• କାରବାର ବନ୍ଦ ହେବା ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା
  • ୩୧ ମାର୍ଚ୍ଚ ୨୦୨୬ରେ କାରବାର ବନ୍ଦ ସୁଦ୍ଧା ବଜାରରେ ବଜାରରେ ମାତ୍ର ୫,୫୦୧ କୋଟି ଟଙ୍କା ବଳକା ରହିଛି
  • ତୁରନ୍ତ ନଗଦ ଆବଶ୍ୟକତା ପୂରଣ କରିବାକୁ ନଭେମ୍ବର ୨୦୧୬ରେ ୨ ହଜାର ଟଙ୍କା ନୋଟ୍ ର ପ୍ରଚଳନ ଆରମ୍ଭ ହୋଇଥିଲା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପ୍ରଚଳନରେ ଥିବା ୨ ହଜାର ଟଙ୍କା ନୋଟ୍ ର ୯୮.୪୫% ଫେରି ଆସିଥିବା ବୁଧବାର ଦାବି କରିଛି। କେନ୍ଦ୍ରୀୟ ବ୍ୟାଙ୍କ ୧୯ ମେ ୨୦୨୩ରେ ପ୍ରଚଳନରେ ଥିବା ୨ହଜାର ଟଙ୍କା ନୋଟ୍ ଫେରାଇ ନେବାକୁ ଘୋଷଣା କରିଥିଲେ। ଆରବିଆଇଙ୍କ ସୂଚନା ଅନୁସାରେ ୧୯ ମେ ୨୦୨୩ରେ ୨ହଜାର ଟଙ୍କାର କାରବାର ବନ୍ଦ ହେବା ସମୟରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ତେବେ ୩୧ ମାର୍ଚ୍ଚ ୨୦୨୬ରେ କାରବାର ବନ୍ଦ ସୁଦ୍ଧା ବଜାରରେ ବଜାରରେ ମାତ୍ର ୫,୫୦୧ କୋଟି ଟଙ୍କା ବଳକା ରହିଛି। ଏଥିରୁ ପ୍ରଚଳନରୁ ବାହାର ହୋଇଥିବା ୯୮.୪୫% ନୋଟେ ଫେରସ୍ତ ଆସି ସାରିଛି ବୋଲି ଆରବିଆଇ କହିଛନ୍ତି।

ଆରବିଆଇଙ୍କ ଅନୁସାରେ ୨ ହଜାର ଟଙ୍କା ନୋଟକୁ ବଦଳାଇବାକୁ ଏବେବି ସୁବିଧା ଉପଲବ୍ଧ ଅଛି। ବ୍ୟାଙ୍କର ୧୯ ନିର୍ଗମ କାର୍ଯ୍ୟାଳୟରେ ଏହି ନୋଟ ଦେଇ ପ୍ରଚଳନରେ ଥିବା ଅନ୍ୟ ନୋଟ୍ କୁ ରୂାପନ୍ତରିତ କରିପାରିବେ। ଏହା ଛଡା ସାଧାରଣ ଲୋକେ ଦେଶର କୌଣସି ପୋଷ୍ଟ ଅଫିସରୁ ‘ଇଣ୍ଡିଆ ପୋଷ୍ଟ’ ମାଧ୍ୟମରେ ୨ ହଜାର ଟଙ୍କା ନୋଟ୍ ଆରବିଆଇ ନିର୍ଗମ କାର୍ଯ୍ୟାଳୟକୁ ପଠାଇ ପାରିବେ। ଏହି ରାଶି ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଆଯିବ। ଆରବିଆଇଙ୍କ ଅନୁସାରେ ୨ ହଜାର ଟଙ୍କା ନୋଟ୍ ଏବେବି ଦେଶରେ ବୈଧ ମୁଦ୍ରା ହୋଇ ରହିଛି।

ଦେଶରେ ୫୦୦ ଓ ୧ ହଜାର ଟଙ୍କା ନୋଟ୍ ବନ୍ଦୀ ପରେ ତୁରନ୍ତ ନଗଦ ଆବଶ୍ୟକତା ପୂରଣ କରିବାକୁ ନଭେମ୍ବର ୨୦୧୬ରେ ୨ ହଜାର ଟଙ୍କା ନୋଟ୍ ର ପ୍ରଚଳନ ଆରମ୍ଭ ହୋଇଥିଲା। ତେବେ ଅନ୍ୟ ମୂଲ୍ୟର ମୁଦ୍ରା ଉପଲବ୍ଧତା ଓ ଅଧିକାଂଶ ୨ ହଜାର ଟଙ୍କା ନୋଟ୍ ର ୪୫ ବର୍ଷର ଅନୁମାନିକ ସମୟ ପୂରା ହେବା ପରେ ଆରିବିଆଇ ତାଙ୍କ ‘କ୍ଲିନ ନୋଟ୍’ ପୋଲିସିରେ ଏହି ମୁଦ୍ରାକୁ ଫେରସ୍ତ ନେବାକୁ ପଦକ୍ଷେପ ନେଇଥିଲେ। ଆରବିଆଇ ଏକ ବୟାନରେ ୨ ହଜାର ଟଙ୍କା ନୋଟ୍ ପ୍ରଚଳନ କରାଯିବାର ଉଦ୍ଦେଶ୍ୟ ସେବେ ପୁରା ହୋଇଯାଇଥିଲା ଯେବେ ଦେଶରେ ଅନ୍ୟ ନୋଟ ବହୁଳ ମାତ୍ରାରେ ଉପଲବ୍ଧ ହେଲା ବୋଲି କହିଛନ୍ତି।

ଦେଶରେ ୨୦୧୮-୧୯ରୁ ୨ହଜାର ଟଙ୍କା ନୋଟ୍ ମୁଦ୍ରଣ ବନ୍ଦ ହୋଇଯାଇଛି। ଆରବିଆଇ କହିଥିଲେ ଯେ ଏହା ଦେଖାଯାଇଛି ଯେ ଏହି ନୋଟ୍ ନେଣଦେଣରେ ବେଶି ଉପଯୋଗ ହେଉ ନଥିଲା। ଏହା ଛଡା ଉପଲବ୍ଧ ଅନ୍ୟ ନୋଟ ଲୋକଙ୍କ ଆବଶ୍ୟକତା ପୁରଣ କରିବାକୁ ଯଥେଷ୍ଟ। ଏହି କଥାକୁ ଧ୍ୟାନରେ ରଖି ଆରବିଆଇ ତାଙ୍କ ‘କ୍ଲିନ ନୋଟ୍’ ପଲିସିରେ ଦେଶରୁ ୨ ହଜାର ଟଙ୍କା ନୋଟ୍ ପ୍ରତ୍ୟାହାର କରି ନେଇଛନ୍ତି।