ନୂଆଦିଲ୍ଲୀ: ବିବାହ ପରେ ପତ୍ନୀଙ୍କୁ ଛାଡ଼ି ଦେଉଛନ୍ତି ଏନଆରଆଇ ସ୍ବାମୀ। ଯାହା ଏବେ ପଞ୍ଜାବ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ବଡ଼ କଥା ହେଲା ବିଗତ କିଛି ବର୍ଷରେ ଏଭଳି ମାମଲା ବଢ଼ିବାରେ ଲାଗିଛି। ବୁଧବାର ଜାତୀୟ ମହିଳା କମିଶନ (NCW) ଅଧ୍ୟକ୍ଷା ବିଜୟା ରାହତକର କହିଛନ୍ତି ଯେ, ରାଜ୍ୟରେ ବିଗତ କିଛି ବର୍ଷ ମଧ୍ୟରେ ପ୍ରାୟ ୩୨ ହଜାର ମହିଳା ଏଭଳି ଅଭିଯୋଗ ଆଣିଛନ୍ତି।

ଏଭଳି ସମସ୍ୟାର ସାମ୍ନା କରୁଥିବା ମହିଳାଙ୍କ ଅସୁବିଧା ସମାଧାନ ଉପରେ ରୋପାରରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ଅଧିକାରୀଙ୍କ ସହ ବୈଠକ ସମୟରେ ସେ ଏହି ତଥ୍ୟ ରଖିଛନ୍ତି। ଏମିତିରେ ସେ ଏସବୁ ମାମଲାର ଯଥାଶୀଘ୍ର ଏବଂ ଦ୍ରୁତ ତଦନ୍ତ ପାଇଁ କହିବା ସହ ପ୍ରଭାବିତ ମହିଳାମାନଙ୍କ ପାଇଁ ପ୍ରଶାସନିକ ଏବଂ ପୋଲିସ ସହାୟତା, ଆନ୍ତଃ-ଏଜେନ୍ସି ସମନ୍ୱୟ ଏବଂ ଯଥା ସମୟରେ ଆଇନଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ।

ଏହା ପୂର୍ବରୁ ସେ ଚଣ୍ଡିଗଡ଼ରେ ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆଙ୍କୁ ଭେଟିଥିଲେ। ଉଭୟ ପଞ୍ଜାବରେ ଝିଅ ଏବଂ ମହିଳାଙ୍କ ମଧ୍ୟରେ ବଢ଼ୁଥିବା ନିଶାଦ୍ରବ୍ୟ ଅପବ୍ୟବହାରର ଚ୍ୟାଲେଞ୍ଜ ଏବଂ ଏନଆରଆଇ ବ୍ୟକ୍ତିମାନେ ପତ୍ନୀଙ୍କୁ ଛାଡ଼ିବା ଭଳି ସାମାଜିକ ଚିନ୍ତାର ସମାଧାନ ପାଇଁ କେନ୍ଦ୍ରୀୟ ହସ୍ତକ୍ଷେପର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ।