ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ଓଡିଶାବାସୀଙ୍କୁ ନିଜର ଉପଲବ୍ଧି ବଖାଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟରେ ବିଜେପି ସରକାର ଗଠନକୁ ଶୁକ୍ରବାର ଦୁଇ ବର୍ଷ ପୂରଣ ହୋଇଛି। ଠିକ ଦୁଇ ବର୍ଷ ତଳେ ଆଜିର ଦିନରେ ରାଜ୍ୟରେ ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିଲେ। ତେବେ ଏହି ଅବସରରେ ଦିନ ୧୧ଟା ୩୦ରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧିତ କରିବେ।

ସାମ୍ବାଦିକ ସମ୍ମିଳନୀରେ ଗତ ଦୁଇ ବର୍ଷରେ ସରକାରଙ୍କ ଉପଲବ୍ଧି ସମ୍ପର୍କରେ କହିବା ସହିତ ଆଗାମୀ ଦିନରେ ନୂଆ ଯୋଜନା ବାବଦରେ ସୂଚନା ଦେବେ। ଏ ସରକାର କିଭଳି ‘ବିକାଶର ଧାରା, ଓଡ଼ିଶା ସାରା’ର ନାରା ଦେଇ ଆଗେଇବ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିବେ ମୁଖ୍ୟମନ୍ତ୍ରୀ।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ପ୍ରଭାତୀ ପରିଡା ଉପସ୍ଥିତ ରହିବେ। ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ମଧ୍ୟ ଉପସ୍ଥିତ ରହିବେ।

ସେହିପରି ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନେକ ଯୋଜନାର ଶୁଭାରମ୍ଭ ଏବଂ କିଛି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଅପରାହ୍ନ ୪ ଟାରେ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ ଓ ‘ସୁଭଦ୍ରା ଶକ୍ତି ସଂବାଦ’ର ଶୁଭାରମ୍ଭ କରିବେ। ରାଜ୍ୟର ସମସ୍ତ ଅଙ୍ଗନୱାଡ଼ି କର୍ମୀ, ଲେଡି ସୁପରଭାଇଜର୍ ଓ ବ୍ଳକ ସଂଯୋଜକମାନଙ୍କୁ ସ୍ମାର୍ଟଫୋନ୍ ପ୍ରଦାନର ଶୁଭାରମ୍ଭ କରିବେ।

ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକ୍ସରୁ ଇନ୍ଫୋର୍ସିଟି ଭାୟା ଏକାମ୍ରକାନନ ରାସ୍ତାର ଉଦ୍ଘାଟନ କରିବା ସହିତ ଜୟଦେବ ବିହାର ଓ ନନ୍ଦନକାନନ ନୂଆ ରାସ୍ତାର କାର୍ଯ୍ୟାରମ୍ଭର ଶିଳାନ୍ୟାସ କରିବେ। ୟୁନିଟ୍ -୨ ରେ ନିର୍ମାଣ ହେବାକୁ ଥିବା ‘ଜନାଶ୍ରୟ ଭବନ’ର ଭିଭିପ୍ରସ୍ତର ସ୍ଥାପନ କରିବେ।