ସାଂସଦଙ୍କ ପାଇଁ ଏକ ‘ଥ୍ରୀ-ଲାଇନ୍ ହ୍ୱିପ୍’ ଜାରି କରିଛନ୍ତି।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହି ଦଳର ଆଭିମୁଖ୍ୟକୁ ସମର୍ଥନ କରିବେ। ଅନ୍ୟପକ୍ଷରେ, ଶନିବାର କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏବଂ ବିଦ୍ରୋହୀ ଟିଏମସି ସାଂସଦ ଶତାବ୍ଦୀ ରାୟଙ୍କ ମଧ୍ୟରେ ହୋଇଥିବା ଏକ ବୈଠକ ପରେ ରାଜ୍ୟ ତଥା ଜାତୀୟ ରାଜନୀତିରେ ଉଷ୍ମତା ଆହୁରି ବଢ଼ିଯାଇଛି। ବୀରଭୂମରୁ ଚାରିଥର ଲୋକସଭା ସାଂସଦ ହୋଇଥିବା ଶତାବ୍ଦୀ ରାୟ ଏବଂ ଅନ୍ୟ ଏନସିପିଆଇ ସାଂସଦମାନେ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କରିବେ ବୋଲି ତାଙ୍କୁ ଆଶ୍ୱାସନା ଦେଇଥିବା ଶୁଭେନ୍ଦୁ ଅଧିକାରୀ ପ୍ରକାଶ କରିଛନ୍ତି।