ନୂଆଦିଲ୍ଲୀ: ଆଟଲାଣ୍ଟିକ୍ ମହାସାଗରର କେପ୍ ୱର୍ଡେ ନିକଟରେ ପହଞ୍ଚିଥିବା ଏକ ବିଳାଶମୟ କ୍ରୁଜ ସିପ୍ ରେ ହାଣ୍ଟାଭାଇରସ ସଂକ୍ରମଣ ସାମ୍ନାକୁ ଆସିଛି। ଏହା ଏବେ ଅନ୍ତର୍ଜାତୀୟ ଚିନ୍ତାର କାରଣ ପାଲଟିଛି। ଜାହାଜରେ ଥିବା ଚାଳକଦଳ ସଦସ୍ୟଙ୍କ ମଧ୍ୟରେ ୨ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଜାହାଜରେ ଏ ପର୍ଯ୍ୟନ୍ତ ୫ଟି ସଂକ୍ରମଣ ମାମଲା ପୁଷ୍ଟି ହୋଇଛି। ଏଥିରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହେଲାଣି। ସୂଚନା ଅନୁସାରେ ଓସନୱାଇଡ୍ ଏକ୍ସପେଡିସନସ୍ ଏହି ବିଳାଶମୟ କ୍ରୁଜ ସିପ୍ ଏପ୍ରିଲ ୧ ତାରିଖରେ ଆର୍ଜେଣ୍ଟିନାର ଉଶୁଆଇୟାରୁ ବାହାରିଥିଲା। ଜାହାଜ ମେ୧୦ ତାରିଖ ସୁଦ୍ଧା ସ୍ପେନର କେନେରୀ ଆଇଲ୍ୟାଣ୍ଡ ପହଞ୍ଚିବାର ସମ୍ଭାବନା ରହିଛି।

ଜାହାଜରେ ଅଛନ୍ତି ୨୮ ଦେଶ ଦେଶର ଯାତ୍ରୀ ଓ କ୍ରୁ ସଦସ୍ୟ
ରିପୋର୍ଟ ଅନୁସାରେ ଏପ୍ରିଲ ୧୦ ତାରିଖ ଦିନ ଯାତ୍ରା କାଳରେ କ୍ରୁଜରେ ୧୫୦ ଜଣ ଯାତ୍ରୀ ଓ ଚାଳକ ଦଳ ସଦସ୍ୟ ଅଛନ୍ତି। ଏମାନେ ଅଲଗା ଅଲଗା ୨୮ ଦେଶର ନାଗରିକ ବୋଲି ଜଣାପଡିଛି। ତେବେ ଜାହାଜରୁ କେତେକ ଯାତ୍ରୀ ଏପ୍ରିଲ ୨୪ ତାରିଖ ଦିନ ସେଣ୍ଟ ହେଲେନା ଦ୍ୱୀପରେ ଓହ୍ଲାଇ ଯାଇଥିଲେ। ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜାହାଜରେ ଫିଲପାଇନ୍ସ୍ ର ୩୮ଜଣ, ବ୍ରିଟେନର ୩୧ ଜଣ, ଆମେରିକାର ୨୩ ଜଣ, ନେଦରଲ୍ୟାଣ୍ଡର ୧୬ ଜଣ, ସ୍ପେନର ୧୪, ଜର୍ମାନର ୯,କାନାଡାର ୬ ଓ ଭାରତର ୨ ଜଣ ଅଛନ୍ତି।

୫ ମାମଲା ଓ ୩ ମୃତ୍ୟୁ ପୁଷ୍ଟି କରିଛନ୍ତି WHO
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଗୁରୁବାର ହାଣ୍ଟାଭାଇରସର ୮ ସନ୍ଦିଗ୍ଧ ମାମଲାରୁ ୫ ପୁଷ୍ଟି କରିଛନ୍ତି। ସଂକ୍ରମଣରେ ୬୯ ବର୍ଷୀୟ ଡଚ୍ ମହିଳାଙ୍କ ମୃତ୍ୟୁ ହୋଇଛି, ଏହା ସହ ତାଙ୍କ ସ୍ୱାମୀ ଓ ଜଣେ ଜର୍ମାନ ମହିଳା ମଧ୍ୟ ପ୍ରାଣ ହରାଇଛନ୍ତି। ଡବ୍ଲୁଏଚଓଙ୍କ ସଂକ୍ରାମକ ରୋଗ ବିଶେଷଜ୍ଞ ମାରିୟା ଭେନ କେରଖୋଭ ପ୍ରେସ୍ ବ୍ରିଫିଙ୍ଗରେ କହିଛନ୍ତି ଯେ ପରିସ୍ଥିତି କୋଭିଡ-୧୯ ଭଳି ବୈଶ୍ୱିକ ମହାମାରୀର ପ୍ରାରମ୍ଭ ନୁହେଁ। ସେ ସ୍ପଷ୍ଟ କରିଛନ୍ତି ଯେ ହଣ୍ଟା ଭାଇରସ ମୁଖ୍ୟତଃ ସଂକ୍ରମିତ ବ୍ୟକ୍ତିର ନିକଟତମ ଓ ସିଧାଶଳଖ ସମ୍ପର୍କରେ ଥିବା ଲୋକଙ୍କୁ ବ୍ୟାପିଥାଏ। ଏଣୁ ଭୂତାଣୁର ବ୍ୟାପକ ସଂକ୍ରମଣ ସମ୍ଭାବନା କମ୍।