ଭୁବନେଶ୍ଵର ୨୯।୧୦; ୧୯୯୯ ମସିହା ଅକ୍ଟୋବର ୨୯ ତାରିଖର ସେହି କଳା ଶୁକ୍ରବାରକୁ ଆଜି ୨୭ ବର୍ଷ ପୂରିଛି । କାଳର କରାଳ ଗ୍ରାସରେ ପ୍ରାୟ ତିନି ଦଶନ୍ଧି ବିତିବାକୁ ବସିଥିଲେ ମଧ୍ୟ ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ସାମୁଦ୍ରିକ ଝଡ଼ ୧୯୯୯ ମହାବାତ୍ୟାର ସେହି କାଳରାତି ଆଜି ବି ଓଡ଼ିଶାବାସୀଙ୍କ ମନରେ କମ୍ପନ ସୃଷ୍ଟି କରେ । ପ୍ରକୃତିର ସେହି ରୁଦ୍ର ରୂପ ମାତ୍ର କେଇ ଘଣ୍ଟା ମଧ୍ୟରେ ସୁନ୍ଦର, ସବୁଜ ଉପକୂଳ ଓଡ଼ିଶାକୁ ଏକ ଶ୍ମଶାନରେ ପରିଣତ କରିଦେଇଥିଲା । ଅକ୍ଟୋବର ୨୯ ସକାଳେ ଯେତେବେଳେ ମହାବାତ୍ୟା ପାରାଦୀପ ଉପକୂଳ ଛୁଇଁଥିଲା, ସେତେବେଳେ ସତେ ଯେମିତି ପ୍ରଳୟର ମହାଘଣ୍ଟି ବାଜିଉଠିଥିଲା । ବିଶାଳକାୟ ବୃକ୍ଷ ପକ୍କା ଘର, ଏବଂ ବଡ଼ ବଡ଼ ମୋବାଇଲ୍ ଟାୱାର ତାସ ଘର ଭଳି ଭାଙ୍ଗି ଚୂରମାର୍ ହୋଇଯାଇଥିଲା ।

ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ରଚିଥିଲା ତାଣ୍ଡବଲୀଳା । ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୨୫୦ ରୁ ୨୬୦ କି.ମି.ବେଗର ପବନ, ସମୁଦ୍ର ଜୁଆଇ ଓ ବର୍ଷାର ଏକ ମିଳିତ ସଂହାରକାଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ । ଶତାବ୍ଦୀର ସବୁଠୁ ପ୍ରଳୟଙ୍କାରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ କରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ । ପାରାଦୀପର ଷଣ୍ଢକୂଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ ।

ବର୍ଷ ବର୍ଷ ପର୍ଯ୍ୟନ୍ତ ଅନେକ ନିଖୋଜଙ୍କ ପତ୍ତା ମିଳି ନଥିଲା । ବଞ୍ଚିଯାଇଥିବା ମଣିଷଙ୍କ ଆଖରେ ଲୁହ ଶୁଖୁଯାଇଥିଲା ଏବଂ କେବଳ ବୁନ୍ଦାଏ ପାଣି ଓ ମୁଠାଏ ଶୁଖୁଲା ଖାଦ୍ୟ ପାଇଁ ଚାରିଆଡ଼େ ହାହାକାର ପଡ଼ିଥିଲା । ସମ୍ପୂର୍ଣ ଓଡ଼ିଶା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିଲା। ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ, ଛାରଖାର ହୋଇ ଯାଇଥିଲା ଉପକୂଳ । ଆଉ ଏବେ 'ଅର୍ଣ୍ଣବ' ବାତ୍ୟା ପୁଣି ଥରେ ଓଡ଼ିଶାବାସୀଙ୍କ ମନରେ ୧୯ ୯୯ ମସିହାର ସେହି କରାଳ ମହାବାତ୍ୟାର ସ୍ମୃତିକୁ ଉଜ୍ଜୀବିତ କରିଦେଇଛି!