ନୂଆଦିଲ୍ଲୀ ୨୭।୧୧; ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ଡିସେମ୍ବର ୧ ତାରିଖରୁ SBI କ୍ରେଡିଟ୍ କାର୍ଡର କିଛି ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ଟ୍ରାନ୍ସପୋର୍ଟେସନ୍ ଓ ଫ୍ୟୁଏଲ୍ ଖର୍ଚ୍ଚ ଉପରେ ପଡ଼ିବ। ନୂଆ ନିୟମ ଅନୁଯାୟୀ, ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଟଙ୍କାର କାରବାର କଲେ ଗ୍ରାହକଙ୍କୁ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ।

SBI କାର୍ଡ ପକ୍ଷରୁ ଅକ୍ଟୋବର ୨୭ ତାରିଖରେ ଏକ ନୋଟିସ୍ ଜାରି କରି ଏହି ପରିବର୍ତ୍ତନ ବିଷୟରେ ଗ୍ରାହକଙ୍କୁ ଅବଗତ କରାଯାଇଥିଲା । ଏହି ନୂଆ ଚାର୍ଜ ଟ୍ରାନ୍ସପୋର୍ଟେସନ୍ ଓ ଫ୍ୟୁଏଲ୍ ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ କାରବାର ଉପରେ ଲାଗୁ ହେବ। ତେଣୁ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ନିଜ ଖର୍ଚ୍ଚ ଉପରେ ନଜର ରଖିବା ଜରୁରୀ।

ଟ୍ରାନ୍ସପୋର୍ଟେସନ୍ ଖର୍ଚ୍ଚରେ ଲାଗିବ ଚାର୍ଜ

ନୂଆ ନିୟମ ଅନୁଯାୟୀ, ଗୋଟିଏ ବିଲିଂ ସାଇକେଲ୍ରେ ୩୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ଯୋଗ୍ୟ ଟ୍ରାନ୍ସପୋର୍ଟେସନ୍ କାରବାର ଉପରେ ୧ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗିବ। ଏହି କାରବାରଗୁଡ଼ିକୁ MCC 4111, 4784 ଓ 4131 ଭଳି ମର୍ଚ୍ଚାଣ୍ଟ କ୍ୟାଟେଗୋରୀ କୋଡ୍ ଆଧାରରେ ଚିହ୍ନଟ କରାଯିବ । ଉଦାହରଣ ସ୍ୱରୂପ, ଯଦି ଜଣେ ଗ୍ରାହକ ୩୫ ହଜାର ଟଙ୍କାର ଯୋଗ୍ୟ ଟ୍ରାନ୍ସପୋର୍ଟେସନ୍ ପେମେଣ୍ଟ କରନ୍ତି, ତେବେ ତାଙ୍କୁ ୩୫୦ ଟଙ୍କା ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ । ସେହିପରି ୫୦ ହଜାର ଟଙ୍କାର କାରବାରରେ ୫୦୦ ଟଙ୍କା ଅତିରିକ୍ତ ଶୁଳ୍କ ଲାଗିବ ।

ପେଟ୍ରୋଲ ଓ ଡିଜେଲ୍ ଖର୍ଚ୍ଚ ବଢ଼ିବ 

କେବଳ ଟ୍ରାନ୍ସପୋର୍ଟେସନ୍ ନୁହେଁ, ଫ୍ୟୁଏଲ୍ ଖର୍ଚ୍ଚ ଉପରେ ମଧ୍ୟ ନୂଆ ନିୟମ ଲାଗୁ ହେବ । ଗୋଟିଏ ବିଲିଂ ସାଇକେଲ୍ରେ ଯୋଗ୍ୟ ଫ୍ୟୁଏଲ୍ କାରବାରର ମୋଟ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେଲେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ । ଉଦାହରଣ ସ୍ୱରୂପ, ଯଦି ଜଣେ SBI କ୍ରେଡିଟ୍ କାର୍ଡ ଗ୍ରାହକ ଗୋଟିଏ ବିଲିଂ ସାଇକେଲ୍ରେ ୫୫ ହଜାର ଟଙ୍କାର ଯୋଗ୍ୟ ଫ୍ୟୁଏଲ୍ କାରବାର କରନ୍ତି, ତେବେ ଏହା ଉପରେ ୧ ପ୍ରତିଶତ ଅର୍ଥାତ୍ ୫୫୦ ଟଙ୍କା ଅତିରିକ୍ତ ଶୁଳ୍କ ଲାଗିବ । ତେଣୁ ଡିସେମ୍ବର ୧ରୁ SBI କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ଟ୍ରାନ୍ସପୋର୍ଟେସନ୍ ଓ ଫ୍ୟୁଏଲ୍ ଖର୍ଚ୍ଚ କରିବା ସମୟରେ ସତର୍କ ରହିବା ଆବଶ୍ୟକ। ଅତିରିକ୍ତ ଚାର୍ଜରୁ ବର୍ତ୍ତିବା ପାଇଁ ନିଜ ବିଲିଂ ସାଇକେଲ୍ର କାରବାର ଉପରେ ନଜର ରଖିବା ସହ ନୂଆ ନିୟମ ବିଷୟରେ ଜାଣି ରଖନ୍ତୁ ।