ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ୪ ସପ୍ତାହ ମଧ୍ୟରେ ମୁଖ୍ୟ ସରକାରୀ ଓ ବୀମା ଡାଟା ବେସ୍ କୁ ପରସ୍ପର ସହ ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବାହନ, ସାରଥୀ, ଇଲେକ୍ଟ୍ରନିକ୍ ଡିଟେଲଡ ଏକ୍ସିଡେଣ୍ଟ ରିପୋର୍ଟ (ଇ-ଡିଏଆର) ପୋର୍ଟାଲ ଓ ଇନସ୍ୟୁରାନ୍ସ ଇନଫର୍ମେସନ ବ୍ୟୁରୋ (ଆଇଆଇବି) ମଧ୍ୟ ସାମିଲ ଅଛି। ଏହାର ଉଦ୍ଦେଶ୍ୟ ହେଉଛି ମୋଟର ଦୁର୍ଘଟଣା କ୍ଲେମ ପ୍ରୋସେସକୁ ଶରଳ କରିବା ଓ ଦୁର୍ଘଟଣା ସମ୍ପର୍କିତ ସୂଚନା ସହଜରେ ସେୟାର କରିବା।

ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଜଷ୍ଟିସ୍ ପ୍ରସନ୍ନା ବି. ବରାଳେଙ୍କ ବେଞ୍ଚ ସବୁ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଦୁର୍ଘଟଣା ସମ୍ପର୍କିତ ଡାଟା ନ୍ୟାସନାଲ ଇନଫର୍ମେଟିକ୍ସ ସେଣ୍ଟର (ଏନଆଇସି) ଦ୍ୱାରା ଚଳାଯାଉଥିବା ଇ-ଡିଏଆର ପୋର୍ଟାଲରେ ଅବିଳମ୍ବେ ଅପଲୋଡ କରାଯାଉ ତାହା ସୁନିଶ୍ଚିତ କରନ୍ତୁ। କୋର୍ଟ ନିରୀକ୍ଷଣ କରିଛନ୍ତି ଯେ ପୋର୍ଟାଲ ଚାଲୁ ହୋଇଥିବା ସତ୍ତ୍ୱେ ଖୁବ କ୍ୱଚିତ ରାଜ୍ୟ ଡାଟା ଅପଲୋଡ ଆରମ୍ଭ କରିଛନ୍ତି। ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି ଯେ ଇ-ଡିଏଆରକୁ ଆଇଆଇବି ସହ ସଂଯୁକ୍ତ କରାଯାଉ, ଏହା ଇନସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପ ଅଥରିଟି ଅଫ ଇଣ୍ଡିଆ (ଆଇଆରଡିଏଆଇ) ରୂପେ କାମ କରୁଛି।

ଏହାସହିତ କୋର୍ଟ ବାହନ, ସାରଥୀ, ଇ-ଡିଏଆର ଓ ଆଇଆଇବି ଡାଟା ବେସ୍ କୁ ପରସ୍ପର ସହ ଯୋଡିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଦୁର୍ଘଟଣା ରିପୋର୍ଟ, ଗାଡି ଓ ବୀମା କମ୍ପାନୀ ରେକର୍ଡ ଓ ପୂର୍ବ କ୍ଲେମର ଇତିହାସକୁ ସହଜରେ କ୍ରସ ଚେକ୍ କରାଯାଇ ପାରିବ। ଏହି ଇଣ୍ଟିଗ୍ରେସନକୁ ହିଟ-ଆଣ୍ଡ-ରନ ମାମଲା ଓ ପ୍ରଧାନମନ୍ତ୍ରୀ ରିଲିଫ ସ୍କିମ ପର୍ଯ୍ୟନ୍ତ ମଧ୍ୟ ବଢାଯିବ, ଯାହାଦ୍ୱାରା ଦୁର୍ଘଟଣାର ସୂଚନା ତୁରନ୍ତ ବୀମା କମ୍ପାନୀମାନଙ୍କୁ ପଠାଯାଇ ପାରିବ। ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ‘ଆଜି ଠୁ ୪ ସପ୍ତାହ ମଧ୍ୟରେ’ ଏହି ଇଣ୍ଟିଗ୍ରେସନକୁ ପୁରା କରନ୍ତୁ ଓ ପିଛିଲା ଆଦେଶରେ ମଗାଯାଇଥିବା ସୂଚନା ସହିତ ଅନୁପାଳନ ରିପୋର୍ଟ ଆଫିଡେଭିଟ ସହ ଜମା କରନ୍ତୁ।