ନୂଆଦିଲ୍ଲୀ: ଆଗାମୀ ବର୍ଷରୁ ଜାତୀୟ ରାଜମାର୍ଗ (ଏନଏଚ)ରେ ଆପଣଙ୍କୁ ଅବାଧ ଯାତ୍ରା ସୁବିଧା ମିଳିବ। କେନ୍ଦ୍ର ସରକାର ଦେଶରେ ଏକ ବ୍ୟାରିୟର-ଫ୍ରି ଓ ସମ୍ପୂର୍ଣ୍ଣ ଡିଜିଟାଲ ଟୋଲ ପ୍ରଣାଳୀ ଲାଗୁ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ନୂଆ ପ୍ରଣାଳୀ ଫେବୃଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଲାଗୁ ହେବ। ଏଥିରେ ବାହନଙ୍କୁ ଟୋଲ ଟ୍ୟାକ୍ସ ପୈଠ କରିବାକୁ ରାସ୍ତାରେ ଟୋଲ ପଏଣ୍ଟରେ ଅଟକିବାକୁ ପଡିବନି। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରି ଏହି ସୂଚନା ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଏଆଇ ଓ ଫ୍ରି-ଫ୍ଲୋ ଟୋଲିଂ ସିଷ୍ଟମ ମାଧ୍ୟମରେ ଭାରତ ଟୋଲ ପ୍ଲାଜାରେ ଅଟକିବାର ପ୍ରକ୍ରିୟାକୁ ସମାପ୍ତ କରିବାକୁ ଯାଉଛି। ଭବିଷ୍ୟତର ଏନଏଚ୍ ସ୍ମାର୍ଟ, ସୁଗମ ଓ କ୍ୟାସଲେସ୍ ହେବ। ନୂଆ ସିଷ୍ଟମରେ ବାହନ ନମ୍ବର ପ୍ଲେଟକୁ ଫାସଟ୍ୟାଗ୍ ସହ ଯୋଡାଯିବ। ଫାସଟ୍ୟାଗ୍ ଉପଯୋଗ ଯୋଗୁ ଟୋଲ ପ୍ଲାଜାରେ ଅଟକିବା ସମୟ ୮୦-୯୦% ହ୍ରାସ ହୋଇଛି। ପୂର୍ବରୁ ଏଥି ପାଇଁ ୧୨ରୁ ୩୦ ମିନିଟ୍ ସମୟ ଲାଗୁଥିଲା। ଗ୍ଲୋବାଲ ଫିନଟେକ୍ ଫେଷ୍ଟ ୨୦୨୬ରେ ଗଡ଼କରି କହିଛନ୍ତି ଯେ ଆଗାମୀ ପର୍ଯ୍ୟାୟରେ ଟୋଲ ପ୍ଲାଜାରେ ଆଦୌ ସମୟ ଲାଗିବନି। ଏହା ସହିତ ଟୋଲରୁ ବାର୍ଷିକ ଆୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ବୃଦ୍ଧି ହେବ ବୋଲି ଆଶା କରାଯାଉଛି।

ପ୍ରସ୍ତାବିତ ଟୋଲିଂ ସିଷ୍ଟମରେ ଟୋଲ ପ୍ଲାଜାରେ ବାହନକୁ ଚିହ୍ନଟ କରିବା ଓ ଟ୍ରାକିଂ କରିବା ଲାଗି ଫାସଟ୍ୟାଗ୍ ଏବଂ ବାହ ନମ୍ବର ପ୍ଲେଟ୍ ଉଭୟର ସୂଚନା ଏକତ୍ର କରିବ। ମନ୍ତ୍ରୀ କହିଛନ୍ତି ଯେ ଏହା ଦ୍ୱାରା ଟୋଲ ସଂଗ୍ରହରେ ବୃଦ୍ଧି ହେବ । କାରଣ ବାହନ ଟୋଲ ଟ୍ୟାକ୍ସ ପୈଠ କରିବାକୁ ଅଟକିବା ବଦଳେ ସିଧା ବାହାରି ଯିବେ। ଗଡ଼କରୀ କହିଛନ୍ତି ଯେ ସରକାର ଏନଏଚ ରେ ଟୋଲ ଟ୍ୟାକ୍ସ ପୈଠ କୁ ସହଜ, ପାରଦର୍ଶି ଓ ସକ୍ଷମ କରିବା ପାଇଁ ବ୍ୟାରିୟର-ଫ୍ରି ଟୋଲିଂ ସିଷ୍ଟମ ଆପଣେଇବାକୁ ଯାଉଛନ୍ତି। ଫାସଟ୍ୟାଗକୁ ୨୦୧୪ ମସିହାରେ ପାଇଲଟ ପ୍ରୋଜେକ୍ଟ ରୂପେ ଆରମ୍ଭ କରାଯାଇଥିଲା। ୨୦୧୬ରେ ଏହା ଅଧିକାରୀକ ଲଞ୍ଚ ହୋଇଥିଲା। ୨୦୨୧ରେ ଏହି ବ୍ୟବସ୍ଥାକୁ ଅନିବାର୍ଯ୍ୟ କରାଯାଇଥିଲା।