ଗାଜିଆବାଦ: ନିକଟରେ ଜୟପୁରର ଆୟୁଷୀ ଶର୍ମା ନାମକ ଜଣେ ଯୁବତୀ ମାଆଙ୍କ ସରକାରୀ ଚାକିରି ଓ ୧୪ କୋଟିର ସମ୍ପତ୍ତି ଲୋଭରେ ଗାଡ଼ି ଚଢ଼ାଇ ମାଆକୁ ମାରିଦେବା ଘଟଣା ସାରା ଦେଶକୁ ହତବାକ କରିଦେଇଥିଲା। ଆଉ ଏବେ ଉତ୍ତର ପ୍ରଦେଶ ଗାଜିଆବାଦରେ ବି ସମାନ ଘଟଣା ଘଟିଛି। ହେଲେ ଏଠି ଟାର୍ଗେଟ୍‌ରେ ମାଆ ନୁହେଁ, ବାପା ବଳି ପଡ଼ିଯାଇଛି। ଆଉ ହତ୍ୟାକୀର ଝିଅ ନୁହେଁ ପୁଅ। ୧୫୦ କୋଟି ସମ୍ପତ୍ତିର ମାଲିକ ବାପାକୁ ଗୁଳି କରି ମାରି ଦେଇଛି କୁଳାଙ୍ଗାର ପୁଅ। ବାପାର ସବୁ ସ୍ନେହଁ, ଭଲପାଇବାର ଫଳ ବୁନ୍ଧୁକ ମୁନରେ ଦେଇଛି ପିତୃହନ୍ତା।

ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋଦୀନଗରରେ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଘଟିଛି ଏକ ହୃଦୟବିଦାରକ ଘଟଣା। ୩୨ ବର୍ଷୀୟ ପୁଅ ନିଜ ବାପାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ପିସ୍ତଲ ଧରି ଫେରାର ହୋଇଯାଇଥିବାବେଳେ ତାକୁ ଧରିବା ପାଇଁ ପୋଲିସ ୪ଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି।

ପୋଲିସ ସୂଚନା ଅନୁସାରେ, ମୋଦୀନଗରର ବୁଦାନା ଗାଁର ବାସିନ୍ଦା ମୃତକ ହରିଓମ ଚୌଧୁରୀ (୫୨) ସେ ଅଞ୍ଚଳର ଜଣେ ଧନୀ କୃଷକ ଭାବେ ପରିଚିତ। ତାଙ୍କ ନାଁରେ ମୋଦୀନଗରରେ ପ୍ରାୟ ୭୫ ଏକର(ବିଘା) ଜମି ଥିବା ସହ ଦିଲ୍ଲୀ-ମେରଠ ରୋଡ୍ରେ ତାଙ୍କର ଏକ ମାର୍କେଟ୍ ରହିଥିଲା। ହରିଓମଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧୫୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଏହି ସମ୍ପତ୍ତିକୁ ନେଇ ବାପ-ପୁଅଙ୍କ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହେଉଥିଲା।

ପୁଲିସର ତଦନ୍ତ ଅନୁସାରେ ବଡ଼ ପୁଅ ନିଖିଲ ସବୁବେଳେ ମଦ ପିଇ ନିଶାରେ ବୁଡ଼ି ରହୁଥିଲେ। ଆଉ ବାପା ହରିଓମ ଚୌଧୁରୀ ଏଥିପାଇଁ ସବୁବେଳେ ତାଙ୍କୁ ତାଗିଦ କରୁଥିଲେ। ପୁଅର ଜିଦ୍ ଓ ଝଗଡ଼ା ଯୋଗୁ ବାପା ହରିଓମ ବଜାରରେ କିଛି ଦୋକାନ ଓ ୨୫ ବିଘା ଜମି ନିଖିଲ ନାଁରେ କରିଦେଇଥିଲେ। କିନ୍ତୁ ନିଖିଲ ବାକି ସମ୍ପତ୍ତି ମଧ୍ୟ ନିଜ ନାଁରେ କରିଦେବାକୁ ଚାହୁଁଥିଲେ। ହେଲେ ଯେହେତୁ ହରିଓମଙ୍କର ଆଉ ଏକ ସାନ ପୁଅ ଥିଲା, ତେଣୁ ସେ ନିଖିଲଙ୍କ ଦାବିରେ ରାଜି ହୋଇ ନଥିଲେ। ତା ଛଡ଼ା ବଡ଼ ପୁଅ ମଦ ନିଶାରେ ସବୁ ସମ୍ପତ୍ତି ଉଡ଼ାଇଦେବ ବୋଲି ହରିଓମଙ୍କ ମନରେ ଭୟ ଥିଲା।

Also Read- କର୍ଣ୍ଣାଟକରେ ପ୍ରଥମେ ଡାକ୍ତରଙ୍କୁ ହତ୍ୟା ,୮ ବର୍ଷର ପୁଅକୁ ଛୁରାମାଡ଼ : ସନ୍ଦେହରେ ପତ୍ନୀକୁ ଅଟକ ରଖିଲା ପୋଲିସ

ବୁଧବାର ରାତିରେ ହରିଓମ ନିଜ ପତ୍ନୀ ଅନୀତା ଓ ସାନ ପୁଅ ନିଶୁଙ୍କ ସହ ରାତ୍ରିଭୋଜନ କରୁଥିବା ବେଳେ ନିଖିଲ ମଦ ପିଇ ଘରକୁ ଫେରିଥିଲେ। ନିଶା ପାଇଁ ବାପା ପୁଣିଥରେ ତାକୁ ତାଗିଦ କରିବାରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

ଅଭିଯୋଗ ଅନୁସାରେ, ଉତ୍ତ୍ୟକ୍ତ ହୋଇ ନିଖିଲ ଏକ ପିସ୍ତଲ ବାହାର କରି ବାପାଙ୍କ ଉପରେ ଗୁଳି ଚଳାଇଥିଲେ। ପ୍ରଥମ ଗୁଳି ହରିଓମଙ୍କ ମୁହଁରେ ବାଜିବା ପରେ ସେ ତଳେ ପଡ଼ିଯାଇଥିଲେ। ଏହାପରେ ଅଭିଯୁକ୍ତ ତାଙ୍କ ମୁହଁ, ଛାତି ଓ ପେଟକୁ ଲକ୍ଷ୍ୟ କରି ଆହୁରି ଗୁଳି ଚଳାଇଥିଲେ। ପୋଲିସ କହିଛି ଯେ, ମୃତଦେହରେ ୪ରୁ ୬ଟି ଗୁଳିର ଚିହ୍ନ ମିଳିଛି।

ତଦନ୍ତ ବେଳେ ଆଉ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ୨୦୧୮ ମସିହାରେ ମଧ୍ୟ ନିଖିଲ ନିଜ ସାନ ଭାଇ ନିଶୁଙ୍କ ଉପରେ ଗୁଳି ଚଳାଇବାକୁ ଚେଷ୍ଟା କରିଥିବା ଅଭିଯୋଗ ରହିଛି। ପୋଲିସ ଏହି ଘଟଣାକୁ ମଧ୍ୟ ପୁଣିଥରେ ଖୋଲି ନୂଆକରି ଯାଞ୍ଚ କରୁଛି। ତେବେ ନିଖିଲ ଏବେ ବି ଫେରାର ଅଛି। ପୁଲିସ ତଦନ୍ତ କରିବା ସହ ଖୋଜିବା ଜାରି ରଖିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।