ତେଲ୍ ଅଭିଭ୍: ୟୁଏଇର ଦୁବାଇରୁ ଇସ୍ରାଏଲ୍ ଆସୁଥିବା ଏକ ବିମାନକୁ କଥିତ ଭାବେ ହାଇଜାକ୍ ଏବଂ କ୍ରାସ୍ କରିବାକୁ ଚେଷ୍ଟା କରାଯିବା ପରେ ସାଉଦି ଆରବରେ ଅବତରଣ କରାଯାଇଛି । ବୁଧବାର ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ହେଉଛି ବିମାନର କୋ-ପାଇଲଟ୍ । ପାଇଲଟ୍‌ଙ୍କୁ ଆକ୍ରମଣ କରି ବିମାନକୁ କ୍ରାସ୍ କରିବାକୁ ଚେଷ୍ଟା କରିଥିଲା ଅଭିଯୁକ୍ତ । ତେବେ ପାଇଲଟ୍, ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ ଅଭିଯୁକ୍ତକୁ ଆୟତ୍ତ କରି ବିମାନର ସୁରକ୍ଷିତ ଲ୍ୟାଣ୍ଡିଂ କରାଇବାରେ ସଫଳ ହୋଇଛନ୍ତି । ସନ୍ଦିଗ୍ଧ ଅଭିଯୁକ୍ତ ଓମାନର ନାଗରିକ ବୋଲି ଜଣାପଡ଼ିଛି ।

ଇସ୍ରାଏଲୀ ଗଣମାଧ୍ୟମ ଦେଶର ସୁରକ୍ଷା ଅଧିକାରୀଙ୍କ ବୟାନକୁ ନେଇ କହିଛି ଯେ ଇସ୍ରାଏଲ୍ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ମାନିଛି । ଆଇଡିଏଫ୍, ଶିନ୍ ବେଟ୍ ଏବଂ ମୋସାଦ୍ ଅଧିକାରୀମାନେ ପରିସ୍ଥିତିର ସମୀକ୍ଷା କରିବା ପରେ ସ୍ପଷ୍ଟ କରିଛନ୍ତି ଯେ ଫ୍ଲାଇଦୁବାଇ ବିମାନରେ ଘଟିଥିବା ଘଟଣା ଏକ ଆତଙ୍କବାଦୀ ଆକ୍ରମଣ ଥିଲା ।

'ବିମାନର ଲ୍ୟାଣ୍ଡିଂ ଏକ ଚମତ୍କାର'

ଇସ୍ରାଏଲୀ ଗଣମାଧ୍ୟମ ଅନୁଯାୟୀ, ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଟ୍‌ରେ ଆକ୍ରମଣ କରି ଯେଉଁ କୋ-ପାଇଲଟ୍ ବିମାନକୁ ଖସାଇ ଦେବାକୁ ଚେଷ୍ଟା କରିଥିଲା, ସେ ଓମାନର ନାଗରିକ । ବିମାନରେ ଉପସ୍ଥିତ ଥିବା ଅନ୍ୟ ଦୁଇଜଣ ପାଇଲଟ୍ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲ୍ୟାଣ୍ଡର ନାଗରିକ ବୋଲି କୁହାଯାଇଛି । ଏକ ରୁଟିନ୍ ଡ୍ରିଲ୍ ଅଧୀନରେ ଫ୍ଲାଇଟରେ ଜଣେ ଅତିରିକ୍ତ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ । ଏହି କାରଣରୁ ପାଇଲଟଙ୍କୁ ଛୁରି ମାଡ଼ କରାଯିବା ପରେ ବି ବିମାନକୁ ନିୟନ୍ତ୍ରଣରେ ରଖାଯାଇପାରିଥିଲା । ଅତିରିକ୍ତ କ୍ରୁ ନଥିଲେ ଏକ ବଡ଼ ଅଘଟଣ ନିଶ୍ଚୟ ଘଟିଥାନ୍ତା ।

"୨୬/୧୧ ପରି ଘଟଣା ଘଟିଥାନ୍ତା"

ଇସ୍ରାଏଲୀ ସୁରକ୍ଷା ଅଧିକାରୀମାନେ ବିମାନର ସୁରକ୍ଷିତ ଲ୍ୟାଣ୍ଡିଂକୁ ଏକ ଚମତ୍କାର ବୋଲି କହିଛନ୍ତି । ଚାନେଲ୍ ୧୨ର ରିପୋର୍ଟ ଅନୁଯାୟୀ, ବିମାନରେ ସାଧାରଣ ପୋଷାକରେ ପାଇଲଟମାନଙ୍କର ଅନ୍ୟ ଏକ ଟିମ୍ ଉପସ୍ଥିତ ଥିଲେ । ଇସ୍ରାଏଲ୍ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯଦି ସେହି ପାଇଲଟମାନେ ବିମାନରେ ନଥାନ୍ତେ, ତେବେ ଏହି ଘଟଣା ୧୧ ସେପ୍ଟେମ୍ବର ୨୦୦୧ ଆକ୍ରମଣ କିମ୍ବା ୧୯୭୬ର ଏଣ୍ଟେବେ ବନ୍ଧକ ଘଟଣା ପରି ହୋଇଥାନ୍ତା । ସେ ସଙ୍କେତ ଦେଇଛନ୍ତି ଯେ ହୁଏତ ଯାତ୍ରୀମାନଙ୍କୁ ପଣବନ୍ଦୀ କରାଯାଇଥାନ୍ତି କିମ୍ବା ଇସ୍ରାଏଲର କୌଣସି କୋଠା ସହ ଏହାକୁ କ୍ରାସ କରି ଦିଆଯାଇଥାନ୍ତା ।

Also Read: ମଝି ଆକାଶରେ ବଡ଼ ଅଘଟଣ, ଦୁବାଇର ବିମାନ ହାଇଜ୍ୟାକ ? ଇସ୍ରାଏଲରେ ଖେଳିଗଲା ଚାଞ୍ଚଲ୍ୟ

କଣ ଘଟିଥିଲା ?

ଫ୍ଲାଇଦୁବାଇର ବିମାନ FZ 1073 ବୁଧବାର ୟୁଏଇରୁ ଇସ୍ରାଏଲ୍ ଯାଉଥିଲା । ସେଥିରେ ପ୍ରାୟ ୧୮୦ ଜଣ ଇସ୍ରାଏଲୀ ଯାତ୍ରୀ ଥିଲେ । ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଏଥିରୁ ଏକ ଜରୁରୀକାଳୀନ ସଙ୍କେତ ମିଳିଥିଲା । ଏହି ଏମର୍ଜେନ୍ସି ସଂକେତ ହାଇଜାକ୍ ସମୟରେ ଦିଆଯାଇଥାଏ । ବିମାନରୁ ସଙ୍କେତ ମିଳିବା ପରେ ଇସ୍ରାଏଲରେ ଚହଳ ପଡ଼ିଯାଇଥିଲା ଏବଂ ଫାଇଟର୍ ଜେଟ୍ଗୁଡ଼ିକୁ ଆଲର୍ଟ କରିଦିଆଯାଇଥିଲା । ଏହାର କିଛି ସମୟ ପରେ ଏହି ଫ୍ଲାଇଟ୍ ସାଉଦି ଆରବର ତବୁକ୍ ଏୟାରପୋର୍ଟରେ ସୁରକ୍ଷିତ ଓହ୍ଲାଇଥିବା କଥା ସାମ୍ନାକୁ ଆସିଥିଲା ।