ନୂଆଦିଲ୍ଲୀ, ୦୪/୦୧ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିକ୍ତତା ବଡିବାରେ ଲାଗିଛି । ଯାହା ଏବେ କ୍ରିକେଟ୍ ମଇଦାନକୁ ଆସିଲାଣି । ଆଇପିଏଲରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରେହମାନଙ୍କୁ ବିଦା କରାଯିବା ପରେ ଏବେ ରାଗରେ ଜଳୁଛି ବାଂଲା କ୍ରିକେଟ୍ ବୋର୍ଡ୍ । ଅନେକ ବାଦ ବିବାଦ ପରେ ତାଙ୍କୁ ଶନିବାର କୋଲକାତା ନାଇଟ୍ ରାଇଡର୍ସ ରିଲିଜ୍ କରିଥିଲା । ଏବେ ସେଠାକାର କ୍ରିକେଟ୍ ବୋର୍ଡ ଟି୨୦ ବିଶ୍ୱକପ୍ ମୁକାବିଲାର ଖେଳସୂଚୀ ପରିବର୍ତ୍ତନ ପାଇଁ ଦାବି କରିଛି ।

ଫେବ୍ରୁଆରୀ ମାସରେ ଟି୨୦ ବିଶ୍ୱକପ୍ ଖେଳାଯିବ । ଯାହାର ଆୟୋଜକ ହେଉଛନ୍ତି ଭାରତ ଏବଂ ଶ୍ରୀଲଙ୍କା । ତେବେ ପାକିସ୍ତାନ ଏବଂ ଭାରତ ବିପକ୍ଷ ମୁକାବିଲା ଶ୍ରୀଲଙ୍କାରେ ଖେଳାଯିବ । ଏବେ ବାଂଲାଦେଶ ନିଜ ମ୍ୟାଚକୁ ଭାରତ ବଦଳରେ ଶ୍ରୀଲଙ୍କାକୁ ପରିବର୍ତ୍ତନ ପାଇଁ ଦାବି କରିଛି ।

ବାଂଲା ସରକାରଙ୍କ ପରାମର୍ଶଦାତା ଆସିଫ୍ ନାଜରୁଲ କହିଛନ୍ତି ଯେ, ୨୦୨୬ ଟି୨୦ ବିଶ୍ୱକପରେ ଭାରତରେ ବାଂଲାଦେଶର ଅନେକ ମୁକାବିଲା ଖେଳାଯିବ । ହେଲେ ଏସବୁକୁ ଭାରତରେ ନଖେଳାଯାଇ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯିବା ଦରକାର । ଯେପରି ଭାରତ ପୂର୍ବରୁ ପାକିସ୍ତାନ ବିପକ୍ଷ ମୁକାବିଲାକୁ ଆୟୋଜନ କରିଥିଲା । ଏହାସହ ବାଂଲାଦେଶରେ ଆଇପିଏଲର ବ୍ରଡକାଷ୍ଟକୁ ସସପେଣ୍ଡ୍ ପାଇଁ କୁହାଯାଇଛି ।

ସେ ଆହୁରି କହିଛନ୍ତି ଯେ, ବାଂଲାଦେଶୀ କ୍ରିକେଟରଙ୍କୁ ଯେପରି ଭାବେ ବ୍ୟବହାର ପ୍ରଦର୍ଶନ କରାଯାଇଛି ତାହା ଗ୍ରହଣୀୟ ନୁହେଁ । ଖାଲି ଏତିକି ନୁହେଁ ବାଂଲା କ୍ରିକେଟ୍ ବୋର୍ଡ କହିଛି ଯେ, ପୂର୍ବରୁ ଭାରତୀୟ କ୍ରିକେଟ୍ ସହ ସାମାନ୍ୟ ଭଲ ସମ୍ପର୍କ ଥିଲା । ଏବେ କିନ୍ତୁ ସେ ସବୁ ନାହିଁ । ମୁସ୍ତାଫିଜୁରଙ୍କ ଚୁକ୍ତି କାହିଁକି ବାତିଲ ହେଲା ସେନେଇ ବିସିସିଆଇ ସ୍ପଷ୍ଟୀକରଣ ଦେବା ଦରକାର । ଏବେସୁଦ୍ଧା ବିସିସିଆଇ ଔପଚାରିକ ଭାବେ ବାଂଲା କ୍ରିକେଟ୍ ବୋର୍ଡ ସହ କଥା ହୋଇନଥିବା ପଡୋଶୀ କ୍ରିକେଟ୍ ବୋର୍ଡ କହିଛି ।

ବିସିସିଆଇର ପ୍ରତିକ୍ରିୟା

ଭାରତୀୟ କ୍ରିକେଟ୍ ବୋର୍ଡ କହିଛି ଯେ.ଏବେ ଆଉ ସମୟ ନାହିଁ । ଖେଳସୂଚୀ କିମ୍ବା ସ୍ଥାନରେ ପରିବର୍ତ୍ତନ କରିହେବ ନାହିଁ । ଟୁର୍ଣ୍ଣାମେଣ୍ଟର ଆୟୋଜନକୁ ଆଉ ମାତ୍ର ଅଳ୍ପ ଦିନ ବାକି ରହିଛି । କାହା ଇଚ୍ଛାରେ ଖେଳସୂଚୀର ଭେନ୍ୟୁକୁ ସ୍ଥାନାନ୍ତର କରାଯାଇପାରିବ ନାହିଁ ।ଅନେକ ଖେଳାଳିଙ୍କୁ ଟିକେଟ୍ ଦିଆଯାଇଛି । ହୋଟେଲ୍ ବୁକ୍ ହୋଇଛି । କେବଳ କଥା କହିବା ସହଜ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।