କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନଙ୍କ ପାଇଁ ଆସିଲା ବଡ ଖୁସି ଖବର । ଶ୍ରମ ବ୍ୟୁରୋ ଦ୍ୱାରା ଜାରି କରାଯାଇଥିବା ଅଖିଳ ଭାରତ ଗ୍ରାହକ ମୂଳସୂଚକାଙ୍କ (AICPI-IW) ର ସଦ୍ୟତମ ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ୬୪ ପ୍ରତିଶତକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି।ସଦ୍ୟତମ ମୁଦ୍ରାସ୍ଫୀତି ଏବଂ ସୂଚକାଙ୍କ ଆଧାରରେ ୧୨ ମାସର ହାରାହାରି ଗଣନା ଅନୁଯାୟୀ ଡି.ଏ. ୬୪.୩୮ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି।ଏହା ପୂର୍ବରୁ କର୍ମଚାରୀମାନେ ୬୦ ପ୍ରତିଶତ ହାରରେ ଡି.ଏ. ପାଉଥିଲେ।

ତେବେ ଦରମାରେ କେତେ ବୃଦ୍ଧି ହେବ?

ଯଦି ଡି.ଏ. ୬୪%କୁ ବୃଦ୍ଧି ପାଏ, ତେବେ ଲେଭେଲ-୧ (ନ୍ୟୁନତମ ମୌଳିକ ଦରମା ₹୧୮,୦୦୦) କର୍ମଚାରୀଙ୍କ ମାସିକ ମହଙ୍ଗା ଭତ୍ତାରେ ପ୍ରାୟ ₹୭୨୦ କିମ୍ବା ତାଠାରୁ ଅଧିକ ବୃଦ୍ଧି ଘଟିବ।ଅନ୍ୟପକ୍ଷରେ, ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ରଞ୍ଜନା ପ୍ରକାଶ ଦେଶାଇଙ୍କ ଅଧ୍ୟକ୍ଷତାରେ ଗଠିତ ୮ମ ବେତନ ଆୟୋଗର ପରାମର୍ଶ ପ୍ରକ୍ରିୟା ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଆୟୋଗ ପକ୍ଷରୁ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଚେନ୍ନାଇ, ପୁଡୁଚେରୀ, ଚଣ୍ଡୀଗଡ଼ ଏବଂ ବେଙ୍ଗାଲୁରୁ ଭଳି ପ୍ରମୁଖ ସହରମାନଙ୍କରେ କର୍ମଚାରୀ ୟୁନିଅନ୍ ଏବଂ ୮ମ ବେତନ ଆୟୋଗ ଅଧୀନରେ ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ଫିଟମେଣ୍ଟ ଫାକ୍ଟରକୁ ନେଇ ଭିନ୍ନ ଭିନ୍ନ ପ୍ରସ୍ତାବ ଦିଆଯାଇଛି। ତେବେ ଏହା କେବଳ ବିଭିନ୍ନ ୟୁନିଅନ ର ଦାବି ଅଟେ l ଆୟୋଗର ଚୂଡ଼ାନ୍ତ ସୁପାରିଶ ଆସିବା ପରେ ହିଁ ସରକାର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।କେନ୍ଦ୍ର ସରକାରଙ୍କ ଏହି ସମ୍ଭାବ୍ୟ ପଦକ୍ଷେପ ଦ୍ୱାରା ଦେଶର କୋଟି କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ଆର୍ଥିକ ଭାବେ ବେଶ୍ ଲାଭବାନ ହେବେ ବୋଲି ଆଶା କରାଯାଉଛି।