ନୂଆଦିଲ୍ଲୀ: ଏକ ଫୁଲ୍ ଦୋ ମାଲି ନାମରେ ଏକ ବଲିଉଡ୍ ସିନେମା ବିଷୟରେ ଶୁଣିଥିବେ । ଗୋଟିଏ ଝିଅକୁ ଏକାଧିକ ଯୁବକ ଏକତରଫା ଭଲ ପାଇବା ବି ଶୁଣିଥାଇପାରନ୍ତି । କିନ୍ତୁ ଗୋଟିଏ ଝିଅକୁ ବାହା ହେବାକୁ ଦୁଇ ଜଣ ଯୁବକ ବରାତି ଧରି ଆସିବାମାନେ ବର ବେଶରେ ବରଯାତ୍ରୀ ଧରି ଆସିବା ଶୁଣିଛନ୍ତି କି କେବେ ? ନା ଏପରି ଶୁଣିନଥିବେ ନିଶ୍ଚୟ । କିନ୍ତୁ ଘଟିଛି ଏପରି ଘଟଣା । ଉତ୍ତର ପ୍ରଦେଶର ଆମରୋହା ଜିଲ୍ଲାରେ ଏକ ବିବାହ ମଣ୍ଡପରେ ଗତ ସପ୍ତାହରେ ଘଟିଥିବା ଏପରି କିଛି ଦୃଶ୍ୟ ଏକ ନାଟକୀୟ ସ୍ଥିତି ସୃଷ୍ଟି କରିଥିଲା । ମଣ୍ଡପ ଗୋଟିଏ , ସେଠାରେ କନିଆ ବି ଗୋଟିଏ କିନ୍ତୁ ବାହା ହେବାକୁ ଗୋଟିଏ ସମୟରେ ପହଞ୍ଚିଲା ଦୁଇଟି ବର ପାତ୍ରଙ୍କ ରୋଷଣୀ । ଅଲଗା ଅଲଗା ପ୍ରସେସନ କରି ଆସିଥିଲେ ଦୁଇ ବରପାତ୍ର ଏବଂ ସେମାନଙ୍କ ବରଯାତ୍ରୀ ଦଳ । ଏପରି ସ୍ଥିତିରେ ଉତ୍ତେଜନା ଥିଲା ସ୍ବାଭାବିକ, ତେବେ ପୋଲିସର ତୁରନ୍ତ ହସ୍ତକ୍ଷେପ ବଡ ଅଘଟଣକୁ ଏଡାଇଦେଲା ।

ଆମରୋହାର ଏକ ବିବାହ ମଣ୍ଡପରେ ଏକ କନ୍ୟା ପକ୍ଷ ପୂର୍ଣ୍ଣ ପ୍ରସ୍ତୁତି ସହ ବର ଏବଂ ବରଯାତ୍ରୀଙ୍କୁ ଅପେକ୍ଷା କରି ଥାଆନ୍ତି । ସମ୍ଭଲ ଜିଲ୍ଲାରୁ ବର ଆସିବାର ଥାଏ ଏବଂ ସମୟ ବି ହୋଇଯାଇଥାଏ । କିନ୍ତୁ ସେତେବେଳେ ସମସ୍ୟା ହେଲା , ଯେତେବେଳେ ପୁରା ଧୂମ୍‌ଧାମ୍‌ରେ ଆସିଥିବା ଆଉ ଏକ ବରଯାତ୍ରୀ ଦଳ ବିବାହ ମଣ୍ଡପ ନିକଟରେ ରୋଷଣୀ କରି ପହଞ୍ଚିଗଲେ । ସେହି ବର ପଡୋଶୀ ମୋରାଦାବାଦ ଜିଲ୍ଲାରୁ ଆସିଥିଲେ ବି, ସେମାନେ ମଧ୍ୟ ସେହି କନ୍ୟାକୁ ବିବାହ କରିବାକୁ ଆସିଥିବା ଦାବି କଲେ । ଫଳରେ କନ୍ୟାପକ୍ଷ ବଡ ଦ୍ବନ୍ଦରେ ପଡିଗଲେ । କାରଣ ସେତେବେଳକୁ ସମ୍ଭଲ ଜିଲ୍ଲାରୁ ଆସିଥିବା ବର ଏବଂ ବରଯାତ୍ରୀ ମଧ୍ୟ ବିବାହ ମଣ୍ଡପରେ ପହଞ୍ଚିସାରିଥିଲେ । ଉଭୟ ବର ପ୍ରକୃତ ବର ପକ୍ଷ ବୋଲି ଦାବି ମଧ୍ୟ ରଖିଥିଲେ । କିନ୍ତୁ କିଏ ପ୍ରକୃତ ବର , ତାହା ହିଁ ଥିଲା ବିବାଦର କାରଣ । ଡବଲ ବରାତ ବିବାଦ ଧିରେ ଧିରେ ବଢିଲା ଏବଂ ଉଭୟ ପକ୍ଷ ବରାତଙ୍କ ମଧ୍ୟରେ ଯୁକ୍ତି ତର୍କରୁ ବିବାଦ ବଢିଲା । ଏପଟେ ଦ୍ବନ୍ଦରେ ପଡିଥିବା କନ୍ୟା ପକ୍ଷ କିଛି ଅଘଟଣ ଆଶଙ୍କାରେ ପୋଲିସକୁ ଖବର ଦେଇଦେଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

Also Read: Indore Murder Case: ପୁଣି ଜୀବନ୍ତ ହୋଇ ଉଠିଲା ରାଜାଙ୍କ କାହାଣୀ, ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

କାହିଁକି ଏପରି ହେଲା ?

ପୋଲିସ ଟିମ୍ ମଣ୍ଡପ ନିକଟରେ ପହଞ୍ଚି ଦେଖିଲେ , ଦୁଇଟି ସୁସଜ୍ଜିତ କାରରେ ଦୁଇ ଜଣ ବର ଆଉ ସେମାନଙ୍କ ସହ ବରଯାତ୍ରୀ । କିପରି ଜଣେ ଝିଅ ଲାଗି ସେମାନେ ଆସିଲେ, ତାହା ଥିଲା ପ୍ରଶ୍ନ । ଅନୁସନ୍ଧାନରୁ ଜଣାପଡ଼ିଲା , ଝିଅଟିର ବାହାଘର ପ୍ରଥମେ ମୋରାଦାବାଦ ଜିଲ୍ଲାରେ ସ୍ଥିର ହୋଇଥିଲା । ବିବାହ ତାରିଖ ଏବଂ ସବୁ କିଛି ଧାର୍ଯ୍ୟ ହୋଇ ଏନଗେଜମେଣ୍ଟ ସରିଥିଲା । କିନ୍ତୁ ଏହା ଭିତରେ କିଛି ବିବାଦ ହେବାରୁ ଝିଅ ପକ୍ଷ ଏନଗେଜମେଣ୍ଟ କୁ ବାତିଲ କରିଦେଇଥିଲେ । କିନ୍ତୁ ପୁଅ ପକ୍ଷ ବାହାଘର ହେବ ବୋଲି ଧରି ନେଇଥିଲେ ଏବଂ ପ୍ରସ୍ତୁତି ମଧ୍ୟ କରିଥିଲେ । ଯେହେତୁ ତାରିଖ ଧାର୍ଯ୍ୟ ସହ ବିବାହ କାର୍ଡ ବି ଛପା ସରିଥିଲା ତେଣୁ ମୋରାଦାବାଦର ପୁଅ ପକ୍ଷ ବାହାଘର ନେଇ ନିଶ୍ଚିତ ଥିଲେ । ଏପଟେ ଝିଅ ପକ୍ଷ ଚୁପ୍ ଚାର ସମ୍ଭଲ ଜିଲ୍ଲାରେ ଆଉ ଏକ ବରପାତ୍ର ଠିକ୍ କରିଦେଇଥିଲେ । ସେହି ତାରିଖରେ ସମାନ ସ୍ଥାନରେ ନିକାହା ଲାଗି ସବୁ ଧାର୍ଯ୍ୟ କରିଦେଇଥିଲେ । ତେଣୁ ସେହି ସମୟରେ ଦୁଇ ବରାତ ସେଠାରେ ପହଞ୍ଚିଗଲେ ।

କାହାକୁ ବାହା ହେଲା ଝିଅଟି ?

ପୋଲିସ ଅଧିକାରୀ ସବୁ ଶୁଣିଲା ପରେ କନ୍ୟା ପକ୍ଷ ସହ ଦୁଇ ବର ପକ୍ଷଙ୍କ ଉପରେ ନିଷ୍ପତ୍ତି ଛାଡିଦେଇଥିଲେ । କନ୍ୟା ପକ୍ଷ କିନ୍ତୁ ସମ୍ଭଲର ବର ପକ୍ଷ ସହ ଝିଅକୁ ବିବାହ ଦେବାକୁ ନିଷ୍ପତ୍ତି ଶୁଣାଇଦେଲେ । ତାପରେ ମୋରାଦାବାଦରୁ ଆସିଥିବା ବରାତି ଚୁପ୍ ଚାପ୍ ଫେରିଯାଇଥିଲେ । ତିନି ପକ୍ଷ ମଧ୍ୟରେ ବୁଝାମଣା ପରେ ପୋଲିସରେ କେହି ଅଭିଯୋଗ ଦେଇନଥିବା ଜଣା ଯାଇଛି ।

Also Read: TCS Nashik BPO case: ଫେରାର ଅଭିଯୁକ୍ତ ନିଦା ଖାନ୍ ଗର୍ଭବତୀ ! ଅନ୍ତରୀଣ ଜାମିନ ପାଇଁ କୋର୍ଟରେ ଆବେଦନ