ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ବୈବାହିକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ କୋର୍ଟ କହିଛନ୍ତି ଯେ କ୍ୟାରିୟରକୁ ଆଗକୁ ବଢାଇବା ପାଇଁ ଜଣେ ବିବାହିତ ମହିଳାଙ୍କ ନିଷ୍ପତ୍ତିକୁ ସ୍ୱାମୀଙ୍କ ପ୍ରତି କୃରତା ଅଥବା ପରିତ୍ୟାଗର କାର୍ଯ୍ୟ ମନେ କରାଯାଇ ନପାରେ, ଏହା କେବଳ ଏଥି ପାଇଁ ନୁହେଁ ଯେ ମହିଳାଙ୍କ କାର୍ଯ୍ୟ ତାଙ୍କ ଶ୍ୱଶୂରାଳୟ ଲୋକଙ୍କ ଭାବନାକୁ ଆଘାତ ଦେଉଛି। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କ ପୀଠ ଏକ ପାରିବାରିକ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ଖାରଜ କରି ଏହା କହିଛନ୍ତି।

ଆବେଦନକାରିଣୀ ପତ୍ନୀ ଯିଏ ଜଣେ ଦନ୍ତ ଚିକିତ୍ସକ ୨୦୦୯ ମସିହାରେ ବିବାହ କରିଥିଲେ। ପ୍ରାରମ୍ଭିକ ଦିନମାନଙ୍କରେ ପୁଣେରେ ଏକ ଦନ୍ତ ଚିକିତ୍ସାଳୟ ସ୍ଥାପନା କରିଥିବା ମହିଳା ଡାକ୍ତର ସ୍ୱାମୀଙ୍କ ବଦଳି ଯୋଗୁ କାର୍ଗିଲ ଚାଲି ଯାଇଥିଲେ। ତେବେ ଗର୍ଭାବସ୍ଥା କାଳରେ ଓ ପରେ ତାଙ୍କ ଝିଅ ଅସୁସ୍ଥ ରହିବାରୁ ଚିକିତ୍ସା ସୁବିଧା ଓ ଭଲ ବାତାବରଣ ପାଇଁ ମହିଳା ଅହମଦାବାଦ ଫେରିଆସିଥିଲେ। ଏଠାରେ ମହିଳା ପୁଣି ଥରେ ତାଙ୍କ ଦନ୍ତ ଚିକିତ୍ସାଳୟ ଚଳାଇବା ଆରମ୍ଭ କରିଥିଲେ। ତେବେ ପାରିବାରିକ ନ୍ୟାୟାଳୟ ଶ୍ୱଶୂରାଳୟ ଲୋକଙ୍କ ବିନାନୁମତିରେ ମହିଳା ଡାକ୍ତରଙ୍କ ଦନ୍ତ ଚିକିତ୍ସାଳୟ ଖୋଲିବା ନିଷ୍ପତ୍ତିକୁ କୃରତାର କୃତ୍ୟ ମନେ କରିଥିଲେ। ନ୍ୟାୟାଳୟ ମହିଳା ଡାକ୍ତରଙ୍କ ଅହମଦାବାଦ ରହଣୀ କାଳରେ ପିତ୍ରାଳୟରେ ଅବସ୍ଥାନ କରିବା ମଧ୍ୟ ଦୋଷ ବୋଲି କହିଥିଲେ। ଏଣୁ ପାରିବାରିକ କୋର୍ଟ ନିଷ୍କର୍ସ ବାହାର କରିଥିଲେ ଯେ ମହିଳା ତାଙ୍କ ସ୍ୱାମୀଙ୍କ ମୁତୟନ ସ୍ଥଳକୁ ନ ଯାଇ ତାଙ୍କୁ ତ୍ୟାଗ କରିଦେଇଛନ୍ତି।

ତେବେ ସୁପ୍ରିମକୋର୍ଟ ନିମ୍ନ ଅଦାଲତଙ୍କ ତର୍କକୁ ‘ଭୟାନକ’ ବୋଲି କହିଛନ୍ତି ଓ କଡ଼ା ସମାଲୋଚନା କରିଛନ୍ତି।ବେଞ୍ଚ କହିଛନ୍ତି ଯେ ପାରିବାରିକ ନ୍ୟାୟାଳୟର ଦୃଷ୍ଟିକୋଣ ସ୍ପଷ୍ଟ ରୂପେ ଏହି ବାର୍ତ୍ତା ଦେଉଛି ଯେ ପତ୍ନୀଙ୍କ ଦନ୍ତ ଚିକିତ୍ସକ ଡିଗ୍ରି ଥିଲେ ବି ସେ ତାକୁ ତ୍ୟାଗ କରି ତାଙ୍କ ପତିଙ୍କ ସହ ପୋଷ୍ଟିଂ ସ୍ଥାନରେ ରହିବା ଆବଶ୍ୟକ ଥିଲା। ତେବେ ସେ ଏପରି ନ କରିବା କୃରତା ଓ ସ୍ୱାମୀଙ୍କୁ ତ୍ୟାଗ କରିବା ସହ ସମାନ। ସୁପ୍ରିମକୋର୍ଟ ପାରିବାରିକ ନ୍ୟାୟାଳୟର ଏପରି ନିଷ୍ପତ୍ତିକୁ ‘ସାମନ୍ତବାଦୀ’ ଓ ଋଢିବାଦୀ ମାନସିକତା ବୋଲି କହିଛନ୍ତି ଯାହାକୁ ଗୁଜରାଟ ଉଚ୍ଚନ୍ୟାୟାଳୟ କାୟମ ରଖିଥିଲେ। ଗୁଜରାଟ ଉଚ୍ଚନ୍ୟାୟାଳୟ ମଧ୍ୟ କହିଥିଲେ ଯେ ଜଣେ ମହିଳା ଦନ୍ତ ଚିକିତ୍ସକ ରୂପେ ନିଜ କ୍ୟାରିୟରକୁ ଆଗକୁ ବଢାଇବା କୃରତା ଓ ପରିତ୍ୟାଗ ସହ ସମାନ।

ତେବେ ସୁପ୍ରିମକୋର୍ଟଙ୍କ ବେଞ୍ଚ କହିଛନ୍ତି ଯେ ଏଭଳି ବିଚାରର ସମକାଳୀନ ଭାରତରେ କୌଣସି ସ୍ଥାନ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ଆମେ ଏକବିଂଶ ଶତାବ୍ଦୀରେ ପ୍ରବେଶ କରିସାରିଛେ। ଏହା ସତ୍ତ୍ୱେ ଜଣେ ଯୋଗ୍ୟ ମହିଳା ଦନ୍ତ ଚିକିତ୍ସକଙ୍କୁ ତାଙ୍କ କ୍ୟାରିୟର ଆଗକୁ ବଢାଇବା ଓ ନିଜ ଶିଶୁର ଲାଳନ ପାଳନ ନିମନ୍ତେ ଏକ ସୁରକ୍ଷିତ ତଥା ସ୍ଥିର ବାତାବରଣ ସୁନିଶ୍ଟିତ କରିବାର ପ୍ରୟାସକୁ କୃରତା ଓ ପରିତ୍ୟାଗର କାର୍ଯ୍ୟ ମାନେ କରିବା ଅତ୍ୟାନ୍ତ ପରିତାପର ବିଷୟ। ଉଚ୍ଚନ୍ୟାୟାଳୟ କହିଛନ୍ତି ଯେ ସମ୍ମାନୀୟ ପାରିବାରିକ ନ୍ୟାୟାଳୟଙ୍କ ଏପରି ଦୃଷ୍ଟିକୋଣ ନା କେବଳ ଆଇନତଃ ଅସ୍ଥିର ବରଂ ଅତ୍ୟନ୍ତ ଚିନ୍ତାଜନକ ମଧ୍ୟ।

ସୁପ୍ରିମକୋର୍ଟ ବେଞ୍ଚ ବିବାହିତ ମହିଳାଙ୍କ ବୃତ୍ତିଗତ ଅଧିକାର କୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ଆପଣେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଜଣେ ସୁଶିକ୍ଷିତ ତଥା ପେଷାଦାର ରୂପେ ଯୋଗ୍ୟ ମହିଳାଙ୍କ ଠାରୁ ସେ କେବଳ ବୈବାହିକ ଦାୟିତ୍ୱର କଠୋର ସୀମାରେ ବନ୍ଧା ହୋଇ ରହିବା ଆଶା କରାଯାଇ ନପାରେ। ନ୍ୟାୟାଳୟ କହିଛନ୍ତି ଯେ ପତି ଓ ପତ୍ନୀ ଉଭୟଙ୍କ ଏହା କର୍ତ୍ତବ୍ଯ ଯେ ସେମାନେ ବୈବାହିକ ସମ୍ପର୍କକୁ ଏପରି ସନ୍ତୁଳିତ କରନ୍ତୁ ଯେପରି ପାରସ୍ପରିକ ଆକାଙକ୍ଷାର ସମ୍ମାନ ହୋଇ ପାରୁଥିବ।