ଭୁବନେଶ୍ୱର: ଓଡ଼ିଶାର କୋଣଅନୁକୋଣରୁ ଆସିଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭା, ସ୍ୱପ୍ନ, ସୃଜନଶୀଳତା ଏବଂ ଅସୀମ ସମ୍ଭାବନାର ଏକ ମହାମିଳନ ଭାବେ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୬” ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି ତିନିଦିନିଆ ରାଜ୍ୟସ୍ତରୀୟ ସମାରୋହକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି।

ଏହି ଗୌରବମୟ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କୃତୀ ଶିକ୍ଷକ, ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ସମେତ ନବରଙ୍ଗପୁର, କଟକ, କଳାହାଣ୍ଡି ଜିଲ୍ଲାକୁ ସମ୍ମାନଜନକ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ପ୍ରଦାନ କରିବା ସହିତ ମାତୃଭାଷା ଓଡ଼ିଆର ପ୍ରଚାର ଓ ପ୍ରସାର ପାଇଁ ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’ ବିତରଣ କରିଛନ୍ତି। ଏଥିସହିତ ପ୍ରାଥମିକ ଶିକ୍ଷାର ମୂଳଦୁଆକୁ ସୁଦୃଢ଼ କରିବା ନିମନ୍ତେ ‘ନିପୁଣ ଆପ୍’ର ଲୋକାର୍ପଣ ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଅତ୍ୟାଧୁନିକ ବିଜ୍ଞାନ ସହ ଯୋଡ଼ିବା ପାଇଁ ରାଜ୍ୟର ୮୦୭ଟି ବିଦ୍ୟାଳୟରେ ରୋବୋଟିକ୍ସ ଲ୍ୟାବ୍ର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୧୬୪.୩୩ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଚଳିତ ବର୍ଷର ରାଜ୍ୟସ୍ତରୀୟ ‘ସୁରଭି-୨୦୨୬’ ମହୋତ୍ସବରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଏକାଧିକ ଐତିହାସିକ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଅନ୍ତର୍ଗତ ୨୦୨୪ ଏବଂ ୨୦୨୫ ବର୍ଷର ତାଲିକାକୁ ମିଶାଇ ମୋଟ୍ ୩୭୫ ଜଣ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନଙ୍କୁ ସମ୍ମାନିତ କରାଯାଇଛି। ସମଗ୍ର ରାଜ୍ୟରେ ବ୍ଲକ୍ ସ୍ତରଠାରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଏହି ପୁରସ୍କାର ଯୋଜନାରେ ମୋଟ୍ ୧୩୮ କୋଟି ୯୭ ଲକ୍ଷ ୭୮ ହଜାର ୯୫୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି।

ସେହିପରି ମାତୃଭାଷା ଓଡ଼ିଆ ଅଧ୍ୟୟନରେ ଉତ୍କର୍ଷ ପ୍ରଦର୍ଶନ କରୁଥିବା ସମଗ୍ର ରାଜ୍ୟର ୭,୩୫୦ ଜଣ ମେଧାବୀ ଛାତ୍ରଛାତ୍ରୀ ପ୍ରତ୍ୟେକଙ୍କୁ ବାର୍ଷିକ ୭,୫୦୦ ଟଙ୍କା ‘ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷା ବୃତ୍ତି’ ପ୍ରଦାନ କରାଯାଉଥିବା ବେଳେ ଆଜି ମଞ୍ଚରେ ୧୦ ଜଣ କୃତୀ ଛାତ୍ରଛାତ୍ରୀ ଏବଂ ୪ ଜଣ ସିଏଚ୍ଏସ୍ଇ (CHSE) ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହା ବ୍ୟତୀତ ଛାତ୍ରଛାତ୍ରୀଙ୍କୁ ପୁସ୍ତକଗତ ଜ୍ଞାନରୁ ଊର୍ଦ୍ଧ୍ୱକୁ ନେଇ ପ୍ରୟୋଗାତ୍ମକ ବିଜ୍ଞାନ ସହ ଯୋଡ଼ିବା ଉଦ୍ଦେଶ୍ୟରେ ୮୦୭ଟି ବିଦ୍ୟାଳୟରେ ଅତ୍ୟାଧୁନିକ ରୋବୋଟିକ୍ସ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି, ଯେଉଁଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପିଲାମାନେ ରୋବୋଟିକ୍ସ, କୋଡିଂ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ମେସିନ୍ ଲର୍ଣ୍ଣିଂ ଏବଂ ଥ୍ରୀ-ଡି ପ୍ରିଣ୍ଟିଂ ଭଳି ବୈଷୟିକ ଶିକ୍ଷା ଲାଭ କରିପାରିବେ।

ଏହି ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଅଭିଭାବକମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ତାଙ୍କ ସାମ୍ନାରେ ଦେଶର ଉଜ୍ଜ୍ୱଳ ଭବିଷ୍ୟତକୁ ଦେଖି ସେ ଅତ୍ୟନ୍ତ ଆତ୍ମସନ୍ତୋଷ ଅନୁଭବ କରୁଛନ୍ତି। ସେ କହିଛନ୍ତି ଯେ ଆଜିର ଏହି ଉତ୍ସବ କେବଳ ଏକ ସାଧାରଣ ଶିଶୁ ମହୋତ୍ସବ ନୁହେଁ, ବରଂ ଏହା ହେଉଛି ପିଲାମାନଙ୍କ ସ୍ୱପ୍ନ, ସୃଜନଶୀଳତା, ପ୍ରତିଭା ଓ ଅସୀମ ସମ୍ଭାବନାର ଏକ ମହାମିଳନ।

ମାତୃଭାଷାର ସମ୍ମାନ ଓ ଶିକ୍ଷା କ୍ଷେତ୍ରରେ ନୂତନ ପଦକ୍ଷେପ

ଚଳିତ ବର୍ଷ 'ସୁରଭି-୨୦୨୬'ର ମୁଖ୍ୟ ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’। ଭାଷା ହେଉଛି ଏକ ଜାତିର ପରିଚୟ, ସଂସ୍କୃତି ଓ ଐତିହ୍ୟର ବାହକ। ଏହି ବିଷୟବସ୍ତୁ ମାଧ୍ୟମରେ କୋମଳମତି ପିଲାମାନଙ୍କ ମଧ୍ୟରେ ମାତୃଭାଷା ଓଡ଼ିଆ ପ୍ରତି ଆଗ୍ରହ, ଭାଷାଗତ ଗର୍ବ, ସାହିତ୍ୟିକ ରୁଚି ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ଓଡ଼ିଶାର ଭାଷାଗତ ଓ ସାଂସ୍କୃତିକ ବିବିଧତା ପ୍ରତି ସମ୍ମାନ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ମୂଳ ଲକ୍ଷ୍ୟ।

ଉଦ୍ଘାଟନୀ ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭୁବନେଶ୍ୱର (ଏକାମ୍ର) ବିଧାୟକ ବାବୁ ସିଂ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ଥିରୁମାଲା ନାଏକ ଏବଂ ଓସେପା (OSEPA)ର ଭାରପ୍ରାପ୍ତ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସଙ୍ଗୀତା ବେହେରା ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ସୂଚନାଥାଉକି, ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ରାଜ୍ୟସ୍ତରୀୟ ସମାରୋହରେ ସମଗ୍ର ରାଜ୍ୟରୁ ୨,୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସମେତ ୧,୦୦୦ରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଛନ୍ତି। ଏହି ଅବଧି ମଧ୍ୟରେ ପିଲାମାନଙ୍କ ବୌଦ୍ଧିକ ଓ ସୃଜନାତ୍ମକ ବିକାଶ ପାଇଁ ବିତର୍କ, ପ୍ରବନ୍ଧ ଲିଖନ, ବକ୍ତୃତା, ସୃଜନଶୀଳ ଲିଖନ, କୁଇଜ୍, ଚିତ୍ରାଙ୍କନ, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ପିଏମ୍-ପୋଷଣର ଚିତ୍ରକଳା ଓ ଶିଳ୍ପକଳା ଏବଂ ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ଆୟୋଜିତ ହେଉଛି।