ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନ ସହ ଭାରତର ସବୁ ସୀମା ବନ୍ଦ ରହିଛି। ଏଣୁ ଭାରତୀୟ ଓ ପାକିସ୍ତାନୀଙ୍କ ପ୍ରେମ ମଧ୍ୟ ଅଟକିଯାଇଛି, ଯୁଦ୍ଧ ପରିସ୍ଥିତିରେ ବିବାହ ହେବାର ସମ୍ଭାବନା ଖୁବ୍ କ୍ୱଚିତ୍ ଥିଲା। ୱାଘା-ଅଟାରୀ ଫାଟକ ବନ୍ଦ କରିଦିଆଯାଇଥିଲା ଏଣୁ ଅପେକ୍ଷା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ହେଲେ କିଛି ମାସ ପୂର୍ବରୁ ପୁଣି ଥରେ ଆଶାର କିରଣ ଉଇଁଥିଲା। ଅନୁନ୍ୟ ୧୫୦ ଜଣ ପାକିସ୍ତାନୀ ବଧୂ ମସ୍କଟ, କଲମ୍ବୋ, ଢାକା, ଦୁବାଇ ଓ କତାରରୁ କନେକ୍ଟିଂ ଫ୍ଲାଇଟ ନେଇ ଭାରତର ନାଗପୁର, ଯୋଦ୍ଧପୁର, ଅହମଦାବାଦ, ରାୟପୁର, ପୁଣେ ଓ ଭୋପାଲ ପହଞ୍ଚିଥିଲେ, ଯାହାଦ୍ୱାରା ସେମାନେ ‘ସିନ୍ଦୂର’ର ଅତୁଟ ବନ୍ଧନରେ ବାନ୍ଧି ହୋଇପାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୃହମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ଛାଡ ଯୋଗୁ ଏହି ସବୁ ବିବାହ ସମ୍ଭବ ହୋଇ ପାରିଛି।

କନ୍ୟାମାନଙ୍କ ସହିତ ସେମାନଙ୍କ ସମ୍ପର୍କୀୟଙ୍କୁ ଭାରତ ଆସିବାର ଅନୁମତି ତ ଥିଲା, ହେଲେ ସେମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଫେରିଯିବାର ଥିଲା। ଏଣୁ ପାକିସ୍ତାନରୁ ଆସି ଭାରତରେ ବିବାହ କରିଥିବା ମହିଳାଙ୍କ ବିବାହ ଉତ୍ସବ ନିରାଡମ୍ବର ଅନୁଷ୍ଠିତ ହୋଇଥିଲା। ସାଧାରଣତଃ ଭାରତୀୟ ଭିସା ରଖୁଥିବା ପାକିସ୍ତାନୀ ୱାଘା ବର୍ଡର ଦେଇ ଯା ଆସ କରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଦୁଇ ଦେଶଙ୍କ ସୀମା ବନ୍ଦ ରହିବା ଯୋଗୁ ସେମାନଙ୍କୁ ଉଡାଜାହାଜରେ ବୁଲିକି ଆସିବାକୁ ପଡିଛି। ଗତ ଏପ୍ରିଲ-ଜୁନ ମାସରେ ୪୫୦ ସମ୍ପର୍କୀୟଙ୍କ ସହିତ ପାକିସ୍ତାନୀ ଝିଅମାନେ ବିବାହ କରିବାକୁ ଭାରତ ଆସିଛନ୍ତି।

ଦୀର୍ଘ ସମୟରୁ ଭାରତୀୟ ଭିସାରେ ଆସିଥିବା ଇଂକେଶ ଜଶନାନୀଙ୍କ ନିର୍ବନ୍ଧ ‘ପ୍ରି-ସିନ୍ଦୂର’ କାଳରେ ହୋଇଥିଲା ଓ ସେମାନେ ଗତବର୍ଷ ବିବାହ ଯୋଜନା କରିଥିଲେ। ଏଥି ପାଇଁ ତାଙ୍କ ଭାବି ପତ୍ନୀ ଆରତୀ ସିନ୍ଧ ର ଖାନପୁର ତହସିଲରୁ ଏକ ଜଟିଳ ଯାତ୍ରାରେ ମେ ୨୦୨୫ରେ ୱାଘା ବର୍ଡରରୁ ମାତ୍ର ୧ କିଲୋମିଟର ଦୂରରେ ପହଞ୍ଚିଥିଲେ। ଠିକ ସେତିକି ବେଳେ ଭାରତ ଅଟାରୀ ଫାଟକ ବନ୍ଦ କରିଦେଇଥିଲା। ପ୍ରାୟ ବର୍ଷାଧିକ କାଳ ପରେ ଆରତି ମସ୍କଟ ରାସ୍ତାରେ ଆରତୀ ନାଗପୁର ପହଞ୍ଚି ଗତ ମାର୍ଚ୍ଚ ମାସରେ ଇଂକେଶଙ୍କୁ ବିବାହ କରିଛନ୍ତି। ଭିସା କଟକଣା ଥିବାରୁ ଆରତୀଙ୍କ ସହିତ କେବଳ ତାଙ୍କ ଭାଇ ଆସିପାରିଥିଲେ। ଏବେ ଆରତୀ ଚାହୁଁଛନ୍ତି ବର୍ଡର ଖୋଲିଯାଉ କାରଣ ତାଙ୍କ ମାତାପିତାଙ୍କୁ ସେ ତାଙ୍କ ଶ୍ୱଶୂରାଳୟ ବୁଲାଇବାକୁ ଚାହୁଁଛନ୍ତି।

ତେବେ ଭାରତ ଆସିଥିବା ଉଡାଣରେ ଜଣେ ବର ମଧ୍ୟ ଭାରତ ଆସିଥିଲେ। ସିନ୍ଧର ଘୋଟକୀରୁ ରାଭେଲ ଜଶବାଣୀ ତାଙ୍କ ମାତାପିତାଙ୍କ ସହ ନାଗପୁର ଆସି ଶ୍ରୀୟାଙ୍କୁ ବିବାହ କରିଛନ୍ତି। ସେ ବିବାହ କରିବା ପରଠାରୁ ଭାରତରେ ହିଁ ରହୁଛନ୍ତି। ସେ କହିଛନ୍ତି ଯେ ମୁଁ ଭାରତରେ ବସବାସ କରିବାକୁ ଚାହୁଁଛି ଓ ବର୍ଡର ଖୋଲିଗଲେ ମାତାପିତାଙ୍କୁ ମଧ୍ୟ ଭାରତ ନେଇ ଆସିବେ।