ନୂଆଦିଲ୍ଲୀ: ଭାରତର ଅର୍ଥନୀତି କ୍ଷେତ୍ରରେ ୫ ରାଜ୍ୟ ବିଶେଷ ସଫଳତା ହାସଲ କରିଛନ୍ତି। ଭାରତର ଦିଲ୍ଲୀ, କର୍ଣ୍ଣାଟକ, ତେଲେଙ୍ଗାନା ତାମିଲନାଡୁ ଓ ଗୁଜରାଟ। ଏହି ୫ଟା ରାଜ୍ୟ ବିଶ୍ୱ ବ୍ୟାଙ୍କର ଉଚ୍ଚ-ମଧ୍ୟମ-ଆୟ ବର୍ଗରେ ଶ୍ରେଣୀରେ ଆସୁଛନ୍ତି। ହେଲେ ଜାତୀୟ ହାରରେ ଭାରତର ମୁଣ୍ଡ ପିଛା ଆୟ ନିମ୍ନ-ମଧ୍ୟମ-ଆୟ ଅର୍ଥନୀତି ଭାବରେ ରହିଛି। ବିଶ୍ୱ ବ୍ୟାଙ୍କର ବର୍ଗୀକରଣ ଏବଂ ରାଜ୍ୟ ଆୟ ତଥ୍ୟକୁ ଆଧାର କରି ମନିକଣ୍ଟ୍ରୋଲ୍ ଏହି ରିପୋର୍ଟ ପ୍ରକାଶ କରିଛି। ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେ ୨୦୨୨ରେ ଦେବାଳିଆ ଘୋଷିତ ହୋଇଯାଇଥିବା ଶ୍ରୀଲଙ୍କା ମାତ୍ର ୩ ବର୍ଷରେ ମୁଣ୍ଡ ପିଛା ଆୟ ତୁଳନାରେ ଭାରତକୁ ଟପିଯାଇଛି। ଶ୍ରୀଲଙ୍କା, ଭିଏତନାମ ଏବଂ ଫିଲିପାଇନ୍ସକୁ ଉଚ୍ଚ-ଆୟ ବର୍ଗରେ ସାମିଲ ହୋଇଛନ୍ତି।

ଭାରତର ଏହି ୫ ରାଜ୍ୟରେ ଜନତାଙ୍କ ମୁଣ୍ଡପିଛା ଆୟ ଅଧିକ

ମୁଣ୍ଡପିଛା ଆୟରେ ରାଜଧାନୀ ଦିଲ୍ଲୀ ସବୁଠାରୁ ଆଗରେ ରହିଛି। ଦିଲ୍ଲୀର $6,217 (ପ୍ରାୟ ₹୫.୯୩ ଲକ୍ଷ) ପ୍ରତି ବ୍ୟକ୍ତି ଆୟ ରହିଛି। ଏହା ପଛକୁ ରହିଛି କର୍ଣ୍ଣାଟକ (₹୫.୩୨ ଲକ୍ଷ)। ଏହାପରେ ତେଲେଙ୍ଗାନା (₹୫.୧୫ ଲକ୍ଷ), ତାମିଲନାଡୁ (₹୫.୦୮ ଲକ୍ଷ) ଏବଂ ଗୁଜରାଟ (₹୪.୫୧ ଲକ୍ଷ) ରହିଛି। ଏହି ୫ ରାଜ୍ୟ ବିଶ୍ୱ ବ୍ୟାଙ୍କର ଉଚ୍ଚ-ମଧ୍ୟମ ଆୟ କଟଅଫ୍ ଅତିକ୍ରମ କରିସାରିଛି।

ଅନ୍ୟପକ୍ଷରେ, ତିନୋଟି ପ୍ରମୁଖ ରାଜ୍ୟ ତାଲିକାରୁ ଅଳ୍ପକେ ବଞ୍ଚିଛି। ମହାରାଷ୍ଟ୍ରର ମୁଣ୍ଡପିଛା ଆୟ, ₹୪.୪୧ ଲକ୍ଷ, କଟଅଫ୍ ଠାରୁ ମାତ୍ର $୮ କିମ୍ବା ୭୬୩ ଟଙ୍କା କମିଯାଇଛି। ସେହିପରି ହରିଆଣାର ପ୍ରତି ବ୍ୟକ୍ତି ଆୟ ₹୪.୪୦ ଲକ୍ଷ ରହିଛି। ବିଶ୍ୱ ବ୍ୟାଙ୍କ କଟଅଫ୍କୁ ଏହା ତ $୯ ବା ୮୫୮ ଟଙ୍କ କମ ରହିଛି। କେରଳର ମୁଣ୍ଡପିଛା ଆୟ ମଧ୍ୟ ବିଶ୍ୱବ୍ୟାଙ୍କର ମାନଦଣ୍ଡ ଠାରୁ ମାତ୍ର $୨୬ କିମ୍ବା ₹୨,୪୮୦ ଟଙ୍କା କମ ରହିଛି। କେରଳର ମୁଣ୍ଡ ପିଛା ଆୟ ରହିଛି ₹ ୪.୩୯ ଲକ୍ଷ ଟଙ୍କା।

ସବୁଠାରୁ ଗରିବ ରାଜ୍ୟ ବିହାର, ନପାଳ ଠାରୁ ବି କମ ରୋଜଗାର

ଏହାର ବିପରୀତରେ ବିହାର ଦେଶର ଏକ ବଡ଼ ରାଜ୍ୟ ହୋଇବି ସବୁଠାରୁ ଗରିବ ରାଜ୍ୟ ଭାବରେ ରହିଛି। ଯାହାର ମୁଣ୍ଡପିଛା ଆୟ $୯୮୪ (ପ୍ରାୟ ₹୯୩,୮୯୫)। ଏହାପରେ ଉତ୍ତର ପ୍ରଦେଶ (₹୧.୩୩ ଲକ୍ଷ) ଏବଂ ଝାଡ଼ଖଣ୍ଡ (₹୧.୪୦ ଲକ୍ଷ) ରହିଛି। ବିହାର, ଉତ୍ତର ପ୍ରଦେଶ ଏବଂ ଝାଡ଼ଖଣ୍ଡର ଲୋକଙ୍କ ହାରାହାରି ଆୟ ନେପାଳ ଏବଂ ଉପସାହାରା ଆଫ୍ରିକୀୟ ଦେଶଗୁଡ଼ିକ ତୁଳନାରେ କମ୍।

ରାଜ୍ୟଗୁଡ଼ିକ ମଧ୍ୟରେ ଆର୍ଥିକ ଅସମାନତା

ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ଆର୍ଥିକ ଅସମାନତା ବୃଦ୍ଧି ପାଇଛି। ରାଜ୍ୟଗୁଡ଼ିକ ମଧ୍ୟରେ ବ୍ୟବଧାନ ୧୯୯୪-୯୫ରେ ୦.୨୩୦ ରୁ ୨୦୨୫-୨୬ ରେ ୦.୨୬୧କୁ ବୃଦ୍ଧି ପାଇଛି। ୯୦ ତମ ଏବଂ ୧୦ ତମ ପ୍ରତିଶତରେ ରାଜ୍ୟଗୁଡ଼ିକ ମଧ୍ୟରେ ବ୍ୟବଧାନ ୨.୩୮ ରୁ ୩.୭୩ କୁ ବୃଦ୍ଧି ପାଇଛି, ଯାହା ବର୍ଦ୍ଧିତ ଅର୍ଥନୈତିକ ବିଭାଜନକୁ ପ୍ରତିଫଳିତ କରୁଛି।

କେଉଁ ରାଜ୍ୟ ଆଗେଇଲା କିଏ ପଛରେ ପଡ଼ିଲା ?ତିନି ଦଶନ୍ଧି ପୂର୍ବେ, ଉତ୍ତର ପ୍ରଦେଶ ଏବଂ ଓଡ଼ିଶାର ଆୟ ସ୍ତର ପ୍ରାୟ ସମାନ ଥିଲା, କିନ୍ତୁ ଆଜି, ଓଡ଼ିଶାର ମୁଣ୍ଡପିଛା ଆୟ ଉତ୍ତର ପ୍ରଦେଶ ତୁଳନାରେ ୭୫% ଅଧିକ। ସେହିପରି, ଝାଡ଼ଖଣ୍ଡ ଏବଂ ଆସାମ ଦିନ ସମାନ ସ୍ଥିତିରେ ଥିଲେ, କିନ୍ତୁ ୨୦୨୫-୨୬ରେ, ଆସାମ ମୁଣ୍ଡପିଛା ଆୟ ଝାଡ଼ଖଣ୍ଡ ତୁଳନାରେ ୪୮% ଅଧିକ ଥିଲା। ପଞ୍ଜାବରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ୧୯୯୪-୯୫ରେ ସମସ୍ତ ପ୍ରମୁଖ ରାଜ୍ୟ ମଧ୍ୟରେ ସର୍ବାଧିକ ଆୟ ଥିବା ପଞ୍ଜାବ ଏବେ ରାଜସ୍ଥାନ ସ୍ତରକୁ ଖସିଯାଇଛି ଏବଂ ଅନ୍ୟ ୭ଟି ରାଜ୍ୟ ତୁଲନାରେ ବି ପଛରେ ପଡ଼ିଯାଇଛି।

ସୂଚନା ଥାଉକି, ବିଶ୍ୱ ବ୍ୟାଙ୍କ ଦେଶଗୁଡ଼ିକର ମୁଣ୍ଡପିଛା ଆୟ ମାପିବା ପାଇଁ ଆଟଲାସ୍ ପଦ୍ଧତି ବ୍ୟବହାର କରେ। ଏହି ପଦ୍ଧତି ମୁଦ୍ରାସ୍ଫୀତି ଏବଂ ମୁଦ୍ରା ହ୍ରାସର ପ୍ରଭାବକୁ କମ କରିବା ପାଇଁ ଏବଂ ସଠିକ୍ ତୁଳନା ପାଇଁ ତିନି ବର୍ଷ ମଧ୍ୟରେ ବିନିମୟ ହାରର ହାରାହାରି ଆକଳନ କରେ।