ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରୁ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କୁ ଏକ ବଡ଼ ଝଟକା ଲାଗିଛି। ମହିଳା ସଂରକ୍ଷଣ ଆଇନକୁ ତୁରନ୍ତ ଲାଗୁ କରିବା ଦାବିରେ ଜନ୍ତର-ମନ୍ତରଠାରେ ହୋଇଥିବା ଏକ ବିକ୍ଷୋଭ ପ୍ରଦର୍ଶନ ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ଜୁନ ୫ରେ ରାଉଜ୍ ଆଭେନ୍ୟୁ କୋର୍ଟରେ ତାଙ୍କର ଦଣ୍ଡବିଧାନ ଉପରେ ଚୂଡ଼ାନ୍ତ ବିତର୍କ ଓ ଶୁଣାଣି ହେବ।

କ’ଣ ଥିଲା ମାମଲା ?

ଜୁଲାଇ ୨୦୨୪ ମସିହାରେ, ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଅଳକା ଲାମ୍ବାଙ୍କ ନେତୃତ୍ୱରେ ମହିଳା କଂଗ୍ରେସ ପକ୍ଷରୁ ଦିଲ୍ଲୀର ଜନ୍ତର-ମନ୍ତରରେ ଆନ୍ଦୋଳନ କରାଯାଇଥିଲା। ଆନ୍ଦୋଳନକାରୀମାନେ ମହିଳା ସଂରକ୍ଷଣକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଏହି ପ୍ରଦର୍ଶନ ସମୟରେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ପୋଲିସ ସହ ଧସ୍ତାଧସ୍ତି, ଆଇନଗତ ନିର୍ଦ୍ଦେଶକୁ ଅବମାନନା କରିବା ଏବଂ ସର୍ବସାଧାରଣ ରାସ୍ତା ଅବରୋଧ କରିବା ଭଳି ସଂଗୀନ ଅଭିଯୋଗ ହୋଇଥିଲା।

ଆଇନଗତ କାର୍ଯ୍ୟାନୁଷ୍ଠାନ

ପୂର୍ବ ଶୁଣାଣିରେ କୋର୍ଟ କହିଥିଲେ ଯେ, ଅଳକା ଲାମ୍ବାଙ୍କ ବିରୋଧରେ ହୋଇଥିବା ମାମଲାରେ ସତ୍ୟତା ରହିଛି । ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା। ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୧୩୨, ୨୨୧, ୨୨୩(a), ଏବଂ ୨୮୫ ଅଧୀନରେ ଚାଲିଥିବା ଏହି ମାମଲାରେ ଆଜି (୨୫ ମେ ୨୦୨) କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମୁଁ ଭୟ କରେନି: ଅଳକା ଲାମ୍ବା

କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ମହିଳା କଂଗ୍ରେସ ସଭାନେତ୍ରୀ ଅଲକା ଲାମ୍ବା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି ରାୟ ଆଦୌ ଆଶ୍ଚର୍ଯ୍ୟଜନକ ନୁହେଁ ଏବଂ ସେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ମୋତେ ଏହିପରି କିଛି ଆଶା ଥିଲା ଏବଂ ଏହା ହିଁ ହେବାର ଥିଲା। ୨୦୨୪ ଜୁଲାଇ ମାସରେ ମୌସୁମୀ ଅଧିବେଶନ ସମୟରେ ମହିଳା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷା ଭାବେ ମୁଁ ଏବଂ ମୋର କର୍ମୀ ଭଉଣୀମାନେ ନିଜର ସାମ୍ବିଧାନିକ ଅଧିକାର ବ୍ୟବହାର କରି ଜନ୍ତର-ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ। ଆମର ଏକମାତ୍ର ଦାବି ଥିଲା 'ମହିଳା ସଂରକ୍ଷଣ ଲାଗୁ କର'। କିନ୍ତୁ ପୋଲିସ ଉପରିସ୍ଥ ଅଧିକାରୀଙ୍କ ଚାପରେ ଆମ ବିରୋଧରେ ଏଫ୍ଆଇଆର୍ (FIR) ରୁଜୁ କରିଥିଲା।’

ସେ ଆହୁରି କହିଛନ୍ତି, ୨୦୨୫ ରୁ ୨୦୨୬ ପର୍ଯ୍ୟନ୍ତ ମୁଁ ଏହି କୋର୍ଟକୁ ଦୌଡ଼ୁଛି । ଆଜି ମୋତେ ଦୋଷୀ ବୋଲି କୁହାଗଲା। ମୋର ଏକମାତ୍ର ଅପରାଧ ଥିଲା ଯେ, ମୁଁ ମହିଳାମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାର ପାଇଁ ସ୍ୱର ଉତ୍ତୋଳନ କରିଥିଲି। ଆସନ୍ତା ୫ ଜୁନ୍ରେ ମୋତେ ସଜା ଶୁଣାଯିବ। ମୁଁ ଏହି ନିଷ୍ପତ୍ତିକୁ ସ୍ୱାଗତ କରୁଛି ଏବଂ ମୁଁ ଆଦୌ ଭୟ କରିବା ମଣିଷ ନୁହେଁ।’