ପାରାଦୀପ: ଲକ୍ଷେ ଟଙ୍କା ଯୌତୁକ ପାଇଁ ଚଳନ୍ତା ବାଇକରୁ ଠେଲି ଦେଲା ନୃଶଂସ ସ୍ୱାମୀ । ଏନେଇ ପାରାଦୀପ ଲକ୍ ଥାନାରେ ଅଭିଯୋଗ କରିଛନ୍ତି ପ୍ରିୟା ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ଏରସମା ଥାନା ଅନ୍ତର୍ଗତ କୋଇଥାଳ ଗ୍ରାମର ପ୍ରିୟା ସ୍ୱାଇଁଙ୍କୁ ଭଲ ପାଇ ଏରସମାର ଶ୍ରୀଧର ସାମଲ ୮ ବର୍ଷ ପୂର୍ବେ ପାରାଦୀପ ଭିମାନାସି ଶିବ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଭିମାନାସିର ଏକ ଭଡ଼ା ଘରେ ରହୁଥିଲେ । ସେ ପାରାଦୀପର ଏକ କମ୍ପାନୀରେ ଚାକିରି କରନ୍ତି।

ତାଙ୍କ ସ୍ୱାମୀଙ୍କ ନାମରେ ଥିବା ରାସନ କାର୍ଡ କଟି ଯାଇଥିଲା । ସ୍ୱାମୀ ଶ୍ରୀଧର ସାମଲ ଗତ ମାସ ୨୪ ତାରିଖରେ ତାଙ୍କ ଘର ଏରସମାକୁ ପ୍ରିୟାଙ୍କୁ ଧରି ଯାଇଥିଲେ । ଶ୍ରୀଧର ସାମଲଙ୍କ ଘରେ ଶାଶୂ ଗୀତାରାଣୀ ସାମଲ, ଦିଅର ରଞ୍ଜନ ସାମଲ, ବଡ଼ ଦେଢ଼ଶୁର ମନୋଜ ସାମଲ, ସାନ ଦେଢ଼ଶୁର ବନୁ ସାମଲ, ମଲାଶୁର ରାଜୁ ସାମଲ ମିଳିମିଶି ପ୍ରିୟାଙ୍କୁ ଘର ଭିତରକୁ ଛାଡ଼ିଲେ ନାହିଁ । ରାତି ୧୦ଟାରେ ସମସ୍ତେ ମିଶି ଗାଳିଗୁଲଜ କରିବା ସହ ମାରଧର କରିଥିଲେ ।

ସ୍ୱାମୀ ଶ୍ରୀଧର ସାମଲ ମଧ୍ୟ ସେମାନଙ୍କ କଥାରେ ପଡ଼ି ପ୍ରିୟାଙ୍କୁ ଗୋଇଠା ମାରିଥିଲେ । ସେହିଦିନ ରାତିରେ ଲୁଚି ପ୍ରିୟା ତାଙ୍କ ବାପଘର ଏରସମାର କୋଇଥାଳକୁ ପଳେଇ ଆସିଲେ । କିନ୍ତୁ ତାଙ୍କ ବାପ ଘର ଲୋକେ ମଧ୍ୟ ଘରେ ପୂରାଇ ଦେଲେ ନାହିଁ । ତେଣୁ ପ୍ରିୟା ଆସି ଭିମାନାସିରେ ଥିବା ଭଡ଼ାଘରେ ରହିଲେ । କିନ୍ତୁ ତାଙ୍କ ସ୍ୱାମୀ ଏରସମାରେ ତାଙ୍କ ଘରେ ରହିଥିଲେ । ଗତ ୭ ତାରିଖରେ ତାଙ୍କ ସ୍ୱାମୀ ଶ୍ରୀଧର ଫୋନ କରି କହିଲେ ଏରସମା ପଳେଇ ଆସ । ଏଠୁ ସାଙ୍ଗ ହୋଇ ପାରାଦୀପ ଯିବା । ଏହା ଶୁଣି ପ୍ରିୟା ତାଙ୍କ ଶାଶୂ ଘରକୁ ଯାଇଥିଲେ । ସେଠାରେ ଶାଶୂ ଘର ଲୋକେ ପୂର୍ବପରି ମାରଧର କରି କହିଲେ ବାପଘରୁ ଲକ୍ଷେ ଟଙ୍କା ଆଣ । ପ୍ରିୟା ପ୍ରତିବାଦ କରିଥିଲେ । ସେହିଦିନ ତାଙ୍କ ସ୍ୱାମୀ ପ୍ରିୟାଙ୍କୁ ଧରି ପାରାଦୀପକୁ ଆସିଲେ । ଆସିବା ବାଟରେ ଭୂତମୁଣ୍ଡାଇଠାରେ ଚଳନ୍ତା ବାଇକରୁ ଠେଲିଦେଲେ । ବାଇକରୁ ପଡ଼ି ଗମ୍ଭୀର ଭାବେ ଆହତ ହୋଇ ଭିମାନାସିରେ ପ୍ରିୟା ରହୁଛନ୍ତି । ଏନେଇ ପାରାଦୀପ ଲକ୍ ଥାନାରେ ଗତ ତାରିଖ ୯ରେ ଅଭିଯୋଗ କରିଛନ୍ତି । ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା ସୂଚନା ମିଳିଛି ।