ମାଦ୍ରିଦ: ହଣ୍ଟା ଭାଇରସ ସଂକ୍ରମିତ କ୍ରୁଜ ଜାହାଜ ଏମଭି ହଣ୍ଡିୟୁସ୍ ସ୍ପେନର କ୍ୟାନେରୀ ଆଇଲ୍ୟାଣ୍ଡ ଉପକୂଳରେ ଲଙ୍ଗର ପକାଇଛି। ଏହା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଦେଖରେଖରେ ଜାହାଜରୁ ଯାତ୍ରୀଙ୍କୁ ବାହାର କରାଯାଇଛି। ଏହି କାର୍ଯ୍ୟରେ ଅନ୍ତର୍ଜାତୀୟ ପ୍ରୋଟକଲ ପ୍ରତି ଖାସ ଧ୍ୟାନ ଦିଆଯାଇଛି। ଏଥି ମଧ୍ୟରେ ସ୍ପେନ ସ୍ଥିତ ଭାରତୀୟ ଦୂତାବାସ ଜାହାଜରେ ଥିବା ଦୁଇ ଭାରତୀୟ ଚାଳକ ଦଳ ସଦସ୍ୟ ସୁସ୍ଥ ଥିବା ଘୋଷଣା କରିଛି। ସେମାନଙ୍କଠାରେ ଭୂତାଣୁର କୌଣସି ଲକ୍ଷଣ ମିଳି ନାହିଁ। ଜାହାଜରୁ ବାହାର କରାଯିବା ପରେ ସତର୍କତା ସ୍ୱରୂପ ସେମାନଙ୍କୁ କ୍ୱାରେଣ୍ଟାଇନ ପାଇଁ ନେଦରଲ୍ୟାଣ୍ଡ ପଠା ଯାଇଛି।

ସୂଚନା ଅନୁସାରେ ଓସନୱାଇଡ୍ ଏକ୍ସପେଡିସନସ୍ ର ଏହି ବିଳାଶମୟ କ୍ରୁଜ ସିପ୍ ଏପ୍ରିଲ ୧ ତାରିଖରେ ଆର୍ଜେଣ୍ଟିନାର ଉଶୁଆଇୟାରୁ ବାହାରିଥିଲା। ଜାହାଜ ନିର୍ଦ୍ଧାରିତ ମେ୧୦ ତାରିଖ ସୁଦ୍ଧା ସ୍ପେନର କେନେରୀ ଆଇଲ୍ୟାଣ୍ଡ ନିକଟରେ ଲଙ୍ଗର ପକାଇଛି। ରିପୋର୍ଟ ଅନୁସାରେ ଏପ୍ରିଲ ୧୦ ତାରିଖ ଦିନ ଯାତ୍ରା କାଳରେ କ୍ରୁଜରେ ୧୫୦ ଜଣ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଅଛନ୍ତି। ଏମାନେ ଅଲଗା ଅଲଗା ୨୮ ଦେଶର ନାଗରିକ ବୋଲି ଜଣାପଡିଛି।

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାହାଜରେ ଫିଲପାଇନ୍ସ୍ ର ୩୮ଜଣ, ବ୍ରିଟେନର ୩୧ ଜଣ, ଆମେରିକାର ୨୩ ଜଣ, ନେଦରଲ୍ୟାଣ୍ଡର ୧୬ ଜଣ, ସ୍ପେନର ୧୪, ଜର୍ମାନର ୯,କାନାଡାର ୬ ଓ ଭାରତର ୨ ଜଣ ଅଛନ୍ତି। ଜାହାଜରେ ଥିବା ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟ ଥିଲେ। ଯାହାଙ୍କୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। ତେବେ ୨ ଚାଳକ ଦଳ ସଦସ୍ୟ ସୁସ୍ଥ ଥିବା ଓ ଭୂତାଣୁ ସଂକ୍ରମିତ ହୋଇ ନଥିବା ଭାରତୀୟ ଦୂତାବାସ ସ୍ପଷ୍ଟ କରିଛନ୍ତି। ଜାହାଜରେ ମୋଟ ୫ଟି ସଂକ୍ରମଣ ମାମଲା ପୁଷ୍ଟି ହୋଇଛି। ଏଥିରୁ ୩ ଜଣ ପ୍ରାଣ ହରାଇଥିବା ବେଳେ ୨ ଜଣ ଅସୁସ୍ଥ ଥିଲେ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ହଣ୍ଟା ଭାଇରସର ୮ ସନ୍ଦିଗ୍ଧ ମାମଲାରୁ ୫ ପୁଷ୍ଟି କରିଥିଲେ।

Also Read..ଲଗଜରୀ କ୍ରୁଜ ସିପ୍ ରେ ହଣ୍ଟାଭାଇରସ ସଂକ୍ରମଣ, ୩ ମୃତ, ଜାହାଜରେ ଅଛନ୍ତି ୨ ଭାରତୀୟ