ସାଇପ୍ରସ୍: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ଶୁକ୍ରବାର କହିଛନ୍ତି ଯେ ୨୦୨୭ରେ ରାଷ୍ଟ୍ରପତି ଭାବେ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମାପ୍ତ ହେବା ପରେ ସେ ରାଜନୀତିରୁ ସନ୍ୟାସ ନେବେ। ସାଇପ୍ରସର ନିକୋସିୟାରେ ଛାତ୍ରଙ୍କ ଏକ ସମୂହକୁ ସମ୍ବୋଧିତ କରି ମ୍ୟାକ୍ରନ କହିଛନ୍ତି ଯେ ରାଷ୍ଟ୍ରପତି ହେବା ପୂର୍ବରୁ ରାଜନୀତି ସହ ମୋର କୌଣସି ସମ୍ପର୍କ ନଥିଲା ଓ ଏହା ପରେ ବି ରାଜନୀତିରେ ସକ୍ରିୟ ରହିବି ନାହିଁ।

ତାଙ୍କର ଏହି ବୟାନ ଜୁଲାଇ ୨୦୨୫ରେ ପ୍ୟାରିସ୍ ରେ ତାଙ୍କ ପାର୍ଟିର ଯୁବବର୍ଗଙ୍କ ରାଲିକୁ ସମ୍ବୋଧିତ କରିବା ବେଳେ ଦେଇଥିବା ବୟାନର ସମ୍ପୂର୍ଣ୍ଣ ବିପରୀତ। ସେତେବେଳେ ମ୍ୟାକ୍ରନ କହିଥିଲେ ଯେ ମୋତେ ପ୍ରତି ୨ ବର୍ଷ, ପାଞ୍ଚ ବର୍ଷ ଓ ୧୦ ବର୍ଷରେ ଆପଣମାନଙ୍କ ଆବଶ୍ୟକତା ପଡିବ।

ସେତେବେଳେ ତାଙ୍କର ଏହି ଟିପ୍ପଣୀକୁ ୨୦୩୨ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ତାଙ୍କ ଇଛା ରୂପେଦେଖା ଯାଇଥିଲା। ହେଲେ ନବୀନତମ ଟିପ୍ପଣୀ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ରାଜନୈତିକ ବିଶ୍ଲେଷକଙ୍କୁ ନୂଆ ଆକଳନ କରିବାକୁ ସୁଯୋଗ ଦେଇଛି। ଉଲ୍ଲେଖଯୋଗ୍ୟ ଯେ ଫ୍ରାନ୍ସ ର କୌଣସି ରାଷ୍ଟ୍ରପତି ଥରେ ପଦଚ୍ୟୁତ ହେବାପରେ ଦ୍ୱିତୀୟବାର ରାଜନୀତିକୁ ଫେରି ନାହାନ୍ତି।

ତେବେ ମ୍ୟାକ୍ରନ ୨୦୧୭ ମସିହାରେ ୩୯ ବର୍ଷ ବୟସରେ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ। ୧୯୫୮ରେ ପଞ୍ଚମ ଗଣତନ୍ତ୍ର ସ୍ଥାପନା ପରେ ସେ ଦେଶର ସବୁଠୁ ଯୁବ ରାଷ୍ଟ୍ରପତି ଥିଲେ। ତେବେ ଫ୍ରାନସ୍ ରେ ତୃତୀୟବାର କାହାକୁ ରାଷ୍ଟ୍ରପତି ହେବାକୁ ଅନୁମତି ଦିଆଯାଏନା। ରାଷ୍ଟ୍ରପତି ହେବା ପୂର୍ବରୁ ମ୍ୟାକ୍ରନ ଫ୍ରାଙ୍କୋଇସ୍ ହଲାଣ୍ଡେଙ୍କ ସରକାରରେ ୨୦୧୪-୧୬ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟକରିଥିଲେ।