ପୁରୀ : ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ମହାପର୍ବ। ଏହି ମହାନ ପରମ୍ପରାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥର ନାମ ‘ନନ୍ଦିଘୋଷ’ ହୋଇଥିବା ବେଳେ ଏହା ପଛରେ ରହିଛି ଏକ ଗଭୀର ଆଧ୍ୟାତ୍ମିକ ଅର୍ଥ ଓ ପୌରାଣିକ ମହତ୍ତ୍ୱ। ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ତିନି ରଥରେ ବିରାଜମାନ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଏହି ତିନି ରଥ ମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି ନନ୍ଦିଘୋଷ।

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥର ନାମ 'ନନ୍ଦିଘୋଷ' କାହିଁକି ?

ନନ୍ଦି ଆଉ ଘୋଷ। ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ। ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ। ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’। ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏ ନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁଁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।

ନନ୍ଦିଘୋଷ ରଥର ମଧ୍ୟ ରହିଛି ଅନେକ ବିଶେଷତା। ଏହି ରଥରେ ରହିଥାଏ ୧୬ଟି ଚକ । ଏହାର ଉଚ୍ଚତା ପ୍ରାୟ ୪୪ଫୁଟ ୩ ଇଞ୍ଚ । ରଥର ଆବରଣ ଲାଲ ଓ ହଳଦିଆ ରଙ୍ଗର ହୋଇଥାଏ, ଯାହା ଶକ୍ତି, ଜ୍ଞାନ ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ। ରଥର ନିର୍ମାଣ କରିଥିଲେ ବିଶ୍ୱକର୍ମା | ରଥରେ ବ୍ୟବହୃତ କାଠ ସଂଖ୍ୟା ୮୩୨ | ରଥର ସାରଥୀ 'ଦାରୁକ' | ନନ୍ଦିଘୋଷର ଘୋଡାର ନାମ ଶଙ୍ଖ , ବଳାହକ, ଶ୍ୱେତ ଓ ହରିଦାଶ୍ୱ | ତେବେ ରଥଯାତ୍ରାର ପ୍ରତ୍ୟେକ ରଥ, ପ୍ରତ୍ୟେକ ଚକ ଏବଂ ପ୍ରତ୍ୟେକ ପ୍ରତୀକ ମଧ୍ୟରେ ଲୁଚି ରହିଛି ଶତାବ୍ଦୀ ପୁରୁଣା ସଂସ୍କୃତି, ଶାସ୍ତ୍ର ଓ ଭକ୍ତିର ବାର୍ତ୍ତା।