ଅଯୋଧ୍ୟା: କଥିତ ଦାନଚୋରି ମାମଲା ସାମ୍ନାକୁ ଆସିବା ପରେ ଅଯୋଧ୍ୟାରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମନ୍ଦିରରେ ତଦନ୍ତ ଜାରି ଥିବା ବେଳେ ବୈଠକରେ ପ୍ରଶାସନିକ ମାମଲାର ସମୀକ୍ଷା କରାଯାଇଛି। ଟ୍ରଷ୍ଟ ସୂଚିତ କରିଛି ଯେ ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ପଦବୀ ନିମନ୍ତେ ୫,୨୦୦ଟି ଆବେଦନ ମିଳିଛି। ତେବେ ଚୟନ କମିଟି ଆବେଦନଗୁଡିକର ଗହନ ଯାଞ୍ଚ ପାଇଁ ଅଧିକ ସମୟ ଲାଗିବାକୁ ଥିବାରୁ ନିଯୁକ୍ତିକୁ ୧ ମାସ ଲାଗି ସ୍ଥଗିତ କରିଦେଇଛି।

ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ ଟ୍ରଷ୍ଟ ପୂଜାରୀଙ୍କ ପ୍ରଶିକ୍ଷଣ ନିମନ୍ତେ ଏକ ସ୍ଥାୟୀ ଇନିଷ୍ଟିଚ୍ୟୁଟ୍ ସ୍ଥାପନା କରିବାକୁ ନିଷ୍ପତ୍ତି ନେଇଛି। ଏହି ସଂସ୍ଥାନକୁ ରାମମନ୍ଦିର ଟ୍ରଷ୍ଟ ଦ୍ୱାରା ପ୍ରମାଣିତ କରାଯିବ। ଏହା ଛଡା ସେ କହିଛନ୍ତି ଯେ ରାମ ମନ୍ଦିର ସିଇଓ ପଦବୀ ନିମନ୍ତେ ୫,୨୦୦ଟି ଆବେଦନ ପତ୍ର ମିଳିଛି। ଆବେଦନର ସଂଖ୍ୟାକୁ ଦେଖି ମନୋନୟନ କମିଟି ୧ ମାସ ଅତିରିକ୍ତ ସମୟ ମାଗିଛି, ଏହାକୁ ଟ୍ରଷ୍ଟ ସ୍ୱୀକାର କରିଛି।

ସେ କହିଛନ୍ତି ଯେ ସିଇଓ ନିଯୁକ୍ତି ପର୍ଯ୍ୟନ୍ତ ଟ୍ରଷ୍ଟ ଜରୁରି ପ୍ରଶାସନିକ ଆବଶ୍ୟକତା ନିମନ୍ତେ ଅନ୍ତରୀଣ ଆଧାରରେ ଜଣେ ସଚିବ ନିଯୁକ୍ତ କରିବ। ଏଥିରେ ଅନ୍ତରୀଣ ମହାସଚିବ କୃଷ୍ଣମୋହନ କହିଛନ୍ତି ଯେ ସିଇଓ ନିଯୁକ୍ତିକୁ ନେଇ କୌଣସି ଚର୍ଚ୍ଚା ହୋଇ ନାହିଁ। କାରଣ ଟ୍ରଷ୍ଟ ଏବେବି ଦାନ ଚୋରି ମାମଲାରେ ଯାଞ୍ଚ କରୁଥିବା ସ୍ୱତନ୍ତ୍ର ଇନଭେଷ୍ଟିଗେଟିଭ ଟିମ୍ (ଏସଆଇଟି) ରିପୋର୍ଟକୁ ଅପେକ୍ଷା କରିଛି। ଏହା ଛଡା ଟ୍ରଷ୍ଟ ରାମ ମନ୍ଦିରର ଧାର୍ମିକ ବ୍ୟାପାର ଦେଖରେଖ ନିମନ୍ତେ ଏକ ସ୍ଥାୟୀ କମିଟି ଗଠନର ଘୋଷଣା କରିଛି।

ଗିରିଙ୍କ ଅନୁସାରେ ଏହି କମିଟିରେ ସନ୍ଥମାନଙ୍କୁ ସାମିଲ କରାଯିବ। ଏଥିରେ ମୋଟ ୯ ଜଣ ସନ୍ଥଙ୍କୁ ସାମିଲ କରାଯିବାକୁ ଥିବାବେଳେ ୫ ଜଣ ଅଯୋଧ୍ୟାରୁ ଓ ୪ ଜଣଙ୍କୁ ବାହାରୁ ସାମିଲ ହେବେ। ଏହି କମିଟି ମନ୍ଦିରର ଧାର୍ମିକ ଗତିବିଦ୍ଧି ଦେଖରେଖ କରିବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଏହି ବୈଠକ କଥିତ ଦାନ ଚୋରି ମାମଲାରେ ପୂର୍ବତନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଓ ଟ୍ରଷ୍ଟ ସଦସ୍ୟ ଅନିଲ ମିଶ୍ରଙ୍କ ଇସ୍ତଫା ସ୍ୱୀକାର କରାଯିବାର କିଛି ସପ୍ତାହ ପରେ ଅନୁଷ୍ଠିତ ହୋଇଛି। ଚମ୍ପତ ରାୟଙ୍କ ଇସ୍ତଫା ପରେ କୃଷ୍ଣ ମୋହନଙ୍କୁ ଅନ୍ତରୀଣ ମହାସଚିବ ନିଯୁକ୍ତ କରାଯାଇଛି।