ନୂଆଦିଲ୍ଲୀ: କେତେବେଳେ କାହା ଭାଗ୍ୟରେ କ’ଣ ଘଟିବ ତାହା କେହି କହିପାରିବେ ନାହିଁ। ହେଲେ ସାମାନ୍ୟ ଜିନିଷଟିଏ ମଧ୍ୟ ପ୍ରତିକୂଳ ପରିସ୍ଥିତିରେ କିଭଳି ଜୀବନଦାତା ସାଜିଥାଏ ? ତାହାର ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ହିମାଚଳ ପ୍ରଦେଶରୁ। ପାର୍ବତ୍ୟ ଅଞ୍ଚଳରେ ହଠାତ୍ ଆସିଥିବା ବନ୍ୟା ଜଳରେ ଜଣେ ବାଇକ୍ ଚାଳକ ଭାସିଯାଉଥିବା ବେଳେ ଜଣେ ମହିଳା ନିଜ ଓଢ଼ଣୀ ସାହାଯ୍ୟରେ ତାଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ରୋମାଞ୍ଚକର ଉଦ୍ଧାର କାର୍ଯ୍ୟର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର ଚମ୍ବାରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ହଠାତ୍ ପାହାଡ଼ରୁ ପାଣି ଚାଲିଆସିଥିଲା। ହେଲେ ସେହି ସମୟରେ ଜଣେ ବାଇକ୍ ଚାଳକ ପ୍ରଖର ସ୍ରୋତରେ ଫସିଯାଇଥିଲେ ଏବଂ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲେ। ପାଣିର ବେଗ ଏତେ ଅଧିକ ଥିଲା ଯେ ଯେକୌଣସି ମୁହୂର୍ତ୍ତରେ ବାଇକ୍ ସହ ସେ ଭାସିଯିବାର ଆଶଙ୍କା ଥିଲା।

ବାଇକ୍ ଚାଳକ ଜଣକ ମରଣ ସହ ସଂଗ୍ରାମ କରୁଥିବା ବେଳେ ସେହି ରାସ୍ତାରେ କାରରେ ଯାଉଥିବା ଏକ ପରିବାର ସେଠାରେ ଅଟକି ଯାଇଥିଲେ। ଯୁବକଙ୍କୁ ବିପଦରେ ଦେଖି ସେମାନେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଗାଡ଼ିରୁ ଜଣେ ବ୍ୟକ୍ତି ଓହ୍ଲାଇ ବାଇକ୍ ଚାଳକଙ୍କ ପାଖକୁ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରଖର ସ୍ରୋତ ଯୋଗୁଁ ସେ ପାଖକୁ ଯାଇପାରିନଥିଲେ।

Also Read: କାଦୁଅ ଆଡେଇଲେ ବାହାରୁଛି ଶବ ! ନେପାଳ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା ହଜାରେ ଛୁଇଁଲା

ଓଢ଼ଣୀ ବଞ୍ଚାଇଦେଲା ଜୀବନ

ଏହି ସମୟରେ କାର୍ ଭିତରୁ ଜଣେ ନବବଧୂ ବାହାରକୁ ଆସିଥିଲେ। ସେ ବିନା ଦ୍ୱିଧାରେ ନିଜ ଶରୀରରୁ ଓଢ଼ଣୀ ବାହାର କରି ତାହାକୁ ବାଇକ୍ ଚାଳକଙ୍କ ଆଡ଼କୁ ଫିଙ୍ଗିଥିଲେ। ଯୁବକ ଜଣକ ମଧ୍ୟ ସେହି ଓଢ଼ଣୀକୁ ଧରି ନିଜ ଭାରସାମ୍ୟ ରକ୍ଷା କରିଥିଲେ। ପରେ ଓଢ଼ଣୀ ସାହାଯ୍ୟରେ ତାଙ୍କୁ ଧୀରେ ଧୀରେ ଟାଣି କାର୍ ପାଖକୁ ଅଣାଯାଇଥିଲା ଏବଂ ସେଠାରେ ଉପସ୍ଥିତ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହାୟତାରେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମହିଳା ଜଣଙ୍କର ଏହି ଚତୁରତା ଓ ସାହସିକତା ଯୋଗୁଁ ଆଜି ଜଣେ ବ୍ୟକ୍ତିର ମୂଲ୍ୟବାନ ଜୀବନ ବଞ୍ଚିପାରିଛି।

ଇଣ୍ଟରନେଟ୍ରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଉକ୍ତ ମହିଳାଙ୍କ ସାହସକୁ ଭୂୟସୀ ପ୍ରଶଂସା କରୁଛନ୍ତି। ବାସ୍ତବରେ ଏହି ଘଟଣା ପ୍ରମାଣିତ କରିଛି ଯେ, ବିପଦ ସମୟରେ ସଠିକ୍ ବୁଦ୍ଧି ପ୍ରୟୋଗ କଲେ ଯେକୌଣସି ବଡ଼ ସଙ୍କଟରୁ ମଧ୍ୟ ରକ୍ଷା ମିଳିପାରେ।