ନୂଆଦିଲ୍ଲୀ୧୪/୦୫: ଆରମ୍ଭ ହୋଇଯାଇଛି ଗ୍ରୀଷ୍ମ ଋତୁ । ଦିନକୁ ଦିନ ବଢୁଛି ତାପମାତ୍ରା । ତାତି ବଢିବା ସହ ଦେଶରେ ଉଦ୍‌ବେଗଜନକ ହାରରେ ବଢିଚାଲିଛି ସର୍ପାଘାତଜନିତ ମୃତ୍ୟୁ । ଓଡ଼ିଶାରେ ସାମକାମୁଡାରେ ମୃତ୍ୟୁ ସଂଖ୍ୟା ବି ଚିନ୍ତାଜନକ ।   ସଦ୍ୟ ଘଟଣା ଉପରେ ନଜର ପକାନ୍ତୁ । କେରଳର ୭୫ ବର୍ଷୀୟା ସୁଧର୍ମା । ସକାଳର ନିତ୍ୟକର୍ମ ପାଇଁ କୂଅ ପାଖକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେବାବେଳକୁ ବହୁତ ଡେରି ହୋଇଯାଇଥିଲା । ଆଉ ଅକାଳରେ ସୁଧର୍ମାଙ୍କ ଜୀବନ ଚାଲିଗଲା । ଡାକ୍ତରଙ୍କ ସନ୍ଦେହ ଏହି କାମୁଡା ଭାରତର ସବୁଠାରୁ ଘାତକ ସାପ ମଧ୍ୟରୁ ଗୋଟିଏ –ନାଁ ତାର ରସେଲ୍ସ ଭାଇପର । ସାରା ଭାରତରେ ସ୍ବାସ୍ଥ୍ୟ  ବିଭାଗ, ବନ୍ୟପ୍ରାଣୀ ଉଦ୍ଧାରକାରୀ ଏବଂ ଡାକ୍ତରମାନେ ସାପ କାମୁଡ଼ା ମାମଲାରେ ଋତୁକାଳୀନ ବୃଦ୍ଧିକୁ ନେଇ ଚିନ୍ତାପ୍ରକଟ କରିବା ସହ ଚେତାବନୀ ଦେଇଛନ୍ତି । କାରଣ ବଢୁଥିବା ତାପମାତ୍ରା ,ପରିବର୍ତ୍ତନଶୀଳ ପାଗ ଶୈଳୀ, ସାପ ଓ ମଣିଷଙ୍କୁ ନିକଟତର କରାଉଛି ।  କର୍ଣ୍ଣାଟକ, କେରଳରୁ ପଞ୍ଜାବ, ଉତ୍ତରପ୍ରଦେଶ ଓ ନୋଏଡା ଯାଏ ହସ୍‌ପିଟାଲ ଗୁଡିକରୁ ଅଧିକ ସାପ କାମୁଡା ମାମଲା ରିପୋର୍ଟ କରୁଛନ୍ତି । ବିଶେଷଜ୍ଞମାନେ ସତର୍କ କରାଇ କହିଛନ୍ତି ପିକ୍‌ ସିଜିନ୍‌ ଆରମ୍ଭ ହେଉଛି । 

ଗ୍ରୀଷ୍ମ ଋତୁରେ ସାପକାମୁଡ଼ା ମୃତ୍ୟୁ କାହିଁକି ବୃଦ୍ଧି ପାଏ ?  ଡାକ୍ତରମାନେ କୁହନ୍ତି ଯେ ଏହି ବୃଦ୍ଧି ସାପମାନଙ୍କର ଋତୁକାଳୀନ ଆଚରଣ ସହିତ ଘନିଷ୍ଠ ଭାବରେ ଜଡିତ। ଥଣ୍ଡା ରକ୍ତ ବିଶିଷ୍ଟ ସରୀସୃପ ହୋଇଥିବାରୁ, ସାପ ଶରୀରର ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ବାହ୍ୟ ତାପମାତ୍ରା ଉପରେ ନିର୍ଭର କରନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ଋତୁରେ, ସେମାନେ ଥଣ୍ଡା ପରିବେଶ, ପାଣି ଏବଂ ଶିକାର ଖୋଜିବା ପାଇଁ ଗାତ ଛାଡି ଦିଅନ୍ତି ଓ ଜନବସତି ମୁହାଁ ହୁଅନ୍ତି । KMC ହସ୍ପିଟାଲର ଜରୁରୀକାଳୀନ ମେଡିସିନ୍ କ୍ଲଷ୍ଟର ମୁଖ୍ୟ ଡାକ୍ତର ଜିଧୁ ରାଧାକୃଷ୍ଣନ କହିଛନ୍ତି ଯେ ଏପ୍ରିଲ ଏବଂ ଅକ୍ଟୋବର ମଧ୍ୟରେ ମାମଲା ସାଧାରଣତଃ ବୃଦ୍ଧି ପାଏ।

"ଅତ୍ୟଧିକ ଗ୍ରୀଷ୍ମ ଋତୁରେ, ସାପମାନେ ଥଣ୍ଡା ପରିବେଶ ଅନ୍ବେଷଣରେ ସେମାନଙ୍କର ଗାତ ଛାଡି ଦିଅନ୍ତି। ବର୍ଷା ଋତୁରେ ବନ୍ୟା ଯୋଗୁ ସେମାନଙ୍କ ଗାତରେ ପାଣି ପଶେ ଆଉ ସେମାନଙ୍କୁ ବାହାରକୁ ଆସିବାକୁ ବାଧ୍ୟ କରେ । ବନ୍ୟପ୍ରାଣୀ ଉଦ୍ଧାରକାରୀମାନେ କହିଛନ୍ତି ଯେ ଯେତେବେଳେ ଲୋକମାନେ ଅଜାଣତରେ କ୍ଷେତ, ବୁଦା କିମ୍ବା କମ୍ ଆଲୋକିତ ପରିବେଶରେ ଲୁଚି ରହିଥିବା ସାପଙ୍କ ଉପରେ ପାଦ ଦିଅନ୍ତି, ସେତେବେଳେ ସାପ ଦଂଶନର ଶିକାର ହୁଅନ୍ତି ।ଏଥିସହ ସନ୍ଧ୍ୟାରେ ପିଲା ଏବଂ ଛାତ୍ରମାନେ ବାହାରେ କ୍ରିକେଟ୍ ଏବଂ ଫୁଟବଲ୍ ଖେଳୁଥିବା ସମୟରେ ସାପ ଦଂଶନ ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଥାଏ ।

କର୍ଣ୍ଣାଟକରେ  ସର୍ବାଧିକ ସାପ କାମୁଡ଼ା ମାମଲା

ଚଳିତ ବର୍ଷ କର୍ଣ୍ଣାଟକରେ ସାପ କାମୁଡ଼ା ମାମଲାରେ ସର୍ବାଧିକ ବୃଦ୍ଧି ଘଟିଛି। ସମନ୍ବିତ ରୋଗ ନିରୀକ୍ଷଣ କାର୍ଯ୍ୟକ୍ରମ (IDSP) ଅନୁଯାୟୀ, ରାଜ୍ୟରେ ଜାନୁଆରୀରୁ ଏପ୍ରିଲ ଶେଷ ସପ୍ତାହ ମଧ୍ୟରେ 3,939 ସାପ କାମୁଡ଼ା ମାମଲା ଏବଂ 39 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। କେବଳ ଏପ୍ରିଲ ମାସରେ ୯୬୧ କାମୁଡ଼ା ଏବଂ ୧୧ଜଣଙ୍କ ମୃତ୍ୟୁ ହୋଇଥିଲା। ଗତ ବର୍ଷ ସମାନ ସମୟ ମଧ୍ୟରେ, କର୍ଣ୍ଣାଟକରେ ୩,୨୯୫ କାମୁଡ଼ା ଏବଂ ୧୯ଜଣଙ୍କ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ଫେବୃଆରୀ ୨୦୨୪ ରେ ସାପ କାମୁଡ଼ାକୁ ଏକ notifiable disease (ଯାହାର ସୂଚନା ଦେବା ଜରୁରୀ) ଘୋଷଣା ହୋଇଥିଲା । ଏହା ପରେ ସର୍ପ ଦଂଶନ ଜନିତ ମୃତ୍ୟୁ ସଂଖ୍ୟାର ସଠିକ ସଂଖ୍ୟା ଆସିଥିଲା । କର୍ଣ୍ଣାଟକରେ, ସାଧାରଣତଃ ଗ୍ରୀଷ୍ମ ଋତୁରେ ମାମଲା ବୃଦ୍ଧି ପାଏ  ଏବଂ ମୌସୁମୀ ପର୍ଯ୍ୟନ୍ତ ଜାରି ରହେ । ସେହିପରି ସ୍ବାସ୍ଥ୍ୟ ଅଧିକାରୀ ଆଶା କରୁଛନ୍ତି ଯେ ମେ ଏବଂ ସେପ୍ଟେମ୍ବର ମଧ୍ୟରେ ସଂଖ୍ୟା ଆହୁରି ବୃଦ୍ଧି ପାଇବ । ଡାକ୍ତରଙ୍କ କହିବା କଥା ଅନେକ ଲୋକ ସକାଳୁ ସକାଳୁ ଖାଲି ପାଦରେ ଧାନ କ୍ଷେତ ଦେଇ ଚାଲିବା କିମ୍ବା ଅନ୍ଧାରରେ  କାମ କରିବା ସମୟରେ ସାପ କାମୁଡାର ଶିକାର ହୋଇଥାନ୍ତି ।  "ଏହି ଅଞ୍ଚଳରେ ସାଧାରଣ ବିଷାକ୍ତ ସାପମାନଙ୍କ ମଧ୍ୟରେ କୋବ୍ରା, କ୍ରେଟ୍ ଏବଂ ଭାଇପର ଅନ୍ତର୍ଭୁକ୍ତ। କୋବ୍ରା ଏବଂ ଭାଇପର କାମୁଡ଼ା ସାଧାରଣତଃ ଯନ୍ତ୍ରଣାଦାୟକ ଏବଂ ତୁରନ୍ତ ଜଣାପଡିଯାଏ । କିନ୍ତୁ  କ୍ରେଟ୍ କାମୁଡ଼ା ଯନ୍ତ୍ରଣାହୀନ ହୋଇପାରେ। ଯେମିତି ମଶା କାମୁଡିବା ପରି ଅନୁଭବ ହୁଏ । ଅନେକ ଲୋକ ଏହାକୁ ଅଣଦେଖା କରନ୍ତି । କିନ୍ତୁ ପରେ ଏହା ଏତେ ଗମ୍ଭୀର ରୂପ ନେଇଯାଏକି ମୃତ୍ୟୁର କାରଣ ହୋଇଥାଏ ।

କେରଳରେ ମାଷ୍ଟର ପ୍ଲାନ​​​​​​​

କେରଳରେ ମଧ୍ୟ ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା ବଢିବା ପରେ ତତ୍ପର ହୋଇଥିଲେ ସରକାର । ଏହାକୁ ରୋକିବାକୁ ପ୍ରସ୍ତୁତ ହୋଇଥିଲା ସ୍ବତନ୍ତ୍ର ପ୍ଲାନ । ଯେଉଁଥିରେ ସାପ କାମୁଡ଼ା ହଟସ୍ପଟ୍ ମ୍ୟାପିଂ, ହସ୍ପିଟାଲଗୁଡ଼ିକ ମଧ୍ୟରେ ରେଫରାଲ୍ ସିଷ୍ଟମକୁ ଉନ୍ନତ କରିବା ଅନ୍ତର୍ଭୁକ୍ତ। ଦୂରଦୂରାନ୍ତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ବିଷ-ବିରୋଧୀ ସାମଗ୍ରୀ ମହଜୁଦ କରାଯାଉଛି। କର୍ତ୍ତୃପକ୍ଷ ସଚେତନତା ଅଭିଯାନ ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି। କୃଷି ଶ୍ରମିକମାନଙ୍କୁ ଗ୍ଲୋଭସ୍ ପିନ୍ଧିବାକୁ ଉତ୍ସାହିତ କରାଯାଉଛି ।

ପଞ୍ଜାବରେ ‘ଲୁଧିଆନା’ ହଟ୍‌ସ୍ପଟ୍‌

ପଞ୍ଜାବରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ପଞ୍ଜାବର ଲୁଧିଆନା ଜିଲ୍ଲାରେ ମଧ୍ୟ ବର୍ଷ ବର୍ଷ ଧରି ମାମଲା ସଂଖ୍ୟାରେ ନିରନ୍ତର ବୃଦ୍ଧି ଘଟିଛି। ସରକାରୀ ତଥ୍ୟ ଅନୁଯାୟୀ ୨୦୨୧ ମସିହାରେ ସାପ କାମୁଡ଼ାର ୮୩ ଘଟଣା ଥିବାବେଳେ ୨୦୨୪ ମସିହାରେ ଏହା ବୃଦ୍ଧି ପାଇ ୧୭୨ରେ ପହଞ୍ଚିଛି। ଚଳିତ ବର୍ଷ ଜୁନ୍ ଶେଷ ସୁଦ୍ଧା ୪୩ଟି ମାମଲା ରିପୋର୍ଟ ହୋଇସାରିଛି। ସ୍ବାସ୍ଥ୍ୟ ଅଧିକାରୀମାନେ ମାଛିୱାରା, କୁମ୍ କଲାନ୍ ଏବଂ ଲାଡୋୱାଲ୍ ସମେତ ହଟ୍‌ସ୍ପଟ୍ ଅଞ୍ଚଳଗୁଡ଼ିକୁ ଚିହ୍ନଟ କରିଛନ୍ତି, ଯାହା କୃଷି ଜମି ଏବଂ ଜଳଭଣ୍ଡାର ନିକଟରେ ଅବସ୍ଥିତ। କ୍ଷେତରେ କାମ କରିବା, ଅଧିକ ଗଛଲତା ଦେଇ ଚାଲିବା କିମ୍ବା ରାତିରେ ବାହାରେ ବୁଲିବା ସମୟରେ ଅନେକ ଲୋକଙ୍କୁ ସାପ କାମୁଡି ଥାଏ ।  ପଞ୍ଜାବ ସରକାରଙ୍କ କ୍ଷତିପୂରଣ ଯୋଜନା ଅନୁଯାୟୀ, ସାପ କାମୁଡ଼ାର ଶିକାର ହୋଇଥିବା ପରିବାର ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମିଳିଥାଏ ।  ନାଗପୁର ଜିଲ୍ଲାରେ, ୨୦୨୫ ମସିହାରେ ସାପ କାମୁଡ଼ା ଯୋଗୁଁ ଅତି କମରେ ୧୭ ଜଣ ପ୍ରାଣ ହରାଇଥିଲେ ଯେତେବେଳେ ୧୮୬ଟି ମାମଲା ରିପୋର୍ଟ ହୋଇଥିଲା। ବନ୍ୟପ୍ରାଣୀ କଲ୍ୟାଣ ସମାଜ ଦ୍ବାରା ସଂକଳିତ ତଥ୍ୟ ଦର୍ଶାଉଛି ଯେ ଅଧିକାଂଶ ପୀଡିତ ୨୧-୬୦ ବୟସ ବର୍ଗର ଥିଲେ

କାହିଁକି ବଢୁଛି ?

ତେବେ ଏଇଠି ପ୍ରଶ୍ନ କାହିଁକି ବଢୁଛି ସର୍ପ ଦଂଶନଜନିତ ମୃତ୍ୟୁ ସଂଖ୍ୟା । ବିଶେଷଜ୍ଞ କହୁଛନ୍ତି ସାପ କାମୁଡାର ୬ ଘଣ୍ଟା ଭିତରେ ମେଡିକାଲରେ ପହଞ୍ଚିପାରୁନି ରୋଗୀ । ସେହିପରି ରୋଗୀଙ୍କୁ ତୁରନ୍ତ ମେଡିକାଲ ନିଆ ନଯାଇ  ଝଡାଫୁଙ୍କା କରାଯିବା, ବିଳମ୍ବରେ ଚିକିତ୍ସା ଓ ଆବଶ୍ୟକ ଇଞ୍ଜେକସନର ଅଭାବ ବି ଅନେକାଂଶରେ ଦାୟୀ । 

ସାପ କାମୁଡିଲେ ତୁରନ୍ତ କ’ଣ କରିବେ ?

ବିଷଧର ସାପ କାମୁଡିଲେ ରକ୍ତ, ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ରୋଗୀକୁ ତୁରନ୍ତ ମେଡିକାଲ ନେବା ନେଲେ ଜୀବନ ବଞ୍ଚିଯାଇପାରିବ ।ମେଡିକାଲରେ ଆଣ୍ଟି ସେରମ ଭେନମ୍‌ ବା ଏଏସ୍‌ଭି  ଦିଆଯାଇଥାଏ । ସେହିପରି ରୋଗୀଙ୍କୁ ମେଡିକାଲ ଆଣିବା ପୂର୍ବରୁ କ୍ଷତ ସ୍ଥାନକୁ ଭଲ ଭାବରେ ଧୋଇଦେବା ଉଚିତ । ସାପ କାମୁଡିଥିବା ସ୍ଥାନ ଉପରେ ହାଲ୍‌କା ବାନ୍ଧିବା ଦରକାର ।

ସାବଧାନତା

-ଘର ଚାରିପାଖ ପରିଷ୍କାର ରଖିବା, ବୁଦା କାଟିବା

-ରାତିରେ ବାହାରକୁ ଗଲେ ଜୋତା ପିନ୍ଧିବା, ଟର୍ଚ୍ଚ ବ୍ୟବହାର କରିବା

-ଘରର କାନ୍ଥରେ ଥିବା ଫାଟକୁ ବାହାର କରିବା

- ସାବଧାନ ରହିଲେ ହିଁ ଅନେକାଂଶରେ ସାପ କାମୁଡାକୁ ରୋକାଯାଇ ପାରିବ