ନୂଆଦିଲ୍ଲୀ: ଆଞ୍ଚଳିକ ବିମାନ ସଂଯୋଗ ହେବ ମଜଭୁତ ଏବଂ ଦେଶବ୍ୟାପୀ ବିମାନ ଭିତ୍ତିଭୂମିକୁ ସମ୍ପ୍ରସାରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଉଡାନ-୨.୦ ଯୋଜନାକୁ ମଞ୍ଜୁରି ମିଳିଛି । ଏହା ଅଧୀନରେ ଦେଶରେ ୧୦୦ଟି ନୂଆ ବିମାନବନ୍ଦର ବିକଶିତ କରାଯିବ ।

ଉଡାନ-୨.୦ ଯୋଜନାକୁ ମଞ୍ଜୁରି:

ସଂଶୋଧିତ ଉଡାନ ଯୋଜନା ୧୦ ବର୍ଷ ଅର୍ଥାତ ୨୦୨୬-୨୭ରୁ ୨୦୩୫-୩୬ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ୨୮,୮୪୦ କୋଟି ଟଙ୍କାର ବଜେଟ ସହାୟତା ଯୋଗାଇ ଦିଆଯିବ। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୈଠକରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ ସୂଚନା ଦେଇ କହିଲେ, ଏହା ସରକାରଙ୍କ ୨୦୪୭ ଭିଜନ ଅନୁରୂପ । ଉଡାନ-୨.୦ ଦ୍ୱାରା ଛୋଟ ସହରଗୁଡ଼ିକରେ ବିମାନ ସଂଯୋଗ ବଢ଼ିବ ଏବଂ ସେଠାରେ ଆର୍ଥିକ ଗତିବିଧି, ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ମିଳିବ ପ୍ରୋତ୍ସାହନ ।

​​​​​​​

Image Courtsy-AI

ଉଡାନ ଯୋଜନାକୁ ୨୦୧୬ ଅକ୍ଟୋବରରେ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକଙ୍କ ପାଇଁ ଯାତାୟାତକୁ ସୁଲଭ କରିବା ଏବଂ ଟିୟର-୨ ତଥା ଟିୟର-୩ ସହରଗୁଡ଼ିକରେ ବିମାନ ସଂଯୋଗ ବଢ଼ାଇବା । ଗତ ୯ ବର୍ଷରେ ୯୫ ବିମାନ ବନ୍ଦର, ହେଲିପୋର୍ଟସ ଏବଂ ଏରୋଡ୍ରମରେ ୬୬୩ ରୁଟ୍କୁ କାର୍ଯ୍ୟକ୍ଷମ କରାଯାଇଛି । ଉଡ଼ାନ-୧ ଯୋଜନା ମାଧ୍ୟମରେ ୧.୬୨ କୋଟି ଯାତ୍ରୀ ଯାତ୍ରା କରିଛନ୍ତି ।

୧୦୦ ନୂଆ ବିମାନବନ୍ଦର:​​​​​​​

ସଂଶୋଧିତ ଉଡାନ ସ୍କିମ୍ ଦ୍ୱାରା ଆଞ୍ଚଳିକ ସଂଯୋଗ ବଢ଼ାଇବା ପାଇଁ ପୁରୁଣା ଅନ୍ସର୍ଭଡ ବା ସେବାରୁ ବଞ୍ଚିତ ଏୟାର୍ଷ୍ଟ୍ରିପ୍ସ ମାଧ୍ୟମରେ ୧୦୦ ବିମାନବନ୍ଦର ବିକଶିତ କରାଯିବ । ବୈଷ୍ଣବ କହିଲେ, ଏହି ଯୋଜନା ମାଧ୍ୟମରେ ନୂଆ ବିମାନବନ୍ଦରକୁ ଚ୍ୟାଲେଞ୍ଜ୍ ମୋଡ୍ରେ ବିକଶିତ କରାଯିବ । ଏଥିରେ ପ୍ରତି ବିମାନବନ୍ଦର ପିଛା ହାରାହାରି ଖର୍ଚ୍ଚ ୧୦୦ କୋଟି ଟଙ୍କା ହେବ ଏବଂ ମୋଟ ବଜେଟ ସହାୟତା ୧୨,୧୫୯ କୋଟି ଟଙ୍କା ରହିବ ।

ଏହାଛଡ଼ା ୨୦୦ ଆଧୁନିକ ହେଲିପ୍ୟାଡ୍ ବି ବିକଶିତ କରାଯିବ । ଏଥିପାଇଁ ୩,୬୬୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଉଦ୍ଦେଶ୍ୟ ହେଉଛି ପାହାଡ଼ିଆ, ପୂର୍ବୋତ୍ତର ଏବଂ ଆକାଂକ୍ଷୀ ଅଞ୍ଚଳଗୁଡ଼ିକରେ ବିମାନ ଯୋଗାଯୋଗରେ ସୁଧାର ଆଣିବା । ବିମାନ କମ୍ପାନିଗୁଡ଼ିକୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଆଗାମୀ ୫ ବର୍ଷ ସୁଦ୍ଧା ୮୦ରୁ୯୦% ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ ଦେବେ । ଏଥିପାଇଁ ୧୦,୦୪୩ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ।