ବାଲିପାଟଣା ୮।୮: ବାଲିଅନ୍ତାରେ ମୁଣ୍ଡ ନେଉଛି କୁଆଖାଇ। ବାରମ୍ବାର ଘଟୁଛି ଅଘଟଣ। ୬ ବର୍ଷରେ ୫୦ରୁ ଅଧିକ ଯୁବକଙ୍କ ପ୍ରାଣ ନେଲାଣି କୁଆଖାଇ ନଦୀ। ଶୁକ୍ରବାର ବାଲିଅନ୍ତା ଥାନା ଇନ୍ଦ୍ରପାଳ ନିକଟରେ ଗାଧୋଇବା ବେଳେ ନଦୀରେ ଭାସି ଯାଇଥିଲେ ଦୁଇ ସାଙ୍ଗ। ସଂଧ୍ୟାରେ ଜଣଙ୍କ ମୃତଦେହ ଠାବ ହୋଇଥିଲା। ବହୁ ଖୋଜାଖୋଜି ପରେ ୩୦ ଘଣ୍ଟା ପରେ ଅନ୍ୟ ଜଣଙ୍କ ମୃତଦେହ ମିଳିଛି। ମୃତ ଛାତ୍ର ଲକ୍ଷ୍ମୀସାଗର ଥାନା ରେଲୱେ କଲୋନୀର ଦିବ୍ୟଜ୍ୟୋତି ସ୍ବାଇଁ। ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍, ସ୍କୁବା ଡାଇଭର ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ୪ ଜଣ ସାଙ୍ଗ ଭୋଜି କରିବାକୁ କୁଆଖାଇ ପଠାକୁ ଯାଇଥିଲେ।

Also Read:- ଯାଜପୁର ବଡ଼ଚଣାରେ ବାଘ ଆତଙ୍କ ! ଭାଇରାଲ୍ ଫଟୋର ସତ୍ୟତା ଯାଞ୍ଚ କରୁଛି ବନ ବିଭାଗ

ତେବେ କୁଆଖାଇରେ କାହିଁକି ଘଟୁଛି ଏତେ ଅଘଟଣ ? କାହିଁକି ଏତେ ଜୀବନ ନେଉଛି କୁଆଖାଇ ? ବେଆଇନ ବାଲି ଉତ୍ତୋଳନ କାରଣରୁ ନଦୀ ଗର୍ଭରେ ଅନେକ ସ୍ଥାନରେ ଗଭୀର ଖାଲ ହୋଇଛି। ଯାହା ବାହାରକୁ ଜଣାପଡ଼େନି। ଗାଧୋଇବା ସମୟରେ ଗୋଡ଼ ଖସିଗଲେ ଲୋକେ ଗଭୀର ଗର୍ତ୍ତରେ ବୁଡ଼ି ଯାଆନ୍ତି। ବର୍ଷା ଦିନେ ଉପର ମୁଣ୍ଡରୁ ପାଣି ଛଡ଼ାଗଲେ ନଦୀର ଜଳସ୍ତର ଏବଂ ସ୍ରୋତ ହଠାତ୍ ବଢ଼ିଯାଏ। ସାଧାରଣ ଲୋକ ଏହି ସ୍ରୋତର ଗତିକୁ ଆକଳନ କରିପାରନ୍ତି ନାହିଁ। କୁଆଖାଇ ଜଙ୍ଗଲିଆ ନଦୀ ପଠା ଯୁବପିଢିଙ୍କୁ ଭୋଜି ଭାତ ପାଇଁ ସୁହାଉଛି । ସୁନ୍ଦର ପରିବେଶରେ ଅଜଣା ବିପଦରେ ପଡ଼ୁଛନ୍ତି ଯୁବକ ଏବଂ ଛାତ୍ର। ଭୋଜି ପରେ ନଦୀକୁ ଗାଧୋଇବାକୁ ଯାଇ ବୁଡ଼ି ଜୀବନ ହାରୁଛନ୍ତି। ସଚେତନ କରାଯାଉଥିଲେ ବି ବାରମ୍ବାର ଅଘଟଣ ଘଟୁଛି ।

ପୋଲିସ ଏବଂ ପ୍ରଶାସନ ଏହି ଅଂଚଳରେ ବ୍ୟାପକ ସଚେତନ କରିବା ସହ ବିଭିନ୍ନ ସ୍ଥାନରେ ସତର୍କତା ବୋର୍ଡ ଲାଗାଇବାର ଆବଶ୍ୟକତା ରହିଛି। ପିଲାଙ୍କୁ ଏହି ଅଞ୍ଚଳରେ ଭୋଜିଭାତ କରିବା ପାଇଁ ବାରଣ କରାଯିବା ଉଚିତ୍।