ଭୁବନେଶ୍ବର ୨୬।୭: ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ସିଷ୍ଟମ୍ ଓଡ଼ିଶା–ପଶ୍ଚିମବଙ୍ଗ ଉପକୂଳ ନିକଟରେ ସକ୍ରିୟ ରହିଛି । ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବା ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ଏହା ପ୍ରଭାବରେ ବର୍ଷାର ପରିମାଣ ବଢ଼ିପାରେ । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ଉପକୂଳ ଅଞ୍ଚଳରେ ପବନର ବେଗ ମଧ୍ୟ ବୃଦ୍ଧି ପାଇପାରେ । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

ଏହାର ପ୍ରଭାବରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଏହାସହ ଉପକୂଳ ଏବଂ ସଂଲଗ୍ନ କେତେକ ଜିଲ୍ଲାରେ ବି ପ୍ରବଳ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପୂର୍ବାନୁମାନରୁ ଜଣାପଡ଼ିଛି, ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପରେ ସୁଦୃଶ୍ୟ ଲଘୁଚାପ ରହିଛି ।

Also Read:- ଖୋଲିଲା ଠେଙ୍ଗୋ ଡ୍ୟାମ୍‌ର ୨ ଗେଟ୍, ପ୍ରଥମ ବନ୍ୟାଜଳ ନିଷ୍କାସିତ

ଏହା ପ୍ରଭାବରେ ଓଡ଼ିଶାରେ ବର୍ଷା ଲାଗି ରହିଛି । ବର୍ଷା ପରିମାଣ କ୍ରମଶଃ ବଢ଼ିବ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ । କେନ୍ଦୁଝର ଜିଲ୍ଲାର ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।