ହାଇଦ୍ରାବାଦ : ସାଉଥ୍ ସୁପରଷ୍ଟାର୍ ଯଶ ଏବେ ତାଙ୍କର ଆଗାମୀ ଫିଲ୍ମ ‘ଟକ୍ସିକ୍’ ଓ ‘ରାମାୟଣ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ‘ଟକ୍ସିକ୍’ରେ ଯଶଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିବ, ଯେତେବେଳେ ‘ରାମାୟଣ’ରେ ସେ ରାବଣ ଭୂମିକାରେ ନଜର ଆସିବେ। ଆଉ ଏହାରି ଭିତରେ ‘KGF’ ଷ୍ଟାର୍ ୟଶଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଦୁଇଟି ବଡ଼ ପ୍ରୋଜେକ୍ଟ ମଧ୍ୟରେ ଏବେ ଯଶଙ୍କ ପରବର୍ତ୍ତୀ ଫିଲ୍ମକୁ ନେଇ ମଧ୍ୟ ବଡ଼ ଅପଡେଟ୍ ଆସିଛି। ‘ଟକ୍ସିକ୍’ ଓ ‘ରାମାୟଣ’ ପରେ ଯଶଙ୍କ ହାତକୁ ଆସିଛି ଆଉ ଏକ ବଡ଼ ପ୍ରୋଜେକ୍ଟର ଅଫର । ଏଥର ରାମାୟଣ ଠୁ ବଡ଼ ବଜେଟର ଫିଲ୍ମ ପାଇଁ ଜଣେ ଚର୍ଚ୍ଚିତ ଫିଲ୍ମ ପ୍ରଯୋଜକଙ୍କ ସହ ହାତ ମିଳାଇଛନ୍ତି ୟଶ । ତେବେ କିଏ ଏହି ଫିଲ୍ମମେକର୍ ? ଆଉ କେବେ ଆରମ୍ଭ ହେବ ଯଶଙ୍କ ଏହି ବିଗ ପ୍ରୋଜେକ୍ଟ ?

ରିପୋର୍ଟ ଅନୁସାରେ, ଯଶ ଆଗାମୀ ଦିନରେ ତେଲୁଗୁ ସିନେମାର ଚର୍ଚ୍ଚିତ ପ୍ରଯୋଜକ ଦିଲ୍ ରାଜୁଙ୍କ ସହ ଏକ ନୂଆ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ‘ଟକ୍ସିକ୍’ର ତେଲୁଗୁ ପ୍ରି-ରିଲିଜ୍ ଇଭେଣ୍ଟରେ ଦିଲ୍ ରାଜୁ ନିଜେ ଯଶଙ୍କ ସହ ଭବିଷ୍ୟତରେ ଏକ ପ୍ରୋଜେକ୍ଟରେ କାମ କରିବା ନେଇ ସଙ୍କେତ ଦେଇଛନ୍ତି। ତେବେ ଏହି ନୂଆ ଫିଲ୍ମର କାହାଣୀ କଣ ହେବ, କିଏ ଏହାକୁ ନିର୍ଦ୍ଦେଶନା ଦେବେ ଏବଂ ଯଶଙ୍କ ବିପକ୍ଷରେ କେଉଁ ଅଭିନେତ୍ରୀ ନଜର ଆସିବେ ସେନେଇ ବିସ୍ତୃତ ଭାବେ ସୂଚନା ମିଳିନାହିଁ । ତେବେ ଯଶଙ୍କ ବଢ଼ୁଥିବା ପାନ୍-ଇଣ୍ଡିଆ ଫ୍ୟାନ୍ ଫଲୋଇଂକୁ ଦେଖି ଏହି କୋଲାବରେସନ୍କୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢ଼ିଛି।

ଯଶଙ୍କ ଆଗାମୀ ଫିଲ୍ମ ‘ଟକ୍ସିକ୍’ ଗୀତୁ ମୋହନଦାସଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି। ଏହା ପରେ ଯଶ ନିତେଶ ତିୱାରୀଙ୍କ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ। ‘ରାମାୟଣ’ରେ ରଣବୀର କପୁର ଓ ସାଇ ପଲ୍ଲବୀଙ୍କ ଭଳି ଅଭିନେତା-ଅଭିନେତ୍ରୀ ମଧ୍ୟ ରହିଛନ୍ତି। ଆଉ ପୁଣି ଏବେ ଦିଲ୍ ରାଜୁଙ୍କ ସହ ଯଶଙ୍କ ନୂଆ ପ୍ରୋଜେକ୍ଟର ଘୋଷଣା ଫ୍ୟାନ୍ସଙ୍କ ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ତେବେ ଯଶଙ୍କ ବ୍ୟସ୍ତ ସିଡ୍ୟୁଲ୍ ଯୋଗୁଁ ଏହି ପ୍ରୋଜେକ୍ଟ ଆରମ୍ଭ ହେବାକୁ କିଛି ସମୟ ଲାଗିପାରେ। ଫିଲ୍ମର ଅଫିସିଆଲ୍ ଟାଇଟଲ୍, ନିର୍ଦ୍ଦେଶକ ଓ ଅନ୍ୟ କାଷ୍ଟ ସମ୍ପର୍କରେ ଆଗାମୀ ଦିନରେ ଅଧିକ ସୂଚନା ମିଳିପାରେ ଵୋଲି ଆଶା କରାଯାଉଛି। ତେବେ ‘ଟକ୍ସିକ୍’ ଓ ‘ରାମାୟଣ’ ପରେ ଦିଲ୍ ରାଜୁଙ୍କ ସହ ଯଶଙ୍କ ଏହି ନୂଆ ପ୍ରୋଜେକ୍ଟ କେତେ ବଡ଼ ଧମାକା କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର।