ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଝିଅ ଅଦିତୀ ଯାଦବଙ୍କୁ ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆପତ୍ତିଜନକ ପୋଷ୍ଟକୁ ନେଇ ମୁହଁ ଖୋଲିଛନ୍ତି। ଯୋଗୀ କହିଛନ୍ତି ଯେ ଝିଅଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ତାଙ୍କ ସରକାର ‘ଜିରୋ ଟୋଲେରାନ୍ସ’ନୀତିରେ କାମ କରୁଛନ୍ତି। ତେଣିକି ସେ କାହାର ବି ଝିଅ ହୋଇଥାନ୍ତୁ ନା କାହିଁକି ମାମଲାରେ ବିନା କୌଣସି ପକ୍ଷପାତରେ ଉଚିତ କାର୍ଯ୍ୟାନୁଷ୍ଠାନ କରାଯାଇଛି।

ସୋସିଆଲ ମିଡିଆରେ ନିକଟରେ ଏକ ଗୁଜବ ବ୍ୟାପିଥିଲା। ଏଥିରେ ଅଖିଳେଶଙ୍କ ଝିଅ ଅଦିତୀ ୭ କୋଟି ଟଙ୍କା ନେଇ ଘରୁ କେଉଁଆଡେ ପଳାଇଥିବା ଖବର ପ୍ରସାରିତ ହୋଇଥିଲା। ଏହି ଘଟଣାକୁ ନେଇ ରାଜନୈତିକ ଅଳିନ୍ଦରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଥିଲା। ଆଜମଗଡ଼ରେ ଏକ କାର୍ଯ୍ୟକ୍ରମ କାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରସଙ୍ଗରେ କହିଛନ୍ତି, ସେ କହିଛନ୍ତି ଯେ ସମାଜବାଦୀ ପାର୍ଟିର ଜାତୀୟ ସଭାପତି ଅଖିଳେଶ ଯାଦବଙ୍କ ଝିଅଙ୍କ ବିରୋଧରେ ସୋସିଆଲ ମିଡିଆରେ ଅନୁଚିତ ଟିପ୍ପଣୀ ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ବିରୋଧରେ ଆପତ୍ତିଜନକ ଓ ଭ୍ରମାତ୍ମକ କଥା କୁହାଯାଇଥିଲା। ମାମଲା ନଜରକୁ ଆସିବା ମାତ୍ରେ ପୋଲିସକୁ ତୁରନ୍ତ ଏତଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

କୌଣସି ଝିଅଙ୍କ ବିରୋଧରେ ଅପମାନ ଜନକ ଟିପ୍ପଣୀକୁ ଆଦୌ ବରଦାସ୍ତ କରାଯିବା ଉଚିତ ନୁହେଁ। ଯୋଗୀ କହିଛନ୍ତି ଯେ ଆଇନ ସମସ୍ତଙ୍କ ଲାଗି ସମାନ ଓ ଏହି ମାମଲାରେ ମଧ୍ୟ ବିନା କୌଣସି ଭେଦଭାବରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ପ୍ରସଙ୍ଗରେ କହିବା ସହିତ ସପା ମୁଖିଆ ଅଖିଳେଶ ଯାଦବଙ୍କୁ ମଧ୍ୟ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଅନ୍ୟକୁ ଶିକ୍ଷା ଦେବା ପୂର୍ବରୁ ନିଜ ସମର୍ଥକଙ୍କୁ ମଧ୍ୟ ଭାଷାର ମର୍ଯ୍ୟଦା ପାଳନ କରିବା ଲାଗି ଶିକ୍ଷା ଦିଅନ୍ତୁ। ଯୋଗୀ କହିଛନ୍ତି ଯେ ଗଣତନ୍ତ୍ରରେ ସମାଲୋଚନା ଅଛି ହେଲେ ବ୍ୟକ୍ତିଗତ ଓ ପାରିବାରିକ ସ୍ତରରେ ଅଭଦ୍ର ଟିପ୍ପଣୀର କୌଣସି ସ୍ଥାନ ନାହିଁ।