ରାଉରକେଲା ୩୦।୯: ୭ ମାସ ହେଲା ସୁନ୍ଦରଗଡ଼ ବୀରମିତ୍ରପୁରର ଜଣେ ଯୁବତୀ ନିଖୋଜ । ପରିବାର ଲୋକେ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନାହିଁ । ଝିଅ ଏବେ କେଉଁ ପରିସ୍ଥିତିରେ ଅଛନ୍ତି ଏହାକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ଝିଅର ବାପା ମା' । ଝିଅ ବାହାଘର ଛଅ ଦିନ ଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲା । ୭ ମାସ ବିତିଯାଇଥିଲେ ମଧ୍ୟ ପୋଲିସ ମଧ୍ୟ ପୋଲିସ ଚୁପ୍ ବସିଥିବା ଅଭିଯୋଗ ହୋଇଛି । ଏବେ ସେମାନଙ୍କ ଝିଅ ଜୀବତି ନା ମୃତ ତାକୁ ନେଇ ଆଶଙ୍କାରେ ଅଛନ୍ତି ପରିବାର ।

୭ ମାସ ହେଲାଣି ଝିଅ ନିଖୋଜ । ଝିଅ ଜୀବତି ଅଛି କି ମୃତ ତାକୁ ନେଇ ଆଶଙ୍କାରେ ପରିବାର ଲୋକେ । ଥାନା ବାବୁଙ୍କ ଠାରୁ ଆରମ୍ଭ କରି ଏସ୍ ପିଙ୍କ ସମେତ ସମସ୍ତଙ୍କୁ ଗୁହାରି କଲେ ମଧ୍ୟ କେହି ସେମାନଙ୍କ କଥାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ । ଏପରି ଅଭିଯୋଗ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଏହି ଦମ୍ପତି । ଗୋଟିଏ ବୋଲି ଝିଅର ବାହାଘର ପାଇଁ ବାପା ମାଆ ସାରିଥିଲେ ସବୁ ପ୍ରସ୍ତୁତି। ହେଲେ ବିବାହର ୬ ଦିନ ପୂର୍ବରୁ ତାଙ୍କ ଝିଅ ଅନ୍ୟ ଜଣେ ପୁଅ ସହିତ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ଝିଅକୁ ବିହାରର ପାଟନା ଅଞ୍ଚଳରୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ଝିଅର ବାହାଘର ଭାଙ୍ଗିଯାଇଥିଲା। ତେବେ ଏହାର କିଛି ଦିନ ପରେ ଫେବ୍ରୁଆରୀ ୧୫ରେ ସେମାନଙ୍କ ଝିଅକୁ ପୁଣି ଅପହରଣ କରିନିଆଯାଇଥିବା ଯୁବତୀଙ୍କ ବାପା ମାଆ ଅଭିଯୋଗ କରିଛନ୍ତି।

​​​​​​​

Also Read:- ତ୍ରିକୋଣୀୟ ପ୍ରେମ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ, CCTV ଫୁଟେଜ୍ରୁ ଚିହ୍ନଟ ୨ ଅଭିଯୁକ୍ତ ଗିରଫ

​​​​​​​ସେପଟେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କହିଛନ୍ତି ଯେ ପୋଲିସ ତା କାମରେ ଲାଗିଛି। ଝିଅକୁ ଉଦ୍ଧାର କରାଯିବା ପରେ ସାବାଳିକା ଥିବାରୁ ତାଙ୍କର ୧୬୪ ବୟାନ ରେକର୍ଡ କରାଯିବା। ହେଲେ ନିଖୋଜ ଝିଅର ବାପା ମାଆଙ୍କ ପ୍ରଶ୍ନ କେବେ ସେମାନେ ଫେରିପାଇବେ ସେମାନଙ୍କ ଝିଅକୁ। ସେମାନଙ୍କ ନିଖୋଜ ଝିଅ କେବେ ଫେରିଆସିବ ତାକୁ ଅପେକ୍ଷା କରି ବାପା ମାଆଙ୍କ ଆଖିରୁ ଲୁହ ଶୁଖୁନି ।