ବୋରିଗୁମ୍ମା: ହଷ୍ଟେଲରେ ଭୂତ! ଘୁରି ବୁଲୁଛି ପ୍ରେତାତ୍ମା ! ଭୟରେ ହଷ୍ଟେଲ ଛାଡ଼ୁଛନ୍ତି ପିଲାମାନେ। ୨୪୮ ହଷ୍ଟେଲ ଛାତ୍ରଙ୍କ ମଧ୍ୟରୁ ୧୩୦ରୁ ଉର୍ଦ୍ଧ୍ବ ଛାତ୍ର ଏବେ ଘର ମୁହାଁ । ଏମିତିକି ଅଭିଭାବକମାନେ ସ୍କୁଲକୁ ଆସି ନିଜ ନିଜ ପିଲାଙ୍କୁ ଘରକୁ ନେଇ ଯାଉଛନ୍ତି । ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଏବେ ଜଣକ ପରେ ଜଣେ ଛାତ୍ର ସ୍କୁଲ ଛାଡ଼ିବା ନେଇ ଚିନ୍ତାରେ ହଷ୍ଟେଲ କର୍ତ୍ତୃପକ୍ଷ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମା ବ୍ଲକ ଗୁମୁଡ଼ା ଏସଏସଡି ଉଚ୍ଚ ବିଦ୍ୟାଳୟରେ।

ସୂଚନା ଅନୁସାରେ, ଗତ ବୁଧବାର ସ୍କୁଲ ପଛପଟେ ଥିବା ଏକ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଏହା ପୂର୍ବରୁ ସୋମବାର ଦିନ ଉକ୍ତ ଛାତ୍ର ଜଣ ହଷ୍ଟେଲରେ ମଧ୍ୟାହ୍ନ ଭୋଜନ କରିଥିଲେ କିନ୍ତୁ ରାତ୍ରି ଭୋଜନ ବେଳକୁ ଉପସ୍ଥିତ ନଥିଲେ। ଏନେଇ ପାଚିକାମାନେ ହଷ୍ଟେଲ୍ ସୁପେରିଟେଣ୍ଡେଣ୍ଟଙ୍କୁ ଜଣାଇଥିଲେ। ହେଲେ ଛାତ୍ରଙ୍କ ସଂପର୍କରେ କୌଣସି ଖୋଜ ଖବର ମିଳିନଥିଲା। ହେଲେ ବୁଧବାର ତାଙ୍କର ମୃତଦେହ ମିଳିବା ପରେ ହଷ୍ଟେଲରେ ଭୟର ବାତାବରଣ ଖେଳିଯାଇଥିଲା। କୌଣସି ଅଲୌକିକ ଘଟଣାର ଆଶଙ୍କା କରି ଛାତ୍ର ଏବଂ ସେମାନଙ୍କ ଅଭିଭାବକମାନେ ଭୟଭୀତ ହୋଇପଡ଼ିଥିଲେ। ଏମିତିକି ଏହି ଭୟରେ ୧୩୦ରୁ ଅଧିକ ହଷ୍ଟେଲ ଛାଡ଼ିଥିବା ବେଳେ, ଅନେକଙ୍କ ଅଭିଭାବକମାନେ ନିଜେ ପିଲାଙ୍କୁ ଘରକୁ ନେଇଯାଇଛନ୍ତି।

Also Read: ଅଭାବନୀୟ ! ମୋବାଇଲ ରିଚାର୍ଜ ପାଇଁ ଜୀବନ ହାରିଦେଲା ନାବାଳକ

ସେପଟେ ଘଟଣା ପରେ ବିଦ୍ୟାଳୟ ପରିଚାଳନାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଘଟଣାର ପ୍ରାଥମିକ ତଦନ୍ତ ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ପ୍ରତି ଅଣଦେଖା ଅଭିଯୋଗରେ ସ୍କୁଲର ଭାରପ୍ରାପ୍ତ ଶିକ୍ଷକ ମନୋକ କୁମାର ଖଣ୍ଡାୟତ ରାୟଙ୍କ ସମେତ ଦୁଇ ପାଚିକାଙ୍କୁ ନିଲମ୍ବିତ ମଧ୍ୟ କରାଯାଇଛି। ଘଟଣାର ତଦନ୍ତ ପାଇଁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଟିମ୍ ସ୍କୁଲରେ ପହଞ୍ଚି ଘୋଟଣାର ବିଭିନ୍ନ ଦିଗ ଯାଞ୍ଚ କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା ତାହାର ରିପୋର୍ଟ ପ୍ରସ୍ତୁତି କରିବେ। ସେପଟେ ନିଲମ୍ବିତ ହେବା ପରେ ପାଲଟା ଅଭିଯୋଗ ଆଣିଛନ୍ତି ପାଚିକା।