କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କି କିଭ୍ ଗସ୍ତରେ ଆସିଥିବା ଆମେରିକୀୟ ପ୍ରତିନିଧିଙ୍କ ସହ ବାର୍ତ୍ତା କରିଛନ୍ତି। ପରେ କହିଛନ୍ତି ଏହି ଯୁଦ୍ଧ ହୁଏତ ଆଗାମୀ ଶୀତ ଋତୁ ପର୍ଯ୍ୟନ୍ତ ଚାଲିପାରେ। ଆମେରିକୀୟ ଦୂତ ଷ୍ଟିଭ ଭିଟକଫ ଓ ଜେଲେନସ୍କି ଉଭୟ ଏହି ଆଲୋଚନାକୁ ନେଇ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି, ତେବେ କେହି ହେଲେ ଋଷିଆ ସହିତ ଜାରି ଯୁଦ୍ଧ ସମାପ୍ତ କରିବାକୁ ନେଇ କୌଣସି ବଡ଼ ସଫଳତା ଘୋଷଣା କରି ନାହାନ୍ତି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ଭିଟକଫ ଓ ଜେରେଡ କୁଶ୍ନର ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିବାର ଦିନକ ପରେ କିଭ୍ ପହଞ୍ଚିଥିଲେ। ଆମେରିକୀୟ ପ୍ରତିନିଧିଙ୍କ ଏହା ପ୍ରଥମ କିଭ ଗସ୍ତ କାର୍ଯ୍ୟକ୍ରମ ଥିଲା। କିଭ ଗତ ୪ ବର୍ଷରୁ ଊର୍ଦ୍ଧ୍ୱ କାଳ ହେଲେ ଋଷିଆର ଭୀଷଣ ଆକ୍ରମଣ ସମ୍ମୁଖୀନ ହୋଇଛି। ଜେଲେନସ୍କି କହିଛନ୍ତି ଯେ ଆମେ ଆଶା କରୁଛୁ ଆମର ଆମେରିକୀୟ ଭାଗିଦାରଙ୍କ ସହ କୌଣସି ବୁଝାମଣା ପର୍ଯ୍ୟନ୍ତ ପହଞ୍ଚି ପାରିବୁ। ଯଦି ଯୁଦ୍ଧ ଶୀତ ଋତୁରେ ବି ଜାରି ରହିଲା, ଯାହା ଏବେ ଅନୁମାନ କରାଯାଉଛି ତେବେ ଆମେ ଆମର ୟୁରୋପୀୟ ସହଯୋଗୀଙ୍କ ସମର୍ଥନ ଉପରେ ମଧ୍ୟ ଭରସା କରୁଛୁ।

ଜେଲେନସ୍କି କହିଛନ୍ତି ଯେ ଆମେରିକା, ଫ୍ରାନ୍ସ ଓ ଜର୍ମାନ ସହ ୟୁକ୍ରେନ ଏ ବାବଦେ ଆଲୋଚନା କରିବ, ତେବେ ଏ ସମ୍ପର୍କରେ ସେ ବିସ୍ତୃତ ସୂଚନା ଦେଇ ନାହନ୍ତି। ତେବେ ୟୁକ୍ରେନୀୟ ନେତା ଦୋହରାଇଛନ୍ତି ଯେ କେବଳ ଶୀର୍ଷ ନେତାଙ୍କ ମଧ୍ୟରେ ଏକ ବୈଠକ ଏହି ପ୍ରସଙ୍ଗର ସମାଧାନ କରିଦେଇ ପାରିବ। ମସ୍କୋ ବର୍ତ୍ତମାନ ପୂର୍ବ ଓ ଦକ୍ଷିଣ ୟୁକ୍ରେନର ବିଶାଳ ଭାଗ ମାଡିବସିଛି। ଶନିବାର ଆମେରିକୀୟ ପ୍ରତିନିଧିଙ୍କ ସହ ଆଲୋଚନା କାଳରେ କ୍ରେମଲିନ୍ ଆଗକୁ ଆହୁରି ବଢି ପାରେ ବୋଲି ମଧ୍ୟ ଆଶ୍ୱସ୍ତ ଥିବା କହିଛି।

ମସ୍କୋର କହିବା କଥା ହେଉଛି ସେ କେବଳ ସେହି କ୍ଷେତ୍ର ଉପରେ ଅଧିକାର ଚାହୁଁନି ବରଂ ଯେଉଁ ଭୂମିକୁ ନିଜର ଭାବୁଛି ସେ ବାବଦେ ଅଧିକାରୀକ ଋଷିୟା ମାନ୍ୟତା ମଧ୍ୟ ଦାବି କରୁଛି, ଯାହା ୟୁକ୍ରେନକୁ ଆଦୌ ମଞ୍ଜୁର ନୁହେଁ। ଆମେରିକୀୟ ଦୂତ ଷ୍ଟିଭ ଭିଟକଫ କହିଛନ୍ତି ଯେ ଉଭୟ ପକ୍ଷଙ୍କୁ ଏ ବାବଦେ ବୁଝାମଣା କରିବାକୁ ପଡିବ।