ତିରୁପତି: ପତ୍ନୀ ଓ ମାଆଙ୍କ ବେକକୁ କପଡ଼ାରେ ଗୁଡ଼ାଇ ହତ୍ୟା କଲେ। ଏହା ପରେ ନିଜେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କଲେ। ଖାଲି ସେତିକି ନୁହେଁ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ବଞ୍ଚାଇବାକୁ ଉଦ୍ୟମ କରିଥିବା ଦୁଇ ସନ୍ତାନଙ୍କ ମଧ୍ୟ ଟ୍ରେନ ଧକ୍କାରେ ଜୀବନ ଯାଇଛି। ମାତ୍ର କିଛି ଘଣ୍ଟାରେ ଗୋଟିଏ ପରିବାର ପାଞ୍ଚ ଜଣକ ମୃତ୍ୟୁ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ଘଟଣା ଘଟିଛି ଆନ୍ଧ୍ରପ୍ରଦେଶ ତିରୁପତି ଜିଲ୍ଲାର ନାରାୟଣବନମ ମଣ୍ଡଳ ଭେଙ୍କଟକୃଷ୍ଣ ପାଲେମ ପଞ୍ଚାୟତରେ।

ରିପୋର୍ଟ ଅନୁସାରେ, ଭେଙ୍କଟକୃଷ୍ଣ ପାଲେମର ଚକାଲି ବିଧିର ମୋହନ ବୁଧବାର ନିଜ ସ୍ତ୍ରୀ ଏବଂ ମାଆଙ୍କ ବେକରେ କପଡ଼ା ବାନ୍ଧି ତଣ୍ଟି ଚିପି ହତ୍ୟା କରିଥିଲେ। ମୋହନଙ୍କ ପତ୍ନୀ ହରିତା (୩୩) ଏକ ଟେଲରିଂ ଦୋକାନ ଏବଂ ବିୟୁଟି ପାର୍ଲର ଚଳାଉଥିଲେ। ହେଲେ ତାଙ୍କ ମାଆ ଚନ୍ଦ୍ରକଳା (୬୫) ଜଣେ ଗୃହିଣୀ ଥିଲେ। ହତ୍ୟା କରିବା ପରେ ମୋହନ ତାଙ୍କ ପୁଅ କୌଶିକ (୧୪) ଏବଂ ଝିଅ ହରିଣୀ (୧୨)ଙ୍କୁ ସ୍କୁଲରୁ ନେଇଯାଇଥିଲେ। ଏହି ସମୟରେ ସେ ସ୍କୁଲ କର୍ତ୍ତୃପକ୍ଷକୁ ମିଥ୍ୟା ଖବର ଦେଇଥିଲେ ଯେ, ସେମାନଙ୍କ ଜେଜେବାପାଙ୍କ ମୃତ୍ୟୁ ହୋଇଛି।

ତେବେ ହରିତାଙ୍କ ଭାଇ ବାଳକୃଷ୍ଣ ଘଟଣା ବିଷୟରେ ଜାଣି ପୋଲିସକୁ ଖବର ଦେଇଥିଲେ।ପ୍ରକୃତରେ ମୋହନ ଏବଂ ବାଳକୃଷ୍ଣ ଏକ ସିମେଣ୍ଟ ଦୋକାନରେ କାମ କରନ୍ତି। ଏମିତିରେ ବାଳକୃଷ୍ଣ ମୋହନଙ୍କୁ ଏକ କାମ ଦେଇଥିଲେ। ଆଉ କାମ ସାରି ମୋହନ ନଫେରିବାରୁ ସେ ତାଙ୍କ ଘରକୁ ଯାଇଥିଲେ। ହେଲେ ସେଠାରେ ଦୁଇ ମହିଳାଙ୍କୁ ମୃତ ପାଇଥିଲେ। ଆଉ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ। ମୋହନଙ୍କୁ ଖୋଜିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଟିମ୍ ପୁତ୍ତୁର, ନାଗରୀ ଏବଂ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ।

Also Read: ଦିଲ୍ଲୀରେ ଆଇଆରଏସ ଅଧିକାରୀଙ୍କ ଝିଅକୁ ହତ୍ୟା ମାମଲା: ମୃତଦେହର ଫିଙ୍ଗରପ୍ରିଣ୍ଟରେ ଲକର ଖୋଲିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ

ତଦନ୍ତରୁ ଜଣାପଡ଼ିଛି ଯେ, ପିଲାଙ୍କୁ ସ୍କୁଲରୁ ଆଣିବା ପରେ ମୋହନ ସନ୍ଧ୍ୟା ପ୍ରାୟ ୭ ଟା ୧୫ ବେଳେ ଭେପାଗୁଣ୍ଟା ରେଳ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଚିତ୍ତୁର ଏବଂ ତିରୁପତି ବୁଲିଥିଲେ। ତାଙ୍କ ମୋଟରସାଇକେଲ ପାର୍କିଂ କରିବା ପରେ ସେ ପିଲାମାନଙ୍କୁ ରେଳ ଟ୍ରାକକୁ ନେଇଗଲେ। ସେଠାରେ ଟ୍ରେନ୍‌ ଆସିବା ଦେଖି ସଙ୍ଗେ ସଙ୍ଗେ ଟ୍ରାକ ଉପରେ ମୁଣ୍ଡ ରଖି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଅବଶ୍ୟ ଏହି ସମୟରେ ପିଲା ଦୁହେଁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଟ୍ରେନରେ ସମସ୍ତଙ୍କ ଜୀବନ ଯାଇଥିଲେ। ତେବେ ଏଗମୋର-କାଚେଗୁଡ଼ା ଏକ୍ସପ୍ରେସ୍ ଡ୍ରାଇଭର ଘଟଣା ବିଷୟରେ ପୁତ୍ତୁର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ। 

ତେବେ ମୋହନଙ୍କ ଏଭଳି କରିବା ପଛରେ ଉଦ୍ଦେଶ୍ୟ ଅସ୍ପଷ୍ଟ ରହିଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସେ କୌଣସି ଆର୍ଥିକ ଅସୁବିଧାରେ ମଧ୍ୟ ନଥିଲେ। ନାରାୟଣବନମ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ସେହିଭଳି ରେଳବାଇ ପୋଲିସ ମଧ୍ୟ ଏକ ପୃଥକ ମାମଲା ରୁଜୁ କରିଛି।