ମୁଜାଫରାବାଦ: ଭାରତରେ ମିଶିବାକୁ ପାକ୍ ଅଧିକୃତ କାଶ୍ମୀରର ଲୋକେ ଚାହୁଁଥିବା ବେଳେ ପାକିସ୍ତାନ ସରକାର ସେଠାକାର ଲୋକଙ୍କୁ ଗୁଳି ମାରି, ଲାଠି ଚାର୍ଜ କରି ଜୀବନ ନେଉଛନ୍ତି। ନିକଟରେ ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ପୁଣି ୬ ଜଣ ପିଓକେବାସୀଙ୍କୁ ହତ୍ୟା କରିଛି ପାକିସ୍ତାନ ସେନା।

ଜୁଲାଇ ୧୫ ତାରିଖରେ ମୁଜାଫରାବାଦ ଅଭିମୁଖେ ଏକ ବିଶାଳ ଶୋଭାଯାତ୍ରା କରିବାକୁ ବାହାରିଥିଲେ ପିଓକେବାସୀ। ହେଲେ ତା’ ସୋମବାର ରାୱଲାକୋଟ ବସ୍ ଷ୍ଟାଣ୍ଡ ନିକଟରେ ସମବେତ ହୋଇଥିବା ପ୍ରଦର୍ଶନକାରୀଙ୍କ ଉପରେ ପାକିସ୍ତାନୀ ରେଞ୍ଜର୍ସ ଅତର୍କିତ ଗୁଳିଚାଳନା କରିଛନ୍ତି। ଏଥିରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ବହୁ ସଂଖ୍ୟକ ମହିଳା ଏହି ସ୍ଥାନରେ ଏକାଠି ହୋଇଥିଲେ। ଘଟଣା ପରେ ପାକିସ୍ତାନ ଅଧିକୃତ କାଶ୍ମୀର ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି।

ସୁଧନୋଟି ଅଞ୍ଚଳରେ ମଧ୍ୟ ସୁରକ୍ଷା ବାହିନୀ ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ଯାଇ ଗୁଳିଚାଳନା କରିଥିବା ଖବର ମିଳିଛି। ରାୱଲାକୋଟରେ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପାକିସ୍ତାନୀ ରେଞ୍ଜର୍ସ ପ୍ରଥମେ ଲୁହ ବୁହାଗ୍ୟାସ ପ୍ରୟୋଗ କରିଥିଲେ। ହେଲେ ବିକ୍ଷୋଭକାରୀ ଆଗକୁ ବଢ଼ିବାରୁ ସେମାନେ ସିଧାସଳଖ ଗୁଳିମାଡ଼ କରିଥିଲେ। ଫଳରେ ଆନ୍ଦୋଳନରତ ମହିଳାଙ୍କ ସମେତ ସାଧାରଣ ନାଗରିକ ପ୍ରାଣ ବିକଳରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ଆହତମାନଙ୍କୁ ସାଥୀ ପ୍ରଦର୍ଶନକାରୀମାନେ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

Also Read- ଜାତିସଂଘ ସୁରକ୍ଷା ପରିଷଦରେ ଆସନ ପାଇବାକୁ ଚେଷ୍ଟା କରୁଛି ଭାରତ, ଗୁରୁତ୍ୱପୂର୍ଣ୍ଣ କାହିଁକି ?

କାହିଁକି ଆନ୍ଦୋଳନ କରୁଛି ପିଓକେ?

ପିଓକେର ଜଏଣ୍ଟ ଆୱାମି ଆକ୍ସନ୍ କମିଟି (JAAC) ନେତୃତ୍ୱରେ ଚାଲିଥିବା ଏହି ଆନ୍ଦୋଳନ ବିଦ୍ୟୁତ୍ ଦର ବୃଦ୍ଧି, ଗହମ ମୂଲ୍ୟରେ ଅହେତୁକ ବୃଦ୍ଧି ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବକୁ ନେଇ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ଇସଲାମାବାଦ ବିରୋଧରେ ଏକ ବ୍ୟାପକ ସଂଗ୍ରାମରେ ପରିଣତ ହୋଇଛି। ପ୍ରଦର୍ଶନକାରୀମାନେ ଦଶନ୍ଧି ଧରି ଚାଲିଆସିଥିବା ରାଜନୈତିକ ଭେଦଭାବ, ଅର୍ଥନୈତିକ ଶୋଷଣ ଏବଂ ମୌଳିକ ଅଧିକାରରୁ ବଞ୍ଚିତ ହେବା ବିରୋଧରେ ପ୍ରତିବାଦ କରୁଛନ୍ତି। ଆନ୍ଦୋଳନକାରୀମାନେ ରିହାତି ଦରରେ ବିଦ୍ୟୁତ୍ ଓ ଗହମ, ରୋଜଗାର, ଉନ୍ନତ ପ୍ରଶାସନ ଏବଂ ପ୍ରଶାସନିକ ଦମନ ବନ୍ଦ କରିବା ସହ ୩୮ ଦଫା ଦାବି ନେଇ ଏହି ମୁଜାଫରାବାଦ ଶୋଭାଯାତ୍ରାରେ ବାହାରିଛନ୍ତି।

