ନୂଆଦିଲ୍ଲୀ: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ୍ ରହମାନଙ୍କ ଝିଅ ଜୈମା ରହମାନଙ୍କୁ ଜାତିସଂଘ ମହାସଭା (UNGA) ସଭାପତିଙ୍କ କାର୍ଯ୍ୟାଳୟରେ 'ଲିଗାଲ୍ ଅଫିସର୍' ଭାବରେ ନିଯୁକ୍ତି ଦିଆଯିବାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହି ପଦବୀ ପାଇଁ ଜାତିସଂଘ (UN) ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞାପନ ପ୍ରକାଶ ପାଇ ନଥିବାରୁ ଏହି ନିଯୁକ୍ତି ପ୍ରକ୍ରିୟାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏହି ମାମଲାରେ ବିଶେଷ କରି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ତଥା ଜାତିସଂଘ ମହାସଭାର ୮୧ତମ ଅଧିବେଶନର ସଭାପତି ଖଲିଲୁର ରହମାନଙ୍କ ଭୂମିକାକୁ ନେଇ କଡ଼ା ସମାଲୋଚନା କରାଯାଉଛି। UNGA ସଭାପତିଙ୍କ କାର୍ଯ୍ୟାଳୟର ଅଫିସିଆଲ୍ ୱେବସାଇଟ୍‌ରେ ଜୈମାଙ୍କ ନାମ 'ଲିଗାଲ୍ ଅଫିସର୍ ବାଂଲାଦେଶ' ଉଲ୍ଲେଖ ରହିଛି । ଏହା ତାଙ୍କୁ ସିଧାସଳଖ ଖଲିଲୁର ରହମାନଙ୍କ କାର୍ଯ୍ୟାଳୟ ସହ ଯୋଡ଼ୁଛି।

ନର୍ଥ ଇଷ୍ଟ ନ୍ୟୁଜ୍ ଅନୁସାରେ, ୟୁକେ (UK) ରୁ ଆଇନରେ ଡିଗ୍ରୀ ହାସଲ କରିଥିବା ଜୈମାଙ୍କ ପୂର୍ବ କାର୍ଯ୍ୟ ଦକ୍ଷତା ଏତେ ଅଧିକ ନୁହେଁ। ତାଙ୍କ କାର୍ଯ୍ୟକାଳ ରେକର୍ଡ ଦର୍ଶାଉଛି ଯେ, ସେ କୌଣସି ବି ସଂସ୍ଥାରେ ଦେଢ଼ ବର୍ଷରୁ ଅଧିକ ସମୟ କାମ କରିନାହାନ୍ତି। ସେ ୟୁକେର 'ଷ୍ଟ୍ରାଣ୍ଡ ଚାମ୍ବର୍ସ'ରେ ୫ ମାସ ପାଇଁ ଲିଗାଲ୍ ଆସିଷ୍ଟାଣ୍ଟ, 'ନ୍ୟୁକ୍ଲିୟସ୍ ଲିଗାଲ୍ ଆଡଭାଇସ୍ ସେଣ୍ଟର'ରେ ଆସେସ୍ କୋଅର୍ଡିନେଟର ଏବଂ 'ଜେଫ୍ରିଜ୍ ସୋଲିସିଟର୍ସ', 'ELMS ଲିଗାଲ୍' ଓ 'ଏଶଲେ ଟେଲର୍ସ ଲିଗାଲ୍' ଭଳି ଫର୍ମଗୁଡ଼ିକରେ ୧୨ ମାସ ଲେଖାଏଁ କୋର୍ଟ ଆଡଭୋକେଟ୍ ଭାବରେ କାର୍ଯ୍ୟ କରିଛନ୍ତି। କୌଣସି ପ୍ରମୁଖ ସଂସ୍ଥାରେ ଦୀର୍ଘଦିନର ଅଭିଜ୍ଞତା ନଥାଇ ମଧ୍ୟ ଏତେ ଶୀଘ୍ର ଏକ ହାଇ-ପ୍ରୋଫାଇଲ୍ ଅନ୍ତର୍ଜାତୀୟ କୂଟନୈତିକ ପଦବୀରେ ତାଙ୍କର ନିଯୁକ୍ତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରାଜନୈତିକ ସମୀକ୍ଷକମାନଙ୍କ ମତରେ, ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟ ଏବଂ ନ୍ୟୁୟର୍କସ୍ଥିତ UN ମିସନ୍ ନିଜର ଦ୍ୱିପାକ୍ଷିକ ପ୍ରଭାବ ବ୍ୟବହାର କରି ଜୈମାଙ୍କୁ ବାଂଲାଦେଶୀ ଜାତୀୟ ପ୍ରତିନିଧିମଣ୍ଡଳୀ କୋଟାରେ ଏହି ପଦବୀ ଦେବାରେ ସାହାଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଝିଅ ହୋଇଥିବାରୁ ଏବଂ ପରିବାରର ଅନ୍ତର୍ଜାତୀୟ ସମ୍ପର୍କ (ତାଙ୍କ ଖୁଡ଼ି ଆଇରିନ୍ ଖାନ୍ ଏମ୍ନେଷ୍ଟି ଇଣ୍ଟରନ୍ୟାସନାଲର ପୂର୍ବତନ ମହାନିର୍ଦ୍ଦେଶକ ଥିଲେ) ଯୋଗୁଁ ତାଙ୍କୁ ଏହି ନୀତି-ନିର୍ଦ୍ଧାରଣ ମଞ୍ଚରେ ସୁଯୋଗ ମିଳିଛି। ଏବେ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।