ସୁନ୍ଦରଗଡ଼: ପିକଅପ୍ ଚାଳକଙ୍କୁ ପିଟି ପିଟି ହତ୍ୟା କରିଦେଲେ ତିନି ଟ୍ରେଲର ଚାଳକ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ସୁନ୍ଦରଗଡ଼ ଭଷ୍ମା ଥାନା ସୂରଡ଼ା ଛକ ନିକଟରେ। ମୃତକଙ୍କ ପରିଚୟ ସାଗରପାଲି ଖମାର ପଡ଼ାର ରାଜେଶ ମୁଣ୍ଡା ବୋଲି ଜଣାପଡ଼ିଛି। ସେପଟେ ପୋଲିସ ବର୍ତ୍ତମାନ ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ କରି ତଦନ୍ତ କରୁଛି।

ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ରାଜେଶ ଏକ ପିକଅପ୍ ଟ୍ରକ୍ ଟାୟାର ମରାମତି କରି ଫେରୁଥିଲେ। ହେଲେ ସୁରଡ଼ା ଛକ ନିକଟରେ ମୁକେଶ ଯାଦବ ନାମକ ଜଣେ ଟ୍ରେଲର ଚାଳକ ତାଙ୍କ ଗାଡ଼ି ଆଗକୁ ହଠାତ୍ ଚାଲିଆସିଥିଲେ। ଫଳରେ ରାଜେଶଙ୍କ ପିକଅପ୍ ମୁକେଶଙ୍କୁ ଧକ୍କା ଦେଇଥିଲା। ଏମିତିରେ ରାଜେଶ ସେହି ସମୟରେ ଗାଡ଼ି ଅଟକାଇ ମୁକେଶକୁ ଉଦ୍ଧାର କରିବାକୁ ଆସିଥିଲେ। କିନ୍ତୁ ସେଠାରେ ଥିବା ମୁକେଶଙ୍କ ଅନ୍ୟ ସାଥୀ ଟ୍ରେଲର ଚାଳକମାନେ ରାଜେଶ ମୁଣ୍ଡାକୁ ଲୁହା ରଡ଼ ଏବଂ ଅନ୍ୟ ମାରଣାସ୍ତ୍ରରେ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ।

Also Read: ଅଧାବାଟରେ ସରିଗଲା ଆମ୍ବୁଲାନ୍ସରୁ ତେଲ ! ଚାଲିଗଲା ରୋଗୀଙ୍କ ଜୀବନ

ତେବେ ପିକଅପ ଚାଳକ ନିସ୍ତେଜ ହେବା ପରେ ତାଙ୍କୁ ଏବଂ ମୁକେଶଙ୍କୁ ପିକଅପ ଗାଡ଼ିରେ ଲଦି ପ୍ରଥମେ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ରାଜେଶଙ୍କୁ ମୃତ ଘୋଷଣା କରିବା ସହ ତୁରନ୍ତ ଭଷ୍ମା ପୋଲିସ ଓ ଟାଉନ ପୋଲିସକୁ ସୂଚନା ଦେଉଥିଲେ। ସୂଚନା ପାଇ ଭଷ୍ମା ପୋଲିସ ଘଟଣାସ୍ଥଳରେ ପହଞ୍ଚି କ୍ରାଇମ ସ୍ପଟକୁ ଚିହ୍ନଟ କରି ତଦନ୍ତ ଜାରି ରଖିବା ସହ ଏହି ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା ତିନି ଜଣ ଚାଳକଙ୍କୁ ଗିରଫ କରିଛି। ଗିରଫଦାରୀ ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି।