କାଠମାଣ୍ଡୁ: ନେପାଳର ତ୍ରିଶୁଳୀ ହାଇଡ୍ରୋ ପ୍ରୋଜେକ୍ଟ ଟନେଲରୁ ଶୁକ୍ରବାର ୨ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଏହି ୨ ଶ୍ରମିକ ୨୬ ଅଗଷ୍ଟ ନେପାଳ ବନ୍ୟା ବେଳେ ଟନେଲରେ ଫଶି ଯାଇଥିଲେ ଓ ଆଜି ୯ଦିନରେ ବାହାର ଦୁନିଆ ଦେଖିଛନ୍ତି। ସୁଡ଼ଙ୍ଗରୁ ସୁରକ୍ଷିତ ଉଦ୍ଧାର ହୋଇଥିବା ଶ୍ରମିକ ସଞ୍ଜୟ ଶାହ କହିଛନ୍ତି ଯେ ସେ ଫଶିରହିଥିବା ସମୟରେ ‘ହରେକୃଷ୍ଣ’ ମହାମନ୍ତ୍ର ଜପୁଥିଲେ ଓ ଆଶା ରଖିଥିଲେ ନିଶ୍ଚିତ ଜୀବିତ ଉଦ୍ଧାର ହେବେ।

ଜନ୍ମାଷ୍ଟମୀରେ ବାହାରିଲେ ସୁଡ଼ଙ୍ଗରୁ
ସଞ୍ଜୟ ଶାହ ଯିଏ ଟନେଲରେ ଫଶି ରହିଥିବା କାଳରେ ଲଗାତାର ହରେକୃଷ୍ଣ ଜପୁଥିଲେ ତାଙ୍କୁ ଆଜି କୃଷ୍ଣ ଜନ୍ମାଷ୍ଟମୀରେ ଜୀବିତ ଉଦ୍ଧାର କରାଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଉପଲକ୍ଷେ ପାଳିତ ହେଉଥିବା ଜନ୍ମାଷ୍ଟମୀ ଏକ ହିନ୍ଦୁ ପାର୍ବଣ। ମଧେଶ ପ୍ରାନ୍ତର ସପ୍ତରୀ ଜିଲ୍ଲା ବାସିନ୍ଦା ତଥା ନେପାଳ ଜଳ ବିଦ୍ୟୁତ ପ୍ରାଧିକରଣର ୩୦ ବର୍ଷ ବୟଷ୍କ କର୍ମଚାରୀ ସଞ୍ଜୟ ଶାହ ସେହି ୨ କର୍ମଚାରୀଙ୍କ ସହ ସାମିଲ ଯାହାଙ୍କୁ ୨ ସପ୍ତାହ ଧରି ଜାରି ରେସ୍କ୍ୟୁ ଅପରେସନରେ ଜୀବିତ ଉଦ୍ଧାର କରାଯାଇଛି। ସୁରକ୍ଷିତ ବାହାରକୁ ବାହାରିବା ପରେ ସଞ୍ଜୟ କହିଛନ୍ତି ଯେ ସେ ଗତ ୯ ଦିନ ହେଲା ‘ହରେକୃଷ୍ଣ’ ମହାମନ୍ତ୍ର ଜପୁଥିଲେ। ସୁରକ୍ଷା ସୂତ୍ର ଅନୁସାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ତାଙ୍କୁ ତ୍ରିଶୁଳୀ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମସ୍ତଙ୍କ ଜୀବନ ବଞ୍ଚାଇଛନ୍ତି ଶାହ
ସଞ୍ଜୟ ଶାହ ହାଇଡ୍ରୋପାୱାର ପ୍ରୋଜେକ୍ଟରେ ଫୋରମେନ ଭାବେ କାମ କରନ୍ତି। ସେ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ଯେତେବେଳେ ସମସ୍ତେ ପଳାଇଲେ ସେ ଅଟକି ରହିଲେ। କାରଣ ତାଙ୍କ ଉପରେ ସମସ୍ତଙ୍କ ସୁରକ୍ଷାର ଦାୟିତ୍ୱ ଥିଲା। ସେ କହିଛନ୍ତି ଯେ ମୁଁ କଣ୍ଟ୍ରୋଲ ରୁମରେ କାମ କରୁଥିଲି। ସମସ୍ତଙ୍କ ଜୀବନ ବଞ୍ଚାଇବା ମୋର ଦାୟିତ୍ୱ ଥିଲା। ଘଟଣା ପରେ ମୁଁ ସମସ୍ତଙ୍କୁ ସେଠାରୁ ପଳାଇବାକୁ କହିଥିଲି। ହେଲେ ଲୋକେ ବାହାରି ସାରିବା ବେଳକୁ ମୁଁ ବାହାରିବା କଷ୍ଟକର ହୋଇପଡିଥିଲା। ଶାହ କହିଛନ୍ତି ଯେ ସୁଡ଼ଙ୍ଗରେ ପାୱାର ହାଉସ୍ ଆଖାପାଖରେ ଆହୁରି ଲୋକେ ମଧ୍ୟ ଥାଇ ପାରନ୍ତି।

କବିର ମହାର୍ଜନଙ୍କ ଚିକିତ୍ସା ଜାରି
ସଞ୍ଜୟ ଶାହଙ୍କ ସାଙ୍ଗରେ କବିର ମହାର୍ଜନ ନାମକ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଜୀବିତ ଉଦ୍ଧାର ହୋଇଛନ୍ତି। ତାଙ୍କ ବୟସ ପାଖାପାଖି ୪୫ ବର୍ଷ ଓ ତାଙ୍କୁ ଏୟାରଲିଫ୍ଟରେ କାଠମାଣ୍ଡୁ ସେନା ହସ୍ପିଟାଲକୁ ପଠାଯାଇଛି। କାରଣ ସ୍ୱାସ୍ଥ୍ୟ ସମ୍ପର୍କିତ ଜଟିଳତା ଯୋଗୁ ତାଙ୍କୁ ତୁରନ୍ତ ଚିକିତ୍ସା ସହାୟତାର ଆବଶ୍ୟକତା ଥିଲା। ନେପାଳ ସେନା ନେତୃତ୍ୱରେ ସୁରକ୍ଷାବଳ ଖାସ ଉପକରଣ ଦ୍ୱାରା ଅନୁସନ୍ଧାନ ଓ ଉଦ୍ଧାର ଅଭିଯାନ ଚଳାଇଛନ୍ତି। ସୁଡ଼ଙ୍ଗରେ ଫଶିଥିବା ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି।