ନୂଆଦିଲ୍ଲୀ, ୦୪/୦୯: ହୋର୍ମୁ ଜ ପ୍ରଣାଳୀ ଦେଇ ଗତ ମଙ୍ଗଳବାର ରେକର୍ଡ ୪୦ ବାଣିଜ୍ୟିକ ଜାହାଜ ଅତିକ୍ରମ କରିଛି। ଏଥିରେ ୧.୮ କୋଟି ବ୍ୟାରେଲରୁ ଅଧିକ ତୈଳ ଭର୍ତ୍ତି ରହିଛି। ଆମେରିକାର ହସ୍ତକ୍ଷେପ ଦ୍ଵାରା ଏହା ସମ୍ଭବ ହୋଇଛି। ଜାହାଜଗୁଡ଼ିକ ହୋର୍ମୁଜ ପାର୍ କରିବା ପୂର୍ବରୁ ଆମେରିକୀୟ ସେନା ଇରାନର ୬୦ଟି ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା। ଫଳରେ ସେଠାରୁ ଇରାନ କୌଣସି ହମଲା କରିବାକୁ ସମର୍ଥ ହୋଇ ନ ଥିଲା।

ଓମାନ ପଟ ହୋର୍ମୁ ଜ ଜଳମାର୍ଗ ଦେଇ ଯାଉଥିବା ଜାହାଜ ଉପରେ ଇରାନ ଆକ୍ରମଣ ଜାରି ରଖିଥିଲା। ଡ୍ରୋନ ଓ ମିସାଇଲ ମାଡ଼ କରୁଥିଲା। ମାଇନ୍ସ ମଧ୍ୟ ବିଛାଇଥିଲା। ଏହାଯୋଗୁ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏବେ ଆମେରିକୀୟ ସେନାର ବଡ଼ ଧରଣର ଅପରେସନ ଦ୍ୱାରା ଜାହାଜଗୁଡ଼ିକ ସୁରକ୍ଷିତ ଭାବେ ଅନ୍ତର୍ଜାତୀୟ ଜଳମାର୍ଗ ଅତିକ୍ରମ କରିଛି। ୬ ମାସ ପୂର୍ବେ ଆମେରିକା-ଇରାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ହୋର୍ମୁଜ ପ୍ରଣାଳୀ ଦେଇ ଦିନକୁ ପାଖାପାଖି ୨ କୋଟି ବ୍ୟାରେଲ୍ ତୈଳ ଅତିକ୍ରମ କରୁଥିଲା। ଫଳରେ ଅନ୍ତର୍ଜାତୀୟ ବଜାରରେ ପର୍ଯ୍ୟାପ୍ତ ତୈଳ ଓ ଗ୍ୟାସ ଉପଲବ୍ଧ ହେଉଥିଲା। କିନ୍ତୁ ଯୁଦ୍ଧ ଆରମ୍ଭ ହେବା ଦିନରୁ ବିଶ୍ବବ୍ୟାପୀ ତୈଳ ଓ ଗ୍ୟାସ ସଙ୍କଟ ଦେଖାଦେଇଛି। ଏହାର ପ୍ରଭାବରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇଛି।

Also Read :- ଶର୍ମିଲାଙ୍କ ଉପରେ ରାଗିଗଲେ ମୁକେଶ ଖାନ୍ନା, କହିଲେ-'ବେଗମ ହେବା ପରେ ହିନ୍ଦୁ ଧର୍ମ ଭୁଲିଗଲେ

ସୂଚନା ମୁତାବକ, ଇରାନକୁ ରୋକିବା ପାଇଁ ଆମେରିକୀୟ ସେନା ବିଭିନ୍ନ ଦିଗରୁ ଅଭିଯାନ ଚଳାଇଛି। ଏଥିରେ ବାୟୁ, ଜଳ ଓ ମହାକାଶ ସମ୍ପଭିକୁ ବ୍ୟବହାର କରାଯାଉଛି। ହୋର୍ମୁଜ ଉପରେ ଇରାନର ଆଧିପତ୍ୟ ରୋକିବା ଲାଗି ଆମେରିକା ସବୁ ବଳ ଲଗାଇ ଦେଇଛି। ମଙ୍ଗଳବାର ରାତ୍ରିରେ ଆମେରିକୀୟ ସେନା ଇରାନର ବାୟୁ ପ୍ରତିରକ୍ଷା ସ୍ଥଳ, ରାଡାର ବ୍ୟବସ୍ଥା, ମେରିଟାଇମ୍ ଆସେଟ, ମାଇନ୍ସ ଭଣ୍ଡାର ଏବଂ ଯୋଗାଯୋଗ ସ୍ଥଳୀ ଉପରେ ଆକ୍ରମଣ କରିଥିଲା। ବିଶେଷକରି ହୋର୍ମୁଜ ପ୍ରଣାଳୀ ନିକଟବର୍ତ୍ତୀ ସାମରିକ ସ୍ଥଳୀକୁ ଟାର୍ଗେଟ କରାଯାଇଥିଲା। ଏହାଛଡ଼ା ଆମେରିକାର ନୌସେନା ଇରାନୀ ବନ୍ଦରଗୁଡ଼ିକ ଉପରେ ଅବରୋଧ ଜାରି ରଖିଛି। ସେଣ୍ଟ୍ରାଲ କମାଣ୍ଡ ଏହି କମାଣ ସମ୍ଭାଳିଛି। ଇରାନର ତୈଳ ରପ୍ତାନିକୁ ରୋକିବା ପାଇଁ ଏହା କାର୍ଯ୍ୟ କରୁଛି।

ଗତ ସୋମବାର ସାଉଦି ଆରବ ପତାକା ଲାଗିଥିବା ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ହେବା ଯୋଗୁ ଏଥିରେ ନିଆଁ ଲାଗିଯାଇଥିଲା । ଏହା ହୋର୍ମୁଜ ପାର୍ କରୁଥିବା ସମୟରେ ହିଁ ହମଲା ହୋଇଥିଲା । ଏଥିରେ ଦୁଇଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ। ଅନ୍ୟ ୧୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆମେରିକାର ସହଯୋଗୀ ରାଷ୍ଟ୍ର ଗୁଡ଼ିକର ଜାହାଜକୁ ହିଁ ଇରାନ ଟାର୍ଗେଟ କରୁଛି।