ନୟାଗଡ଼: ଗଛକୁ ପିଟିଲା ଦ୍ରୁତଗାମୀ ଯାତ୍ରୀବାହୀ ବସ୍ । ଏଥିରେ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବଡ଼ କଥା ହେଲା ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ସେମାନଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ସେପଟେ ଅନ୍ୟ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ରେଫର୍‌ଙ୍କ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । ମୃତ ବସ୍ ଡ୍ରାଇଭରଙ୍କ ପରିଚୟ ସାନପଦର ଗ୍ରାମର ନିରଞନ ସ୍ବାଇଁ ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, ନୀଳକଣ୍ଠେଶ୍ବର ନାମକ ଘରୋଇ ବସ୍ ଭୁବନେଶ୍ବରରୁ ନୟାଗଡ଼ ଆସୁଥିବା ବେଳେ ବାଉଁଶିଆପଡ଼ା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ଗାଡ଼ି ଅଧିକ ବେଗରେ ଥିଲା ଏବଂ ଡ୍ରାଇଭର ଫୋନରେ କଥା ହେଉଥିବାରୁ ଦୁର୍ଘଟଣା ହୋଇଥିବା କହିଛନ୍ତି ବସ୍‌ର ହେଲପର୍ । ଦୁର୍ଘଟଣା ସମୟରେ ଗାଡ଼ିରେ ୩୫ରୁ ଅଧିକ ଯାତ୍ରୀ ରହିଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ବସ୍ ଭିତରକୁ ଗଛ ପଶିଯାଇଥିଲା ।

Also Read: ଦୁର୍ଘଟଣାସ୍ଥଳରେ ମହିଳା ହୋମଗାର୍ଡଙ୍କ ମହାନତା, CPR ଦେଇ ବଞ୍ଚାଇବାକୁ କଲେ ଶେଷ ପ୍ରୟାସ

ଦୁର୍ଘଟଣା ଖବର ପାଇ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହ ମେଡିକାଲ୍ ଆସି ଗୁରୁତରଙ୍କ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବିଧାୟକ ଅରୁଣ ସାହୁ ଭୁବନେଶ୍ବରରୁ ଫେରୁଥିବାବେଳେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ । ଦୁର୍ଘଟଣା ଭୟାନକ ଥିଲା ବୋଲି ସେ କହିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମସ୍ତ ଆହତଙ୍କୁ ରେଡକ୍ରସରୁ ୧୦ହଜାର ଟଙ୍କା ଲେଖାଏଁ ତୁରନ୍ତ ସହାୟତା ପ୍ରଦାନ କରାଯାଇଛି । ଏହାସହିତ ଗୁରୁତରମାନଙ୍କୁ ଭୁବନେଶ୍ବର ପଠାଇବା ବ୍ୟବସ୍ଥା ପ୍ରଶାସନ କରିଛି ।