ନୂଆଦିଲ୍ଲୀ: ଶ୍ରୀନଗର ପୋଲିସକୁ ସଫଳତା। ଶ୍ରୀନଗର ଏସଏସପିଙ୍କ ନେତୃତ୍ବରେ ହୋଇଥିବା ଆତଙ୍କୀ ଅଭିଯାନରେ ଲସ୍କର-ଏ- ତୋଇବା ସହ ଜଡ଼ିତ ଏକ ବଡ଼ ମଡ୍ୟୁଲର ପର୍ଦ୍ଦାଫାଶ । ଏହି ଅଭିଯାନରେ ମୁଖ୍ୟ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏହା ସହ ଆଉ ଏକ ବଡ଼ ଆନ୍ତଃରାଜ୍ୟ ଆତଙ୍କୀ ନେଟଓ୍ବର୍କର ଖୁଲାସା ହୋଇଛି। ଏହି ଅଭିଯାନ ଜମ୍ମୁ ଏବଂ କାଶ୍ମୀର ପୋଲିସକୁ ମିଳିଥିବା ସୂଚନା ଆଧାରରେ ପଞ୍ଜାବ ପୋଲିସ ସହଯୋଗରେ ଆରମ୍ଭ କରାଯାଇଥିଲା। ପରିଣାମସ୍ବରୂପ ମାର୍ଚ୍ଚ ୨୭ରେ ପଞ୍ଜାବର ମଲେରକୋଟଲା ଗାଁରେ ଦୁଇ ଟପ୍ ପାକିସ୍ତାନୀ ଆତଙ୍କବାଦୀ- ଅବ୍ଦୁଲା ଓରଫ ଅବୁ ହୁରେରା ଏବଂ ଅବୁ ଉସ୍ମା ଓରଫ ଖୁବେବକୁ ଗିରଫ କରାଯାଇଥିଲା। ପରେ ସେମାନଙ୍କୁ ଅଧିକ ପଚରା ଉଚରା ପାଇଁ ଶ୍ରୀନଗର ନିଆଯାଇଥିଲା।

ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି ଦୁଇ ଆତଙ୍କବାଦୀ ୧୬ ବର୍ଷରୁ ଅଧିକ ସମୟ ଧରି ସକ୍ରିୟ ଥିଲେ ଏବଂ ମୁଖ୍ୟତଃ ସ୍ଥାନୀୟ ଯୁବକଙ୍କୁ ଭର୍ତ୍ତି କରିବା, ସେମାନଙ୍କୁ ହତିଆର ପ୍ରଶିକ୍ଷଣ ଦେବା, ହତିଆର ଏବଂ ଗୋଳା ବାରୁଦ ଯୋଗାଇବା ଏବଂ ଆତଙ୍କୀ ଆକ୍ରମଣ ଘଟାଇବାରେ ସାମିଲ ଥିଲେ। କାଶ୍ମୀର ଘାଟୀରେ ସକ୍ରିୟ ରହି ପ୍ରାୟ ୪୦ ବିଦେଶୀ ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ପ୍ରଶିକ୍ଷଣ ଦେଇଥିଲେ। ପଚରା ଉଚରା ସମୟରେ ଅଧିକାରୀ ଜମ୍ମୁ- କାଶ୍ମୀର, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ନୂଆଦିଲ୍ଲୀ ସମେତ ଅନେକ ରାଜ୍ୟରେ ସକ୍ରିୟ ଏକ ଆତଙ୍କୀ ନେଟଓ୍ବର୍କର ପର୍ଦ୍ଦାଫାଶ କରିଛି।

ଆତଙ୍କବାଦୀଙ୍କ ଠାରୁ ପଚରାଉଚରା ପରେ ୨୪ ଜଣକୁ ଗିରଫ

ଗିରଫ ଆତଙ୍କବାଦୀଙ୍କ ଦ୍ବାରା ଦିଆଯାଇଥିବା ସୂଚନା ଆଧାରରେ ପ୍ରାୟ ୨୪ ଜଣକୁ ପଚରାଉଚରା ପରେ ହେପାଜତକୁ ନିଆଯାଇଛି। ଏଥିରୁ ପୋଲିସ ୫ ଜଣକୁ ଔପଚାରିକ ଭାବରେ ଗିରଫ କରାଯାଇଛି। ଯେଉଁଥିରେ ଦୁଇ ବିଦେଶୀ ଆତଙ୍କବାଦୀ- ଅବୁ ହୁରେରା ଏବଂ ଅବୁ ଉସ୍ମାନ ଏବଂ ତିନି ସ୍ଥାନୀୟ ନାଗରିକ, ନକିବ ଭଟ, ଗୁଲାମ ମୋହମ୍ମଦ ମୀର ଏବଂ ଆଦିଲ ରାଶିଦ ଭଟ ସାମିଲ ଅଛନ୍ତି।

ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଶ୍ରୀନଗରର ବାହାର ଅଞ୍ଚଳ ଜକୁରା କ୍ଷେତ୍ରର ନିବାସୀ। ଅଭିଯୋଗ ରହିଛି ଗିରଫ ଅଭିଯୁକ୍ତମାନେ ଆତଙ୍କବାଦୀଙ୍କୁ ଆଶ୍ରୟ, ଭୋଜନ ଏବଂ ନକଲି କାଗଜପତ୍ର ସହ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ। ଅଧିକାରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯାଞ୍ଚ ସମୟରେ ପଚରାଉଚରା ପାଇଁ ହେପାଜତରେ ନିଆଯାଇଥିବା ଲୋକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିଲେ।

ଜାରି ରହିଛି ଅଧିକ ତଦନ୍ତ

ପୋଲିସ ସୂତ୍ର ଅନୁଯାୟୀ, ନେଟୱାର୍କ ସହିତ ଜଡିତ ଜଣେ ବିଦେଶୀ ଆତଙ୍କବାଦୀ ଏପର୍ଯ୍ୟନ୍ତ ଫେରାର୍ ଅଛି, ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକ ତାକୁ ଖୋଜିବା ଏବଂ ଗିରଫ କରିବା ପାଇଁ ଖୋଜ ଆରମ୍ଭ କରିଛନ୍ତି। ସୁରକ୍ଷା ବାହିନୀ ଅପରେସନ ସମୟରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ଯେଉଁଥିରେ ଚାରୋଟି AK-47 ରାଇଫଲ୍ ଏବଂ ତିନୋଟି ପିସ୍ତଲ ରହିଛି।

୧୯ଟି ସ୍ଥାନରେ ହୋଇଥିଲା ସର୍ଚ୍ଚ 

ଏହା ସହିତ, ଜମ୍ମୁ- କାଶ୍ମୀର, ରାଜସ୍ଥାନ ଏବଂ ହରିୟାଣା ଭଳି ଅନ୍ୟ ରାଜ୍ୟର ୧୯ଟି ସ୍ଥାନରେ ସର୍ଚ୍ଚ କରାଯାଇଥିଲା। ଫଳରେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଅପରାଧିକ ସାମଗ୍ରୀ ଜବତ କରାଯାଇଥିଲା। ତଲାସୀ ସମୟରେ ମଡ୍ୟୁଲର ଦୀର୍ଘଦିନର ଷଡ଼ଯନ୍ତ୍ର ବିଷୟରେ ଜଣାପଡ଼ିଥିଲା।

ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ବ୍ୟତୀତ, ବିଦେଶୀ ଆତଙ୍କବାଦୀମାନେ ଭାରତ ଏବଂ ବିଦେଶରେ ଭ୍ରମଣ କରିବା ପାଇଁ ବ୍ୟବହାର କରିଥିବା ନକଲି ପରିଚୟପତ୍ର ଏବଂ କାଗଜପତ୍ର ଜବତ କରାଯାଇଥିଲା। ପାକିସ୍ତାନ ଏବଂ ବାଂଲାଦେଶରେ ଥିବା ହ୍ୟାଣ୍ଡଲରମାନଙ୍କ ସହ ଯୋଗାଯୋଗର ପ୍ରମାଣ ଥିବା ଅନେକ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ସିମ୍ କାର୍ଡ ଏବଂ ଡିଜିଟାଲ୍ ଇଣ୍ଟରସେପ୍ଟରୁ ବିଦେଶୀ ନେଟୱର୍କ ଜଣାପଡ଼ିଥିଲା। ଏହା ସହ ୧୬ ବର୍ଷ ଧରି ଏହି ଗ୍ୟାଙ୍ଗକୁ ଆସୁଥିବା ପାଣ୍ଠି ବିଷୟରେ ମଧ୍ୟ ଜଣାପଡ଼ିଛି। କର୍ତ୍ତୃପକ୍ଷମାନେ ଏହି ଦୁହିଁଙ୍କ ଗିରଫଦାରୀକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବରେ ବର୍ଣ୍ଣନା କରିଛନ୍ତି।