'PoK ପାକିସ୍ତାନର ଅଂଶ ନୁହେଁ'

ରାୱଲାକୋଟର ଇଦଗାହ ମଇଦାନରେ ଆୟୋଜିତ ଏକ ବିଶାଳ ସଭାରେ ଜାକ୍ ନେତା ସର୍ଦ୍ଦାର ଅମନ ଖାନ୍ ଅଭିଯୋଗ କରିଛନ୍ତି ଯେ ପିଓକେ ପାକିସ୍ତାନର ଅଂଶ ନୁହେଁ। ଇସଲାମାବାଦ ଏହି ଅଞ୍ଚଳକୁ ଶୋଷଣ କରିବା ସହ ଖାଦ୍ୟ ସାମଗ୍ରୀ ଯୋଗାଣ ବନ୍ଦ କରି ଆନ୍ଦୋଳନକୁ ଦୁର୍ବଳ କରିବାକୁ ପ୍ରୟାସ କରୁଥିବା ସେ ଅଭିଯୋଗ ଆଣିଛନ୍ତି।

ସେପଟେ ପାକିସ୍ତାନ ଆନ୍ଦୋଳନକୁ ଦମନ କରିବା ପାଇଁ ପାକିସ୍ତାନ ସରକାର ପିଓକେର ଜଏଣ୍ଟ ଆୱାମି ଆକ୍ସନ୍ କମିଟିକୁ ଆତଙ୍କବାଦୀ ଆଇନ ଆଧାରରେ ନିଷିଦ୍ଧ ଘୋଷଣା କରିଛନ୍ତି। ଏହି ସଂଗଠନର ନେତାଙ୍କ ନାଁରେ ମାମଲା ରୁଜୁ କରିବା, ଇଣ୍ଟରନେଟ୍ ସେବା ବନ୍ଦ କରିବା ଏବଂ ରାସ୍ତା ଅବରୋଧ କରିବା ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Also Read- ମହିଳାଙ୍କୁ ଅସଦାଚରଣ, ବିରୋଧ କରିବାରୁ ୧୫ କିଲୋମିଟର ପର୍ଯ୍ୟନ୍ତ ଗୋଡ଼ାଇ ଆକ୍ରମଣ, ୯ ଜଣ ଗିରଫ

କ’ଣ କହିଲା ଭାରତ?

ଏପଟେ ଭାରତ ସରକାର ପାକିସ୍ତାନର ଏହି ଦମନଲୀଳାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ପାକିସ୍ତାନର ବେଆଇନ ଦଖଲରେ ଥିବା ଏହି ଅଞ୍ଚଳରେ ଦଶନ୍ଧି ଧରି ଚାଲିଥିବା ଶୋଷଣ ଏବଂ ଅତ୍ୟାଚାରର ପରିଣାମ ହେଉଛି ଏହି ବିକ୍ଷୋଭ। ପାକିସ୍ତାନ ପୋଲିସ ଦମନ, ଇଣ୍ଟରନେଟ୍ ବ୍ଲାକଆଉଟ୍ ଏବଂ ଖାଦ୍ୟ ଓ ଔଷଧ ସାମଗ୍ରୀ ଉପରେ କଟକଣା ଲଗାଇ ସାଧାରଣ ନାଗରିକଙ୍କ ଉପରେ ବଳ ପ୍ରୟୋଗ କରୁଥିବା ଭାରତ ଅଭିଯୋଗ କରିଛି। ଏଥିସହ ମାନବ ଅଧିକାର ଉଲ୍ଲଂଘନ ପାଇଁ ପାକିସ୍ତାନକୁ ଉତ୍ତରଦାୟୀ କରିବାକୁ ଭାରତ ଆନ୍ତର୍ଜାତୀୟ ସମୁଦାୟକୁ ଆହ୍ୱାନ ଦେଇଛି।

ସବୁ ସତ୍ତ୍ୱେ ଆନ୍ଦୋଳନକାରୀମାନେ ନିଜ ଜିଦରେ ଅଟଳ ଅଛନ୍ତି ଏବଂ ମୁଜାଫରାବାଦ ଅଭିମୁଖେ ଯାତ୍ରା ଜାରି ରଖିବାକୁ ସଂକଳ୍ପ ନେଇଛନ୍ତି, ଯାହା ଆଗାମୀ ସମୟରେ ଅଧିକ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି।