ନୂଆଦିଲ୍ଲୀ: NEET ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ (CBI) ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ଚଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜସ୍ଥାନର ମାଙ୍ଗିଲାଲ ଏବଂ ତା ପରିବାର ଏବେ ସିବିଆଇ ସ୍କାନରରେ ରହିଛି ।

ଗୋଟିଏ ପରିବାରରୁ ୫ ଜଣ ଡାକ୍ତର !

ରାଜସ୍ଥାନର ଜୟପୁର ଗ୍ରାମୀଣ ଜମ୍ମାରାମଗଡ଼ ଅଞ୍ଚଳର ବାସିନ୍ଦା ମାଙ୍ଗିଲାଲର ପରିବାରକୁ ନେଇ ସବୁଠାରୁ ବଡ଼ ଖୁଲାସା ହୋଇଛି। ଗୋଟିଏ ପରିବାରର ୫ ଜଣ ସଦସ୍ୟ ମେଡିକାଲ କଲେଜରେ ପହଞ୍ଚିଛନ୍ତି। ଜଣେ ସାଧାରଣ ପରିବାରରୁ ଏତେ ସଂଖ୍ୟକ ସଦସ୍ୟ ଏକାସାଙ୍ଗରେ ଡାକ୍ତରୀ ପାଠ୍ୟକ୍ରମରେ ସ୍ଥାନ ପାଇବା ଏବେ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି ।

ସିବିଆଇ ରାଡାରରେ ପୂରା ଫ୍ୟାମିଲି

ସିବିଆଇ ଅନୁମାନ କରୁଛି ଯେ, ଏହି ସଫଳତା ପଛରେ କୌଣସି ପ୍ରତିଭା ନୁହେଁ ବରଂ ‘ପେପର ଲିକ୍ ନେଟୱାର୍କ’ ର ବଡ଼ ହାତ ରହିଛି। ମାଙ୍ଗିଲାଲ ପରିବାରର ସଦସ୍ୟମାନେ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ କରିଛନ୍ତି କି ନାହିଁ ଏବଂ ପ୍ରଶ୍ନପତ୍ର କିଣିବାରେ ମାଙ୍ଗିଲାଲ ସେମାନଙ୍କୁ ସାହାଯ୍ୟ କରିଛି କି ନାହିଁ, ସେ ନେଇ ସିବିଆଇ ଖୋଳତାଡ଼ କରୁଛି। ସେମାନେ କେଉଁ କେଉଁ ମେଡିକାଲ କଲେଜରେ ପଢୁଛନ୍ତି ଏବଂ ସେମାନଙ୍କର ପୂର୍ବ ପରୀକ୍ଷା ରେକର୍ଡ କିଭଳି ରହିଛି, ତାହାର ସମସ୍ତ ଡାଟା ସିବିଆଇ ଏକତ୍ରିତ କରୁଛି।

ନିଟ୍ କ୍ଲିୟର କରିଥିଲା ଅଭିଯୁକ୍ତର ଝିଅ

ସିବିଆଇ ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ମାଙ୍ଗିଲାଲର ଭାଇ ଏବଂ ଅନ୍ୟତମ ଅଭିଯୁକ୍ତ ଦିନେଶର ଝିଅ ଗୁଞ୍ଜନ ମଧ୍ୟ NEET ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା ଏବଂ ତାକୁ ବନାରସ ମେଡିକାଲ କଲେଜରେ ସ୍ଥାନ ମିଳିଥିଲା। ଏହା ବ୍ୟତୀତ, ଦିନେଶ ଏବଂ ମାଙ୍ଗିଲାଲର ବଡ଼ ଭାଇ ଘନଶ୍ୟାମର ଝିଅ ପଲକ ଏବଂ ସୋନିଆ ମଧ୍ୟ NEET ପାସ୍ କରିଥିଲେ। ସୋନିଆ ବର୍ତ୍ତମାନ ମୁମ୍ବାଇର ଏକ ମେଡିକାଲ କଲେଜରେ ପଢ଼ୁଛି । ମାଙ୍ଗିଲାଲର ଝିଅ ପ୍ରକୃତି ଦୌସା ମେଡିକାଲ କଲେଜରେ ଅଧ୍ୟୟନ କରୁଛି, ଏବଂ ଦିନେଶର ପୁଅ ବିକାଶକୁ ସୱାଇ ମାଧୋପୁର ମେଡିକାଲ କଲେଜରେ ସ୍ଥାନ ମିଳିଥିଲା।

ଦୀର୍ଘ ବର୍ଷ ଧରି ଚାଲୁଥିଲା ନେଟଓ୍ବାର୍କ ?

ପେପର ଲିକ୍ ନେଟୱାର୍କ ବହୁ ବର୍ଷ ଧରି ଏକ ବ୍ୟବସ୍ଥିତ ଉପାୟରେ କାର୍ଯ୍ୟ କରୁଥିଲା। ମହାରାଷ୍ଟ୍ରର ଅହଲ୍ୟାବାଇ ନଗରର ବାସିନ୍ଦା ଧନଞ୍ଜୟଠାରୁ, ପେପରଟି ନାସିକର ବାସିନ୍ଦା ଶୁଭମ ଖୈରନାର ପାଖକୁ ଏବଂ ସେଠାରୁ ହରିୟାଣାର ୟଶ ଯାଦବ ପାଖକୁ ଯାଇଥିଲା। ୟଶ ଯାଦବ ପୂର୍ବରୁ ସିକରରେ NEET ପାଇଁ ପଢିଥିଲା, ଯେଉଁଠାରେ ସେ ବିକାଶକୁ ଭେଟିଥିଲା। ଏହା ପରେ ଦିନେଶ ଏବଂ ମାଙ୍ଗିଲାଲ ନେଟୱାର୍କରେ ଯୋଗ ଦେଇଥିଲେ। ସିବିଆଇ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ୟଶ ଯାଦବ ଦିନେଶର ପୁଅ ବିକାଶ ଏବଂ ମାଙ୍ଗିଲାଲକୁ ପ୍ରତିଶ୍ରୁତି ଦେଇଥିଲା ଯେ, ଏଥର ଦୀପାବଳି ପାଖାପାଖି ପେପର ଉପଲବ୍ଧ ହେବ। ତା'ପରେ ଦିନେଶ ତାର ଆଉ ଜଣେ ପୁଅ ରିଷି ଏବଂ ଭଣଜା ଅମନ ପାଇଁ ବହୁ ପରିମାଣର ଟଙ୍କା ଦେଇଥିଲା ବୋଲି ଅଭିଯୋଗ ହୋଇଛି।

ପେପର ବିକ୍ରି କରିବାରୁ ଧରାପଡ଼ିଲା ଚୋରି

ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଲୋଭରେ ପେପରଟି ଆହୁରି ବିକ୍ରି ହେବା ପରେ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିଥିଲା। ଅଭିଯୋଗ ହୋଇଛି ଯେ, ରିଷି, ସିକର ବାସିନ୍ଦା ରାକେଶ ମଣ୍ଡାଭିୟ ମାଧ୍ୟମରେ ପେପରକୁ ବ୍ୟାପକ ଭାବରେ ପ୍ରସାରିତ କରିଥିଲା। ପରୀକ୍ଷାର ପ୍ରାୟ ୧୫ ଘଣ୍ଟା ପୂର୍ବରୁ, ପେପରଟି ସିକରର ବିଭିନ୍ନ କୋଚିଂ ପ୍ରତିଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ, ପେପର ଲିକ୍ ହେବାର ଗୁଜବ ବ୍ୟାପିଥିଲା ଏବଂ ମାମଲାଟି ତଦନ୍ତକାରୀ ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚିଥିଲା।