ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ତିକ୍ତତା ଯୋଗୁ ଏପ୍ରିଲରେ ଭାରତର ପାଇକାରୀ ମୁଦ୍ରାସ୍ଫୀତି ହାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ଗୁରୁବାର ଜାରି ତଥ୍ୟ ଅନୁସାରେ, ଦେଶରେ ଏପ୍ରିଲ ମାସରେ ପାଇକାରୀ ମୁଦ୍ରାସ୍ଫୀତି ୮.୩% ହୋଇଛି। ଯାହା ବର୍ତ୍ତମାନ ସ୍ଥିତିରେ ସର୍ବାଧିକ। ଏହି ବୃଦ୍ଧିର ମୁଖ୍ୟ କାରଣ, ଇନ୍ଧନ ଏବଂ ଅଶୋଧିତ ତେଲ ଦାମ୍ରେ ହୋଇଥିବା ବୃଦ୍ଧି। ଯାହାର ପ୍ରଭାବ ଅର୍ଥନୀତି ଉପରେ ଦେଖିବାକୁ ମିଳୁଛି। ଆଉ ଦରବୃଦ୍ଧି ୪୨ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

ପାଇକାରୀ ମୂଲ୍ୟ ସୂଚକାଙ୍କ (WPI) ଉପରେ ଆଧାରିତ ମୁଦ୍ରାସ୍ଫୀତି ହାର ମାର୍ଚ୍ଚରେ ୩.୮୮%ରୁ ବଢ଼ି ଏପ୍ରିଲରେ ୮.୩% ହୋଇଛି। ଏହାର ମୁଖ୍ୟ କାରଣ ମିନେରାଲ ଅଏଲ, ଅଶୋଧିତ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ, ମେଟାଲ ଏବଂ ମ୍ୟାନୁଫ୍ୟାକଚରଡ ପ୍ରଡକ୍ଟ ଦାମରେ ହୋଇଥିବା ବଡ଼ ବୃଦ୍ଧି। ଆହୁରି ମଧ୍ୟ ଏହି ତଥ୍ୟ ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ମଧ୍ୟରେ ଥିବା ବଡ଼ ପାର୍ଥକ୍ୟକୁ ଦର୍ଶାଉଛି। ବିଶେଷଜ୍ଞ କହିଛନ୍ତି, ବିଶ୍ବରେ ସାମଗ୍ରୀ ଏବଂ ଏନର୍ଜୀର ଉଚ୍ଚ ଦାମ୍ ଘରୋଇ ଯୋଗାଣ ଶୃଙ୍ଖଳା ଉପରେ ପ୍ରଭାବ ପକାଉଛି। ଫଳରେ ଏବେ ଉତ୍ପାଦନକାରୀଙ୍କ ଖର୍ଚ୍ଚ ଦ୍ରୁତ ଭାବରେ ବଢ଼ୁଛି।ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି।

Also Read: ବଢ଼ିବ ପେଟ୍ରୋଲ-ଡିଜେଲ୍ ଦାମ୍ ! ଏଭଳି ଚେତାବନୀ ଦେଲେ ଆରବିଆଇ ଗଭର୍ଣ୍ଣର

ତେବେ ଏହି ବୃଦ୍ଧି ଏଭଳି ସମୟରେ ହୋଇଛି, ଯେତେବେଳେ ସରକାର ବିଶ୍ବ ସ୍ତରରେ ଅଶୋଧିତ ତେଲର ଦାମ ବଢ଼ିବା ସତ୍ତ୍ବେ ବି ପେଟ୍ରୋଲ, ଡିଜେଲ ଏବଂ ଘରୋଇ ରୋଷେଇ ଗ୍ୟାସ (LPG) ଦାମରେ ଅଧିକ ପରିବର୍ତ୍ତନ କରାଯାଇନାହିଁ। ଏହାଦ୍ବାରା ସାଧାରଣ ଲୋକଙ୍କ ଉପରେ ଇନ୍ଧନ ମହଙ୍ଗା ହେବାର ସିଧା ପ୍ରଭାବ ବର୍ତ୍ତମାନ ପଡ଼ିନାହିଁ। ଅବଶ୍ୟ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ବଢ଼ାଯାଇଛି। କାରଣ ଅନ୍ତର୍ଜାତୀୟ ବଜାରରେ ଏହାର ଚାପ ଲଗାତାର ବଢ଼ୁଛି।

ସରକାରୀ ତଥ୍ୟ ଅନୁସାରେ, ଏପ୍ରିଲ ମାସରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୩.୪୮%କୁ ବୃଦ୍ଧି ପାଇଛି। ଯେତେବେଳେକି ମାର୍ଚ୍ଚରେ ଏହା ୩.୪୦% ରହିଥିଲା। ବଡ଼ କଥା ହେଲା ୨୦୨୫ ଅକ୍ଟୋବରରେ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ୦.୨୫ ପ୍ରତିଶତକୁ ଖସିଥିଲା। କିନ୍ତୁ ଏହା ପରଠାରୁ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି।