ନୂଆଦିଲ୍ଲୀ: ଇରାନର ବୈଦେଶିକ ମନ୍ତ୍ରୀ ଅବାସ ଆରାଘଚି ଓମାନର ରାଜଧାନୀ ମସ୍କଟରୁ ଇସ୍ଲାମାବାଦ ଫେରୁଛନ୍ତି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ସେ ମସ୍କୋ ଯିବା ପୂର୍ବରୁ ପୁଣି ଥରେ ପାକିସ୍ତାନ ଗସ୍ତ କରିବେ। ଆରାଘଚି ଖୁବଶୀଘ୍ର ପାକିସ୍ତାନର ରାଜଧାନୀରେ ଥିବା ନୁର ଖାନ ବିମାନବନ୍ଦରରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଅଲ ଜଜିରା ଅନୁଯାୟୀ, ତାଙ୍କର ବ୍ୟକ୍ତିଗତ ବିମାନ ଦୁଇ ଘଣ୍ଟା ମଧ୍ୟରେ ନୁର ଖାନ ଏୟାରପୋର୍ଟରେ ଅବତରଣ କରିବ ବୋଲି ଆଶା କରାଯାଉଛି।

ଇସ୍ଲାବାଦରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପାଇଁ ଇରାନରୁ ବସିଥିବା ପ୍ରତିନିଧିମଣ୍ଡଳୀର କିଛି ସଦସ୍ୟ ତାଙ୍କୁ ସାକ୍ଷାତ କରିପାରନ୍ତି । ଶନିବାର ଆଲୋଚନା ବାତିଲ ହେବା ପୂର୍ବରୁ ଆରାଘଚି ଓମାନ ଫେରିଯାଇଥିଲେ ବୋଲି ରିପୋର୍ଟ ମିଳିଥିଲା । କିନ୍ତୁ ଆଜି ପୁଣି ଥରେ ଆରାଘଚି ଇସ୍ଲାମାବାଦ ଆସୁଛନ୍ତି । ଏହାପୂର୍ବରୁ ଆରାଘଚି ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର, ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିଥିଲେ। ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ଆଞ୍ଚଳିକ ବିକାଶ ଉପରେ ଆଲୋଚନା ହୋଇଥିଲା।

ସେପଟେ ଆରାଘଚି କେବଳ ପାକିସ୍ତାନୀ ନେତାମାନଙ୍କ ସହିତ ସାକ୍ଷାତ କରିବେ। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ତାଙ୍କର ଆଜିର ଗସ୍ତ ପୂର୍ବରୁ ନିଶ୍ଚିତ ହୋଇସାରିଛି, ତେବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାହିଁକି ତାଙ୍କ ପ୍ରତିନିଧିଙ୍କୁ ପଠାଇଲେ ନାହିଁ ? ଯଦି ସବୁକିଛି ଠିକ୍ ହୋଇନାହିଁ, ତେବେ ଇରାନର ବୈଦେଶିକ ମନ୍ତ୍ରୀ କାହିଁକି ଇସଲାମାବାଦ ଫେରୁଛନ୍ତି ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ବିଳମ୍ବିତ ରାତି ସୁଦ୍ଧା ମିଳିବାର ସମ୍ଭାବନା ରହିଛି।