ପାଟନା: NEET UG-2026 ପେପର ଲିକ୍ ମାମଲାରେ ବଡ଼ ଖୁଲାସା ହୋଇଛି । ନିଟ୍ ପେପର ଲିକ୍ ଘଟଣାରେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ଟିମ୍ ଚାରି ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରୁ ଜଣେ RJD ନେତା ସନ୍ତୋଷ କୁମାର ଜୟସ୍ବାଲ। ଆରଜେଡି ନେତା ସନ୍ତୋଷ ଜୟସ୍ବାଲ ଗିରଫ ହେବା ପରେ ବିହାର ରାଜନୀତି ତୀବ୍ର ହୋଇଛି । ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି । ବିଜେପି ମୁଖପାତ୍ର କୁନ୍ତଲ କୃଷ୍ଣ ଦାବି କରିଛନ୍ତି ଯେ, ‘ତେଜସ୍ୱୀ ଯାଦବଙ୍କ ଖାସ୍ ବ୍ୟକ୍ତି NEET ପେପର ଲିକ୍ ମାମଲାରେ ମାଷ୍ଟରମାଇଣ୍ଡ ।’

RJD ସହିତ ସମ୍ପର୍କ ଓ ମେଡିକାଲ ରାକେଟ୍‌

ସନ୍ତୋଷ ଜୟସ୍ବାଲ ରାଷ୍ଟ୍ରୀୟ ଜନତା ଦଳ (RJD) ର ଜଣେ ସକ୍ରିୟ ନେତା ବୋଲି ଜଣାପଡ଼ିଛି। ତାଙ୍କର ଦଳୀୟ ପଦପଦବୀ ଏବଂ ବଡ଼ ନେତାଙ୍କ ସହ ସମ୍ପର୍କ ଏବେ ତଦନ୍ତ ପରିସରଭୁକ୍ତ ହୋଇଛି। ଅଭିଯୋଗ ଅନୁଯାୟୀ, ସନ୍ତୋଷ କେବଳ ପ୍ରଶ୍ନପତ୍ର ଲିକ୍ ନୁହେଁ, ବରଂ ବର୍ଷ ବର୍ଷ ଧରି ଏକ ବଡ଼ ଧରଣର ମେଡିକାଲ ଆଡମିଶନ ରାକେଟ୍ ଚଲାଉଥିଲେ। ସେ ମେଡିକାଲରେ ସିଟ୍ କରାଇଦେବା ନାଁରେ ଛାତ୍ରଛାତ୍ରୀଙ୍କଠାରୁ ବିପୁଳ ପରିମାଣର ଅର୍ଥ ଆଦାୟ କରୁଥିବା ସନ୍ଦେହ କରାଯାଉଛି।

ଟାର୍ଗେଟ କଲା ବିଜେପି

ଏହି ଖୁଲାସା ପରେ ବିଜେପି ନେତାମାନେ ଆରଜେଡି ଏବଂ ବିଶେଷ କରି ତେଜସ୍ୱୀ ଯାଦବଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି । ବିଜେପି ନେତାଙ୍କ କହିବା ଅନୁଯାୟୀ, ଆରଜେଡି ସର୍ବଦା ‘ଅପରାଧୀ ଓ ଶିକ୍ଷା ମାଫିଆ’ଙ୍କୁ ଆଶ୍ରୟ ଦେଇଆସିଛି। ସନ୍ତୋଷ ଜୟସ୍ବାଲଙ୍କ ମାଧ୍ୟମରେ ଦଳର ପାଣ୍ଠି ସଂଗ୍ରହ କରାଯାଉଥିଲା କି ନାହିଁ, ସେ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏହି ଘଟଣାରେ ଆରଜେଡିର କେଉଁ କେଉଁ ବଡ଼ ନେତାଙ୍କ ହାତ ରହିଛି, ତାହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଜେପି ଦାବି କରିଛି।

ଦିଲ୍ଲୀ କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ଏହି ଗ୍ୟାଙ୍ଗ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍ କରିବା ଏବଂ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସେଟିଂ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କାର ଚୁକ୍ତି କରୁଥିଲେ। ଗିରଫ ହୋଇଥିବା ଅନ୍ୟ ତିନିଜଣ ଅଭିଯୁକ୍ତ ମଧ୍ୟ ଏହି ନେଟୱାର୍କ ସହ ଜଡ଼ିତ । ତେବେ NEET ଭଳି ଏକ ସମ୍ବେଦନଶୀଳ ପରୀକ୍ଷାରେ ଏଭଳି ଦୁର୍ନୀତି ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲିଦେଇଛି । ସନ୍ତୋଷ ଜୟସ୍ବାଲଙ୍କ ଗିରଫଦାରୀ ଏହି ମାଫିଆ ନେଟୱାର୍କର କେବଳ ଗୋଟିଏ ଅଂଶ ହୋଇଥାଇପାରେ, ଏବଂ ଆଗକୁ ଏଥିରେ ଆହୁରି ବଡ଼ ବଡ଼ ନାମ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।