ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ, ଅସଦାଚରଣ ଏବଂ ରାଗିଂ ଅଭିଯୋଗକୁ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ବାହାର ଲୋକଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ କୌଣସି ଆକ୍ରମଣ କିମ୍ବା ସଂଘବଦ୍ଧ ଅପରାଧିକ କାର୍ଯ୍ୟକଳାପ ଘଟିନାହିଁ ବୋଲି ମନ୍ତ୍ରୀ ଗୃହକୁ ସ୍ପଷ୍ଟ କରିଛନ୍ତି । ଏଥିସହ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଆସିଥିବା ଅଭିଯୋଗ ଓ ସେଗୁଡ଼ିକ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ସୂଚନା ଦେଇଛନ୍ତି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ

ଏହି ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଏବଂ ଅପରାଧିକ ଧମକ ନେଇ ୨ଟି ଅଭିଯୋଗ ହୋଇଥିଲା । ଏହାକୁ ଗମ୍ଭୀରତାର ସହ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶହୀଦ ନଗର ଥାନା ଆଇଆଇସି (IIC) ଙ୍କୁ ସୂଚିତ କରିଛନ୍ତି ।

Also Read: ଓଡ଼ିଶାରେ ୧୩ ଲକ୍ଷରୁ ଉର୍ଦ୍ଧ୍ୱ ବେକାର ଯୁବକଯୁବତୀ, ଲାଇଭ୍ ରେଜିଷ୍ଟରରେ ୧.୪୩ ଲକ୍ଷ ଡିଗ୍ରୀ ଓ ଡିପ୍ଲୋମାଧାରୀ

ଉତ୍କଳ ବିଶ୍ୱବିଦ୍ୟାଳୟ

ଜୁନ୍ ୨୦୨୪ ରୁ ଏପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟ ପରିସରରୁ ରାଗିଂ ଓ ଦୁର୍ବ୍ୟବହାର ନେଇ ମୋଟ ୪ଟି ଅଭିଯୋଗ ଆସିଥିଲା। ଏହି ସମସ୍ତ ଘଟଣାରେ ଉଚିତ ଅନୁସନ୍ଧାନ କରାଯାଇ ସମସ୍ୟାର ସମାଧାନ କରାଯାଇସାରିଛି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

ଚଳିତ ୨୦୨୪-୨୫ ଶିକ୍ଷାବର୍ଷ ମଧ୍ୟରେ ରାଗିଂ ସମ୍ପର୍କିତ ୧ଟି ଅଭିଯୋଗ ହୋଇଥିଲା । ବିଶ୍ୱବିଦ୍ୟାଳୟର 'ଆଣ୍ଟି-ରାଗିଂ କମିଟି' ଦ୍ୱାରା ଏହାର ତଦନ୍ତ ସରିଥିବା ବେଳେ ଆବଶ୍ୟକ ରିପୋର୍ଟ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) କୁ ପଠାଯାଇଛି ।

ଶିକ୍ଷାନୁଷ୍ଠାନଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପରିବେଶ ବଜାୟ ରଖିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଯେକୌଣସି ଅଭିଯୋଗ ଉପରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ଦୋହରାଇଛନ୍ତି ।