ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କ୍ରିକେଟ୍ କିମ୍ବଦନ୍ତୀ ଏବି ଡିଭିଲିୟର୍ସ ୧୫ ବର୍ଷୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ବୈଭବଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ସେ ତାଙ୍କ ଭବିଷ୍ୟତ କ୍ୟାରିୟର ପାଇଁ ଏକ ବଡ଼ ସତର୍କବାଣୀ ମଧ୍ୟ ଶୁଣାଇଛନ୍ତି ।

ଡିଭିଲିୟର୍ସ କହିଛନ୍ତି ଯେ, ବୈଭବ ଜଣେ ଅସାଧାରଣ ପ୍ରତିଭାବାନ ଖେଳାଳି ବୋଲି କୌଣସି ସନ୍ଦେହ ନାହିଁ । କିନ୍ତୁ ଯଦି ସେ ନିଜର ବ୍ୟାଟିଂ ଶୈଳୀ ଏବଂ ମାନସିକତାରେ ପରିବର୍ତ୍ତନ ନ ଆଣନ୍ତି, ତେବେ ସେ ଜଣେ 'ଟି-୨୦ ସ୍ପେଶାଲିଷ୍ଟ' ହୋଇ ରହିଯିବାର ଆଶଙ୍କା ରହିଛି । ସେ ଚାହାନ୍ତି ଯେ ବୈଭବ କେବଳ ଟି-୨୦ରେ ସୀମିତ ନ ରହି ଜଣେ ସର୍ବକାଳୀନ ମହାନ ଖେଳାଳି ଭାବେ ଉଭା ହୁଅନ୍ତୁ ।

ଡିଭିଲିୟର୍ସଙ୍କ ମତରେ, ଜଣେ ଖେଳାଳିର ପ୍ରକୃତ ଦକ୍ଷତା ଟେଷ୍ଟ କ୍ରିକେଟରୁ ହିଁ ଜଣାପଡ଼ିଥାଏ । ସେ କହିଛନ୍ତି, "ଯଦି ତୁମେ ଜଣେ ଭଲ ଟେଷ୍ଟ ଖେଳାଳି ହୋଇପାରିବ, ତେବେ ତୁମେ ଯେକୌଣସି ଫର୍ମାଟରେ ଖେଳିପାରିବ । କିନ୍ତୁ କେବଳ ଟି-୨୦ ଉପରେ ଧ୍ୟାନ ଦେଲେ ଦୀର୍ଘ ସମୟ ଧରି ଅନ୍ତର୍ଜାତୀୟ ସ୍ତରରେ ତିଷ୍ଠି ରହିବା କଷ୍ଟକର ହେବ ।" ସେ ବୈଭବଙ୍କୁ ଲମ୍ବା ଇନିଂସ ଖେଳିବା ଏବଂ ପରିସ୍ଥିତି ଅନୁଯାୟୀ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ।

କ୍ରିକେଟ୍ ଜଗତ ସୂର୍ଯ୍ୟବଂଶୀଙ୍କ ଭାରତ ପାଇଁ ଡେବ୍ୟୁକୁ ଉତ୍ସାହର ସହିତ ଅପେକ୍ଷା କରୁଛି । ଏହି ସମୟରେ ଡିଭିଲିୟର୍ସ କହିଛନ୍ତି ଯେ ଏହି ଯୁବ ଖେଳାଳିଙ୍କ ପ୍ରକୃତ ପରୀକ୍ଷା ଟେଷ୍ଟ କ୍ରିକେଟରେ ସଫଳତା ହାସଲ କରିବାରେ ରହିଛି । ଏପର୍ଯ୍ୟନ୍ତ ସୂର୍ଯ୍ୟବଂଶୀ ନିଜକୁ ଟି-୨୦ରେ ନିଜକୁ ପ୍ରତିଷ୍ଠିତ କରିସାରିଛନ୍ତି । କିନ୍ତୁ ସେ ଡିଭିଲିୟର୍ସଙ୍କ ଆଶଂକାକୁ ଦୂର କରିପାରିବେ କି ନାହିଁ ତାହା କେବଳ ସମୟ କହିବ ।

ଷ୍ଟୁଆର୍ଟ ବ୍ରଡ ଏବଂ ଜୋସ୍ ବଟଲରଙ୍କ ଦ୍ୱାରା ଆୟୋଜିତ 'ଫର୍ ଦି ଲଭ୍ ଅଫ୍ କ୍ରିକେଟ୍' ପଡକାଷ୍ଟରେ ଡିଭିଲିୟର୍ସ କହିଛନ୍ତି, "ସତ କହିବାକୁ ଗଲେ, ମୁଁ ଜାଣିନାହିଁ ଯେ ସେ ତିଷ୍ଠି ରହିବେ କି ନାହିଁ । ମୁଁ ମୋ ଭାଇ ଏବଂ ବନ୍ଧୁମାନଙ୍କୁ ଏହା କହେ । ଏଇ ବୟସରେ, ଏହା ସମ୍ପୂର୍ଣ୍ଣ ଅବିଶ୍ୱସନୀୟ । ଆମେ ଜାଣୁ ଯେ ସେ ପ୍ରତିଭାବାନ, କିନ୍ତୁ ମୁଁ ତାଙ୍କୁ ଅନ୍ୟ ଫର୍ମାଟରେ ଦେଖିବାକୁ ଚାହେଁ ।"

ଡି ଭିଲିୟର୍ସ ସତର୍କ କରାଇ ଦେଇଛନ୍ତି ଯେ, ଯେତେବେଳେ ଜଣେ ଖେଳାଳି ଚର୍ଚ୍ଚାକୁ ଆସନ୍ତି, ସେତେବେଳେ ବିଶ୍ୱର ଅନ୍ୟ ବୋଲରମାନେ ତାଙ୍କର ଦୁର୍ବଳତା ଖୋଜିବା ଆରମ୍ଭ କରନ୍ତି । ବୈଭବଙ୍କୁ ଆଗାମୀ ଦିନରେ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ଏବଂ ସେଥିପାଇଁ ତାଙ୍କୁ ଟେକ୍ନିକାଲ ଭାବେ ଅଧିକ ସଶକ୍ତ ହେବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ବୈଭବ ସୂର୍ଯ୍ୟବଂଶୀ ଆଇପିଏଲ୍ ଇତିହାସର ସବୁଠାରୁ କମ୍ ବୟସ୍କ ଖେଳାଳି ଭାବେ ନିଲାମରେ ସାମିଲ ହୋଇଥିଲେ ଏବଂ ରାଜସ୍ଥାନ ରୟାଲ୍ସ ତାଙ୍କୁ ୧.୧୦ କୋଟି ଟଙ୍କାରେ କିଣିଛି ।