ଭୁବନେଶ୍ୱର ୧୧।୯: ପୋଲିସ ତରଫରୁ ପ୍ରଦାନ କରାଯାଉଥିବା ବିଭିନ୍ନ ଜରୁରୀ ସେବା ପ୍ରାପ୍ତି ନିମନ୍ତେ ପୋଲିସ ଥାନା କିମ୍ବା ସମ୍ପୃକ୍ତ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହିଁ । ପୋଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ-କେନ୍ଦ୍ରିକ ଓ ତ୍ଵରିତ ସେବା ଯୋଗାଇ ଦେବାକୁ ଓଡ଼ିଶା ପୋଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏଣିକି ଘରେ ବସି ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ ମାଧ୍ୟମରେ ସାଧାରଣ ଲୋକମାନେ ୧୪ଟି ପୋଲିସ-ନାଗରିକ ସେବା ପାଇପାରିବେ । ଡିଜିପି ବିନୟତୋଷ ମିଶ୍ର ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସ୍‌ରେ ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୫ ଡିସେମ୍ବର ୨୦୨୫, ସୁଶାସନ ଦିବସ ଅବସରରେ ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଓଡ଼ିଶା ସରକାରଙ୍କ Centre for Modernizing Government Initiative (CMGI), State Crime Records Bureau (SCRB), ଓଡ଼ିଶା ପୋଲିସ ଏବଂ Meta India (WhatsApp)ର ସହଭାଗିତାରେ ‘ଆମ ସାଥୀ’ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍ ଜନସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ବିକଶିତ କରାଯାଇଛି ।

ଓଡ଼ିଶା ସରକାରଙ୍କ ନାଗରିକ-କେନ୍ଦ୍ରିକ ଡିଜିଟାଲ୍ ସୁଶାସନ ପଦକ୍ଷେପ ଅଧୀନରେ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟ୍ସଆପ୍ ବଟ୍’ରେ ଏହି ସେବାଗୁଡ଼ିକୁ ଯୋଡ଼ାଯାଇଛି । ଷ୍ଟେଟ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (SCRB), ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଆବଶ୍ୟକୀୟ ବୈଷୟିକ ସମନ୍ୱୟ ସମ୍ପୂର୍ଣ୍ଣ କରାଯାଇଛି । ସୁଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଡିଜିଟାଲ୍ ସୁଶାସନ ପଦକ୍ଷେପର ପରିସରରେ ଏହି ସେବାକୁ ସାମିଲ କରାଯାଇଛି । ଏହା ମାଧ୍ୟମରେ ପୋଲିସ ସେବାକୁ ନାଗରିକଙ୍କ ହାତ ପାହାନ୍ତାରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ।

‘ଆମ ସାଥୀ’ ହେଉଛି ଓଡ଼ିଶା ସରକାରଙ୍କ ୨୪×୭ ଡିଜିଟାଲ୍ ସହାୟକ ବ୍ୟବସ୍ଥା । ହ୍ୱାଟ୍ସଆପ୍ ମାଧ୍ୟମରେ ଏଥିରେ ବିଭିନ୍ନ ସରକାରୀ ସେବା ସହଜରେ ଉପଲବ୍ଧ ହେଉଛି । ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ORTPSA ଅଧୀନରେ ୧୪ଟି ପୋଲିସ-ନାଗରିକ ସେବା ଏବେ ‘ଆମ ସାଥୀ’ ସହ ସମନ୍ୱିତ ହୋଇଛି ।

ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ବସି ଆବଶ୍ୟକୀୟ ପୋଲିସ ସେବା ପାଇଁ ଆବେଦନ କରିପାରିବେ । ଆବଶ୍ୟକ ତଥ୍ୟ ଓ ଦଲିଲ୍ ଦାଖଲ କରିବା ସହ ଆବେଦନର ସ୍ଥିତି ମଧ୍ୟ ଜାଣିପାରିବେ । ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ବ୍ୟବସ୍ଥା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ମଧ୍ୟ ହ୍ୱାଟ୍ସଆପ୍‌ରେ ପାଇପାରିବେ ।

ହ୍ୱାଟ୍ସଆପ୍‌ରେ ମିଳିବ ନିମ୍ନଲିଖିତ ୧୪ଟି ପୋଲିସ ସେବା:

୧. ଚରିତ୍ର ପ୍ରମାଣପତ୍ର

୨. ବରିଷ୍ଠ ନାଗରିକ ପଞ୍ଜୀକରଣ

୩. କର୍ମଚାରୀ ସତ୍ୟାପନ

୪. ହଜିଯାଇଥିବା ସମ୍ପତ୍ତି/ଦଲିଲ୍ ସମ୍ପର୍କିତ ରିପୋର୍ଟ

୫. ଲାଉଡ୍‌ସ୍ପିକର୍ ଅନୁମତି ପାଇଁ NOC

୬. ଭଡ଼ାଟିଆ/PG ସତ୍ୟାପନ

୭. ହଜିଯାଇଥିବା ସମ୍ପତ୍ତି ପଞ୍ଜୀକରଣ

୮. ନିଖୋଜ ବ୍ୟକ୍ତି ସମ୍ପର୍କିତ ସୂଚନା ଓ ପଞ୍ଜୀକରଣ

୯. ଅଭିଯୋଗ ପଞ୍ଜୀକରଣ

୧୦. କର୍ମଚାରୀ/ଘରୋଇ ସହାୟକ ନିୟୋଜନ ସତ୍ୟାପନ

୧୧. କାର୍ଯ୍ୟକ୍ରମ/ପ୍ରଦର୍ଶନ ପାଇଁ ଅନୁମତି

୧୨. ଧାରଣା/ଧର୍ମଘଟ ପାଇଁ ଅନୁମତି

୧୩. FIRର ନକଲ ପ୍ରଦାନ

୧୪. ସଡ଼କ ଦୁର୍ଘଟଣା/ଚୋରି ଯାନବାହନ/ଚୋରି ମାମଲା ସମ୍ପର୍କିତ Final Formର ନକଲ ପ୍ରଦାନ

କିପରି ବ୍ୟବହାର କରିବେ ‘ଆମ ସାଥୀ’-

୧. ‘Hi’ ଲେଖି ପଠାନ୍ତୁ:

‘ଆମ ସାଥୀ’ର ହ୍ୱାଟ୍ସଆପ୍ ନମ୍ବର ୯୪୩୭୨୯୨୦୦୦ ମୋବାଇଲ୍‌ରେ ପଞ୍ଜିକୃତ କରି ‘Hi’ ଲେଖି ପଠାନ୍ତୁ ।

୨. ସେବା ଚୟନ କରନ୍ତୁ:

ଭାଷା ଚୟନ ପରେ ଉପଲବ୍ଧ ପୋଲିସ ସେବା ଗୁଡ଼ିକର ତାଲିକା ଦେଖାଯିବ । ଆବଶ୍ୟକ ସେବା ଚୟନ କରନ୍ତୁ ।

୩. ତଥ୍ୟ ଓ ଦଲିଲ୍ ଦିଅନ୍ତୁ:

ସେବା ଅନୁଯାୟୀ ଆବଶ୍ୟକ ତଥ୍ୟ ଓ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ଦାଖଲ କରନ୍ତୁ ।

୪. ଆବେଦନ ଦାଖଲ ହେବ:

ତଥ୍ୟ ଓ ଦଲିଲ୍ ଦାଖଲ ପରେ ଆବେଦନଟି ସମ୍ପୃକ୍ତ ପୋଲିସ କାର୍ଯ୍ୟାଳୟ/କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ । ଏକ ରେଫରେନ୍ସ/ଆବେଦନ ନମ୍ବର ମିଳିବ ।

୫. ଆବେଦନର ସ୍ଥିତି ଜାଣନ୍ତୁ:

ରେଫରେନ୍ସ/ଆବେଦନ ନମ୍ବର ବ୍ୟବହାର କରି ହ୍ୱାଟ୍ସଆପ୍‌ରେ ଆବେଦନର ସ୍ଥିତି ଜାଣିପାରିବେ ।

୬. ଡିଜିଟାଲ୍ ଦଲିଲ୍ ପାଆନ୍ତୁ:

ପ୍ରକ୍ରିୟା ସମାପ୍ତ ପରେ, ଯେଉଁ ସେବାରେ ଡିଜିଟାଲ୍ ଦଲିଲ୍ ପ୍ରଦାନର ସୁବିଧା ରହିଛି, ସେଠାରେ ଅନୁମୋଦିତ ଦଲିଲ୍ ହ୍ୱାଟ୍ସଆପ୍ ମାଧ୍ୟମରେ ପାଇପାରିବେ ।

Also Read:- ବୌଦ୍ଧ ଗଞ୍ଜେଇ ଡିଲ୍ ଅଡିଓ ମାମଲା ; IIC ନଳିନୀକାନ୍ତ ଦାସଙ୍କୁ କଟକ ଆଇଜି ଅଫିସକୁ ବଦଳି

‘ଆମ ସାଥୀ’ରେ ୧୪ଟି ପୋଲିସ ସେବା ଯୋଡ଼ାଯିବା ଓଡ଼ିଶାରେ ଡିଜିଟାଲ୍ ଓ ନାଗରିକ-କେନ୍ଦ୍ରିକ ପୋଲିସିଂକୁ ଆହୁରି ସୁଦୃଢ଼ କରିବ । ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପୋଲିସ ସେବାକୁ ଲୋକଙ୍କ ନିକଟରେ ସହଜରେ ପହଞ୍ଚାଇବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପୋଲିସ କମିଶନର ଡ଼ଃ ଏସ. ଦେବଦତ୍ତ ସିଂ, ଆଇଜି ଏସଟିଏଫ ହିମାଂଶୁ ଲାଲ, ଆଇଜି (ଇଣ୍ଟେଲିଜେନ୍ସ) ସତ୍ୟବ୍ରତ ଭୋଇ, ଆଇଜି (କ୍ରାଇମବ୍ରାଞ୍ଚ) ଡ଼ଃ ସାର୍ଥକ ଷଡ଼ଙ୍ଗୀ, CMGIର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ମୀନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଏସପି (କମ୍ପ୍ୟୁଟର) ଅମୂଲ୍ୟ ଧର ଧନ୍ୟବାଦ ଅର୍ପଣ କରିଥିଲେ ।